ରାଫେଲ କାଗଜପତ୍ର ଚୋରୀ ପ୍ରସଂଗ: ଚୋରି ନେଇ ଏତଲା ଦିଆଯାଇନଥିଲା କାହିଁକି?
7/03/2019 at 8:14 PM

ନୂଆଦିଲ୍ଲୀ୭|୩: ପ୍ରତିରକ୍ଷା ମନ୍ତ୍ରଣାଳୟରୁ ଚୋରି ହୋଇଯାଉଛି ଫାଇଲ୍ । ଅକଳରେ ପଡିଛନ୍ତି ଭାରତ ସରକାର । ରାଫେଲ ବିମାନ ସମ୍ପର୍କିତ ଫାଇଲ କେମିତି ଚୋରି ହେଲା । ତାର ସଠିକ୍ ଉତ୍ତର ସରକାରଙ୍କ ପାଖରେ ନାହିଁ । କିନ୍ତୁ କଂଗ୍ରେସ ପୁଣି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଉପରେ କଲାଣି ରାଫେଲ ଆଟାକ । କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ନିଶାନାରେ ଅଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ମୋଦିଙ୍କ ଜରିଆରେ ବାଏପାସ୍ ସର୍ଜରୀ ହୋଇଛି । ୩୦ ହଜାର କୋଟିର ଘୋଟାଲା ହୋଇଛି ବୋଲି ଆଜି ପୁଣି ଥରେ ସଙ୍ଗିନ ଅଭିଯୋଗ ଆଣିଛନ୍ତି ରାହୁଲ୍ । ଖାଲି ସେତିକି ନୁହେଁ , କାହିଁକି ପି ଏ ସି ଆଗରେ ରାଫେଲ ଚୁକ୍ତି ବାବଦୀୟ ତଥ୍ୟ ରଖିଲେ ନାହିଁ ସରକାର ।
ଯେଉଁ ରାଫେଲ ଡିଲକୁ ନେଇ ମୋଦି ସରକାର ତଥ୍ୟ ଦେବାକୁ ନାରାଜ୍ , ତାହାର ଡକ୍ୟୁମେଣ୍ଟ ଚୋରି ହୋଇଗଲା କିପରି । ସେପଟେ ସରକାର ବି କହୁଛନ୍ତି ଚୋରି ହୋଇଥିବା ଡକ୍ୟୁମେଣ୍ଟ ମିଡିଆକୁ ଆସିଲା କେମିତି । ଏହି ଚୋରି ପଛରେ କେଉଁମାନେ । ଚୋରି ନେଇ ଏତଲା ଦିଆଯାଇନଥିଲା କାହିଁକି । କିଛି ଦିନ ରାଫେଲଙ୍କୁ ନେଇ ପ୍ରଧାନମନ୍ତ୍ରୀଙ୍କ ବୟାନ ଏକ ନୂଆ ରାଫେଲ ବିବାଦ ସୃଷ୍ଟି କରିଥିଲା । ଆଜି ଯଦି ବାୟୁସେନାରେ ରାଫେଲ ଥାଆନ୍ତା ତାହେଲେ ଏୟାର ଷ୍ଟ୍ରାଇକର ଫର୍ମୁଲା ଅଲଗା ହୋଇଥାନ୍ତା ବୋଲି କହିଥିଲେ ପ୍ରଧାନମନ୍ତ୍ରୀ ମୋଦି । ଯାହାକୁ ନେଇ ହୋଇଥିଲା ବେଶ୍ ତମ୍ବି ତୁଫାନ ।
୫ ବର୍ଷ ଶାସନରେ କାହିଁକି ଗୋଟିଏ ରାଫେଲ ଆଣିଲନି ବୋଲି ବିରୋଧୀ ପ୍ରଶ୍ନ କରିଥିଲେ । ଏ ବିବାଦନ ନ ଦବୁଣୁ। ଏବେ ଫାଇଲ୍ ଚୋରି ରାଜନୀତିରେ ନୂଆ ଟ୍ବିଷ୍ଟ ସୃଷ୍ଟି କରିଛି । ରାଫେଲ୍ ପୁଣି ନିର୍ବାଚନୀ ମୈଦାନରେ ମୁଦ୍ଦା ହେବାକୁ ଯାଉଛି । ଯାହାକୁ ନେଇ କଂଗ୍ରେସ ବିଜେପିକୁ ଘେରିବାକୁ ଯାଉଛି । ସେପଟେ ରାହୁଲଙ୍କୁ ବାରମ୍ବାର ମିଛୁଆ କହିଆସୁଥିବା ବିଜେପି ଏବେ ଫାଇଲ ଗାୟବ ପ୍ରସଙ୍ଗରେ ସ୍ପଷ୍ଟ ଉତ୍ତର ଦେଇନାହିଁ ।
ପ୍ରଶ୍ନ ଏବେ କଣ ରାଫେଲ ଦେଶର ସୁରକ୍ଷାର ଆବଶ୍ୟକତା ନା ନିର୍ବାଚନର ଆବଶ୍ୟକତା। କଂଗ୍ରେସକୁ ଯେଉଁ ବୋଫୋର୍ସର ବଦନାମି ମଣ୍ତାଇବାକୁ ପଡିଥିଲା , ଆଗକୁ ବିଜେପି ସେଭଳି ଦଶା ଭୋଗିବନାହିଁ ତ.ଏମିତି ଅନେକ ପ୍ରସଙ୍ଗ ଏବେ ଯୋଡି ହୋଇ ଯାଇଛି ରାଫେଲ ଡିଲ୍ ସହିତ । କେବଳ ଦେଖିବାର କଥା ନିର୍ବାଚନ ଆଗରୁ ରାଫେଲ, ବିଜେପିକୁ ଲାଭରେ ରଖୁଛି, ନା ଦଳୀୟ ନେତାଙ୍କର ମୁଣ୍ତ ବିନ୍ଧା ବଢାଇଦେବ ରାଫେଲ ବିମାନ।