ଗୁରୁବାର ବାୟୁସେନାରେ ସାମିଲ ହେବ Rafael, କାର୍ଯ୍ୟକ୍ରମରେ ଯୋଗଦେବେ ରାଜନାଥ
9/09/2020 at 9:44 PM

ଅମ୍ବାଲା ୯।୯: ଫ୍ରାନ୍ସ ଯୁଦ୍ଧବିମାନ ରାଫେଲ ଗୁରୁବାର ଔପଚାରିକ ଭାବେ ଭାରତୀୟ ବାୟୁସେନାରେ ସାମିଲ ହେବ। ପ୍ରଥମ ପର୍ଯ୍ୟାୟରେ ମିଳିଥିବା ଯୁଦ୍ଧବିମାନଗୁଡିକୁ ବାୟୁସେନାରେ ସାମିଲ କରିବା ଲାଗି ଅମ୍ବାଲା ବାୟୁସେନା ଘାଟିରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ ହେଉଥିବା ଜଣାପଡିଛି। ବାୟୁସେନା ସୂତ୍ରରୁ ମିଳୁଥିବା ସୂଚନାରେ କାର୍ଯ୍ୟକ୍ରମରେ କେନ୍ଦ୍ର ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହଙ୍କ ସମେତ ସିଡିଏସ୍ ବିପିନ୍ ରାୱତ୍ ଓ ବାୟୁସେନା ମୁଖ୍ୟ ରାକେଶ ଭଦୌରିଆ ପ୍ରମୁଖ ଯୋଗଦେଉଥିବା ଜଣାପଡିଛି।

ଭାରତୀୟ ବାୟୁସେନାରେ ରାଫେଲ ଯୁଦ୍ଧବିମାନ ସାମିଲ ହେବା ଏକ ମାଇଲଖୁଣ୍ଟ ହେବ ବୋଲି ମୁଖପାତ୍ର ଇନ୍ଦ୍ରନୀଲ ନନ୍ଦୀ କହିଛନ୍ତି। ଏଣୁ ଦିନଟିକୁ ସ୍ମରଣୀୟ ହେବା ଭଳି କାର୍ଯ୍ୟକ୍ରମ ସବୁ ଆୟୋଜିତ ହେବ ବୋଲି କହିଛନ୍ତି। ସୂଚନା ମୁତାବକ ରଫେଲ ବିମାନର ଲୋକାର୍ପଣ ଲାଗି ସର୍ବଧର୍ମ ପୂଜା ଅନୁଷ୍ଠିତ ହେବ। ପରେ ତେଜସ୍ ଓ ରାଫେଲ ବିମାନ ଦ୍ୱାରା ଚିତାକର୍ଷକ ଏରୋବେଟିକ୍ସ ପ୍ରଦର୍ଶିତ ହେବ।

ଫ୍ରାନ୍ସ ବିମାନ କମ୍ପାନୀ ଡାସଲ୍ଟ ଏଭିଏସନ ରାଫେଲ ଯୁଦ୍ଧବିମାନ ଉତ୍ପାଦନ କରୁଛନ୍ତି। ସାମ୍ପ୍ରତିକ ସମୟର ଅତ୍ୟାଧୁନିକ ଯୁଦ୍ଧବିମାନ ମଧ୍ୟରେ ଅନ୍ୟତମ। ଏହି ଯୁଦ୍ଧବିମାନ ଭାରତୀୟ ବାୟୁସେନାର ସପ୍ତାଦଶ ସ୍କ୍ୱାଡ୍ରନରେ ସାମିଲ ହେବ। ପ୍ରଥମ ପର୍ଯ୍ୟାୟରେ ଜୁଲାଇ ୨୯ ତାରିଖ ଦିନ ୫ ଟି ରାଫେଲ ଯୁଦ୍ଧବିମାନ ଭାରତ ପହଞ୍ଚିଛି। ଏହିକ୍ରମରେ ଆହୁରି ୩୧ଟି ରାଫେଲ ଯୁଦ୍ଧବିମାନ ବାୟୁସେନାକୁ ମିଳିବାକୁ ଥିବା ବେଳେ ଦେଶରେ ୨ଟି ରାଫେଲ ସ୍କ୍ୱାଡ୍ରନ ହେବ।