କାନପୁର ଟେଷ୍ଟ : ବ୍ୟାଟର୍‌ ରବିନ୍ଦ୍ରଙ୍କୁ କ୍ଲିନ୍‌ ବୋଲ୍ଡ କଲେ ବୋଲର ରବିନ୍ଦ୍ର, କିଓ୍ବି ଖେଳାଳିଙ୍କ ଭାରତ ସହ ରହିଛି ଅପୂର୍ବ ସଂଯୋଗ

Published By : Prameya-News7 Bureau | November 27, 2021 IST

କାନପୁର ୨୭/୧୧ : ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଜାରି ରହିଥିବା ପ୍ରଥମ ଟେଷ୍ଟର ତୃତୀୟ ଦିନରେ ଟ୍ରାକ୍‌କୁ ଫେରିଛି ଭାରତ । ପ୍ରଥମ ଇନିଂସରେ ୩୪୫ ରନରେ ଅଲଆଉଟ ହୋଇଯିବା ପରେ କିଓ୍ବି ଟିମର ଦୁଇ ଓପନର ଦଳକୁ ମଜବୁତ ପାର୍ଟନରସିପ୍‌ ଦେଇଥିଲେ । ଦ୍ବିତୀୟ ଦିନ ଖେଳ ଶେଷ ସୁଦ୍ଧା ନ୍ୟୁଜିଲାଣ୍ଡ ବିନା ଓ୍ବିକେଟରେ କରିଥିଲା ୧୨୯ ରନ । ତେବେ ତୃତୀୟ ଦିନ ଆରମ୍ଭରୁ ହିଁ କିଓ୍ବି ଟିମ୍ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି । ଦଳର ଦୁଇ ସେଟ୍‌ ବ୍ୟାଟ୍ସମ୍ୟାନ୍‌ ଟମ୍‌ ଲାଥାମ୍‌ ଏବଂ ଓ୍ବିଲ୍‌ ୟଙ୍ଗ ଶୀଘ୍ର ଆଉଟ ହେବାପରେ ଗୋଟିଏ ପରେ ଗୋଟିଏ ଝଟ୍‌କା ଲାଗିଛି । ଲାଥାମ୍‌ ବ୍ୟକ୍ତିଗତ ୯୫ ରନ କରି ଆଉଟ ହୋଇଥିବା ବେଳେ ୟଙ୍ଗ୍‌ ୮୯ ରନ କରି ଆଉଟ ହୋଇଛନ୍ତି । ସେହିଭଳି ଅଧିନାୟକ କେନ୍‌ ଓ୍ବିଲିୟମସନ୍‌ ୧୮ରନ କରି ଆଉଟ ହୋଇଥିବା ବେଳେ ଅଭିଜ୍ଞ ରସ୍‌ ଟେଲର ୧୧ ରନ, ହେନରୀ ନିକୋଲସ୍‌ ୨ରନ, ରଚିନ୍‌ ରବିନ୍ଦ୍ର ୧୩ ରନ କରି ଆଉଟ ହୋଇଛନ୍ତି ।

ତୃତୀୟ ଦିନରେ ଭାରତୀୟ ସ୍ପିନ୍‌ ବାହିନୀ କିଓ୍ବି ଟିମର ବ୍ୟାଟ୍ସମ୍ୟାନଙ୍କ ଉପରେ ଭାରି ପଡିଛନ୍ତି । କୌତୁହଳର କଥା ହେଉଛି ଅଧିନାୟକ ଅଜିଙ୍କ୍ୟ ରାହାଣେ ବୋଲିଂ ପାଇଁ ରବିନ୍ଦ୍ରଙ୍କୁ କହିଥିଲେ । ଅନ୍ୟପାଟେ ତାଙ୍କୁ ସାମ୍ନା କରୁଥିଲେ ରବିନ୍ଦ୍ର । ୧୧୧ ତମ ଓଭରରେ ନ୍ୟୁଜିଲାଣ୍ଡର ରଚିନ୍‌ ରବିନ୍ଦ୍ରଙ୍କୁ କ୍ଲିନ୍‌ ବୋଲ୍ଡ କରିଦେଇଥିଲେ ରବିନ୍ଦ୍ର ଜାଡେଜା । ଉଭୟ ଟିମରେ ରବିନ୍ଦ୍ର ନାଁ ରେ ୨ ଜଣ ଖେଳାଳି ରହିଛନ୍ତି ।

କେବଳ ସେତିକି ନୁହେଁ ଉଭୟ ଟିମରେ ପଟେଲ ଟାଇଟେଲ ମଧ୍ୟ ରହିଛି । ଭାରତ ପକ୍ଷରୁ ଅକ୍ଷର ପଟେଲ ଖେଳୁଥିବା ବେଳେ ନ୍ୟୁଜିଲାଣ୍ଡ ଟିମରେ ରହିଛନ୍ତି ଏଜାଜ୍‌ ପଟେଲ । ସୂଚନାଯୋଗ୍ୟ, ନ୍ୟୁଜିଲାଣ୍ଡର ରଚିନ୍‌ ରବିନ୍ଦ୍ରଙ୍କ ଭାରତ ସହ ସଂଯୋଗ ରହିଛି । ରଚିନ୍‌ଙ୍କ ପିତା ସଚିନ ତେନ୍ଦୁଲକର ଏବଂ ରାହୁଲ ଦ୍ରାବିଡଙ୍କର ବଡ ଫ୍ୟାନ୍‌ । ତେଣୁ ତାଙ୍କ ପୁଅର ନାଁ ଦୁଇ ମହାନ୍‌ ଖେଳାଳିଙ୍କ ନାଁ ସହିତ ଯୋଡି ରଖିଥିଲେ ରାହୁଲ+ସଚିନ=ରଚିନ ।

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.