ବୁମରା ଓ ମହମ୍ମଦ ସିରାଜଙ୍କ ଉପରେ ଜାତିଗତ ଟିପ୍ପଣୀ, ଅଭିଯୋଗ କଲା ଭାରତୀୟ ଦଳ
9/01/2021 at 4:34 PM

ସିଡନୀ ୦୯।୦୧: ଭାରତର ଅଷ୍ଟ୍ରେଲିଆ ଗସ୍ତରେ ଆଉ ଏକ ନୂଆଁ ବିବାଦ ସାମ୍ନାକୁ ଆସିଛି। ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ସିଡନୀରେ ଖେଳା ଯାଉଥିବା ମ୍ୟାଚ୍ ସମୟରେ ଗ୍ୟାଲେରୀରେ ବସିଥିବା କିଛି ଦର୍ଶକ ଦୁଇ ଖେଳାଳି ଯଶପ୍ରୀତ ବୁମରା ଓ ମହମ୍ମଦ ସିରାଜଙ୍କ ଉପରେ ଜାତିଗତ ଟିପ୍ପଣୀ କରିଛନ୍ତି।
ଏହି ଘଟଣାରେ ଭାରତୀୟ ଦଳ ପ୍ରବନ୍ଧକ ଅଭିଯୋଗ କରିଛନ୍ତି। ସିଡନୀ କ୍ରିକେଟ୍ ଗ୍ରାଉଣ୍ଡରେ ମ୍ୟାଚ୍ ସମୟରେ ନିଶାରେ ଚୁର କିଛି ଦର୍ଶକ ମହମ୍ମଦ ସିରାଜଙ୍କୁ ଅଶ୍ଳୀଳ ଭାଷାରେ ଗାଳିକୁଲଜ କରିଥିଲେ। ଖବର ଅନୁଯାୟୀ ତୃତୀୟ ଟେଷ୍ଟର ଦ୍ଵିତୀୟ ଏବଂ ତୃତୀୟ ଦିନରେ ଖେଳାଳିଙ୍କ ଉପରେ ଏମିତି ଟିପ୍ପଣୀ କରାଯାଇଛି।
ଅଧିନାୟକ ଆଜିଙ୍କ୍ୟ ରାହାଣେ ଅମ୍ପାୟରଙ୍କ ସହିତ ଏହି ବିଷୟରେ ଅଭିଯୋଗ ମଧ୍ୟ କରିଥିଲେ। ମାତ୍ର ତୃତୀୟ ଦିନର ଖେଳ ସମାପ୍ତ ପରେ ଟିମ୍ ଇଣ୍ଡିଆ ଆନୁଷ୍ଠାନିକ ଭାବେ ଅଭିଯୋଗ କରିଛି। ଦଳୀୟ ସୂତ୍ର ଅନୁଯାୟୀ ଦର୍ଶକଙ୍କ ଟିପ୍ପଣୀ ବହୁତ ଅପମାନଜନକ ଥିଲା। କେବଳ ମହମ୍ମଦ ସିରାଜ ନୁହେଁ ବରଂ ଦଳର ତାରକା ଦ୍ରୁତ ବୋଲର ଯଶପ୍ରୀତ ବୁମରାଙ୍କୁ ମଧ୍ୟ ଅଷ୍ଟ୍ରେଲିଆ ଦର୍ଶକ ଅସଭ୍ୟ ଭାଷାରେ ଗାଳି କରିଛନ୍ତି।
ଖବର ଅନୁଯାୟୀ ତୃତୀୟ ଦିନର ଖେଳ ପରେ କିଛି ବରିଷ୍ଠ ଖେଳାଳି ଅଧିନାୟକ ରାହାଣେ ଓ ସ୍ପିନର ରବିଚନ୍ଦ୍ରନ ଅଶ୍ଵିନଙ୍କ ନେତୃତ୍ଵରେ ଦୁଇ ଅମ୍ପାୟର ପଲ୍ ରାଇଫଲ ଓ ପଲ୍ ଓ୍ଵିଲସନଙ୍କୁ ଏହି ବିଷୟରେ ସୂଚନା ଦେଇଥିଲେ। ଏହା ପରେ ଅମ୍ପାୟର, ସୁରକ୍ଷା ଅଧିକାରୀ ଓ ଭାରତୀୟ ଖେଳାଳିଙ୍କ ମଧ୍ୟରେ ମୋଟ୍ ୫ ମିନିଟ୍ ଆଲୋଚନା ହୋଇଛି।
ଭାରତୀୟ ଟିମ୍ ଡ୍ରେସିଂ ରୁମ ନିକଟରେ ଜମା ହୋଇଥିଲେ। ଭାରତୀୟ ସୁରକ୍ଷା ଅଧିକାରୀ ପ୍ରାୟ ୫ ମିନିଟ୍ ପର୍ଯ୍ୟନ୍ତ ପଡିଆରେ ଉପସ୍ଥିତ ସୁରକ୍ଷାକର୍ମୀଙ୍କ ସହିତ ଆଲୋଚନା କରିଥିଲେ। ଏହି ସମୟରେ ଆଇସିସିର ସୁରକ୍ଷା ଅଧିକାରୀ ମଧ୍ୟ ଉପସ୍ଥିତ ଥିଲେ।