ଭାରତ ପାଇଁ ଆଶ୍ଵସ୍ତିକର ଖବର: ବକ୍ସିଂ ଡେ ଟେଷ୍ଟ ଖେଳି ପାରନ୍ତି ରବୀନ୍ଦ୍ର ଜାଡେଜା, ବାଦ୍ ପଡିବେ ଏହି ଖେଳାଳି !
21/12/2020 at 8:02 PM

ମେଲବର୍ଣ୍ଣ ୨୧।୧୨: ପ୍ରଥମ ଟେଷ୍ଟରେ ଲଜ୍ଜାଜନକ ପରାଜୟ ପରେ ଭାରତ ଦ୍ଵିତୀୟ ଟେଷ୍ଟରେ ଭଲ ପ୍ରଦର୍ଶନ କରିବାକୁ ଅଣ୍ଟା ଭିଡିଛି। ଏବେଠୁ ବକ୍ସିଂ ଡେ ଟେଷ୍ଟକୁ ନେଇ ଚୂଡାନ୍ତ ଏକାଦଶ ପାଇଁ ତର୍ଜମା ଚାଲିଛି। ଭାରତୀୟ ଦଳ ପ୍ରବନ୍ଧକ ଅଷ୍ଟ୍ରେଲିଆ ବିପକ୍ଷ ଖେଳାଯିବାକୁ ଥିବା ବକ୍ସିଡେ ଟେଷ୍ଟ(ଡିସେମ୍ବର ୨୬) ପୂର୍ବରୁ ରବୀନ୍ଦ୍ର ଜାଡେଜାଙ୍କ ଆଘାତ ଉପରେ ନଜର ରଖିଛନ୍ତି। ଯଦି ସେ ଫିଟ୍ ହୁଅନ୍ତି ତେବେ ମେଲବର୍ଣ୍ଣ ଟେଷ୍ଟରେ ଚୂଡାନ୍ତ ଏକାଦଶରେ ହନୁମା ବିହାରୀଙ୍କ ସ୍ଥାନ ନେଇ ପାରନ୍ତି।
ଟି-୨୦ ଅନ୍ତରାଷ୍ଟ୍ରୀୟ ସିରିଜ୍ ସମୟରେ ଜାଡେଜାଙ୍କ ମୁଣ୍ଡରେ ଆଘାତ ଲାଗିଥିଲା। ଏହା ପରେ ତାଙ୍କ ଜଂଘ ମାଂସପେଶୀ ଟାଣି ଧରିଥିଲା। ଏହି କାରଣରୁ ସେ ପ୍ରଥମ ଟେଷ୍ଟରୁ ବାଦ୍ ପଡିଥିଲେ। ଭାରତକୁ ପ୍ରଥମ ଟେଷ୍ଟରେ ଲଜ୍ଜାଜନକ ପରାଜୟ ଭୋଗିବାକୁ ପଡିଥିଲା। ବର୍ତ୍ତମାନ ଜାଜେଡା ନେଟ୍କୁ ଫେରିଛନ୍ତି।

ସୂଚନା ଅନୁଯାୟୀ, ଅଲରାଉଣ୍ଡର ଜାଡେଜା ଆହତ ସମସ୍ୟାରୁ ମୁକୁଳୁଛନ୍ତି। ମାତ୍ର ଏବେଠୁ ନିଶ୍ଚିତ ଭାବେ କୁହାଯାଇ ପାରିବ ନାହିଁ ଯେ, ଦ୍ଵିତୀୟ ଟେଷ୍ଟ ପୂର୍ବରୁ ସେ ଶତ ପ୍ରତିଶତ ଫିଟ୍ ହେଉଛନ୍ତି କି ନାହିଁ। ଯଦି ଜାଡେଜା ଫିଟ୍ ହୁଅନ୍ତି ତେବେ ଆନ୍ଧ୍ର ପ୍ରଦେଶର ବ୍ୟାଟସମ୍ୟାନ ହନୁମା ବିହାରୀଙ୍କୁ ଅନ୍ତିମ ଏକାଦଶରୁ ବାଦ୍ ପଡି ପାରନ୍ତି। ଆଡିଲେଡ୍ରେ ଖେଳାଯାଇଥିବା ପ୍ରଥମ ଟେଷ୍ଟରେ ଖରାପ ପ୍ରଦର୍ଶନ କାରଣରୁ ବିହାରୀଙ୍କୁ ବାହାର କରାଯିବ ନାହିଁ ବରଂ ଆଜିଙ୍କ୍ୟ ରାହାଣେ ଓ ରବି ଶାସ୍ତ୍ରୀ ସର୍ବଶ୍ରେଷ୍ଟ ସଂଯୋଜନା ସହ ପଡିଆକୁ ଓହ୍ଲାଇବାକୁ ଚାହୁଁଛନ୍ତି।

ବିସିଆଇର ମଧ୍ୟସ୍ଥ ସୂତ୍ରୁ ପ୍ରକାଶ ଯେ, ଯଦି ଜାଡେଜା ଲମ୍ବା ସ୍ପେଲ୍ ବୋଲିଂ କରି ପାରିବେ ତେବେ ତାଙ୍କ ଖେଳିବା ସୁନିଶ୍ଚିତ। ଜାଡେଜା ନିଜର ଅଲରାଉଣ୍ଡର କୌଶଳ ପାଇଁ ବିହାରୀଙ୍କ ସ୍ଥାନ ନେବେ। ଏଥି ସହିତ ଦଳକୁ ଦ୍ଵିତୀୟ ଟେଷ୍ଟରେ ପଞ୍ଚମ ବୋଲିଂ ବିକଳ୍ପ ମଧ୍ୟ ମିଳିବ।
ଜାଡେଜା ୪୯ଟି ଟେଷ୍ଟରେ ୩୫ରୁ ଅଧିକ ହାରରେ ୧୮୬୯ ରନ କରିଛନ୍ତି। ଏଥିରେ ଏକ ଶତକ ଓ ୧୪ ଅର୍ଦ୍ଧଶତକ ସାମିଲ। ଅନ୍ୟପଟେ ବିହାରୀ ୧୦ଟି ଟେଷ୍ଟରେ ୫୭୬ ରନ କରିଛନ୍ତି। ଏଥିରେ ଏକ ଶତକ ଓ ଚାରି ଅର୍ଦ୍ଧଶତକ ସାମିଲ।