ମେ’ ୧୦ରୁ ସମ୍ବଲପୁରରେ କିଣାଯିବ ରବି ଧାନ, ଖରିଫ ଋତୁ ଭଳି କଟ୍‌ନୀ ଛଟ୍‌ନୀ ହେଲେ ଜୋରଦାର ଆନ୍ଦୋଳନ ଚେତାବନୀ

Published By : Prameya-News7 Bureau | April 28, 2019 IST

ସମ୍ବଲପୁର ୨୮|୪: ମେ ୧୦ ରୁ ସମ୍ବଲପୁରରେ ରବି ଧାନ କିଣାଯିବ । ଏନେଇ ଜିଲ୍ଲା ପ୍ରଶାସନ, ଚାଷୀ ଓ ମିଲ୍‌ ମାଲିକମାନଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ୨୦୧୭ ଓ ୧୮ ମସିହାର ବୀମାରାଶି ଓ ଇନ୍‌ପୁଟ ସବ୍‌ସିଡି ମିଳିନଥିବାରୁ ତୀବ୍ର ପ୍ରତିକ୍ରିୟା ଦେଖାଦେଇଥିଲା । ସେହିପରି ଖରିଫ୍ ଋତୁରେ ଧାନ ବସ୍ତା ପ୍ରତି ୫ରୁ ୮କେଜି କଟ୍‌ନୀ ଛଟ୍‌ନୀ ହୋଇଥିଲା । ଏଥର ଏମିତି ହେଲେ, ଚାଷୀମାନେ ଆନ୍ଦୋଳନ କରିବା ସହ, ମଣ୍ଡିରେ ଧାନ ବିକ୍ରି କରିବେ ନାହିଁ ବୋଲି ରୋକ୍‌ଠୋକ୍‌ ଶୁଣାଇଦେଇଛନ୍ତି ।

{"id":108443}

ସମ୍ବଲପୁରରେ ରବି ଧାନ କିଣିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରଥମ ବୈଠକ ଶେଷ । ଏଫ୍‌ଏକ୍ୟୁ ମାନର ଧାନ ପାଇଁ ୧୭୫୦ଟଙ୍କା ଓ ଏ ଗ୍ରେଡ୍‌ ଧାନ ପାଇଁ ୧୭ଶହ ୭୦ଟଙ୍କା ବ୍ୟବସ୍ଥା କରାଯାଇଛି। ଆସନ୍ତା ମାସ ୧୦ତାରିଖରୁ ଜିଲ୍ଲାର ୯ଟି ବ୍ଲକ୍‌ ସମେତ, ନିୟନ୍ତ୍ରିତ ବଜାର କମିଟି ମାଧ୍ୟମରେ ଧାନ କ୍ରୟ କରାଯିବ। ହେଲେ ବୈଠକରେ ଯୋଗଦେଇଥିବା ଚାଷୀମାନେ ରାଜ୍ୟ ସରକାର ଓ ଜିଲ୍ଲାପାଳଙ୍କ ରାଇସ୍‌ ମିଲ୍‌ ପ୍ରିତିକୁ ତୀବ୍ର ବିରୋଧ କରିଥିଲେ ।

{"id":108444}

ଖରିଫ୍ ଋତୁ ଭଳି ଏଥର ବି ଯଦି ଧାନ ବସ୍ତା ପ୍ରତି ୫ରୁ ୮ କେଜି କଟନୀ ଛଟନୀ କରନ୍ତି, ତାହାଲେ ଜୋରଦାର ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛି ପଶ୍ଚିମଓଡିଶା କୃଷକ ସମନ୍ବୟ ସମିତି । ସେହିପରି ଜିଲ୍ଲାରେ ଧାନକ୍ରୟ ହେବ । କିନ୍ତୁ ନିଷ୍ପତ୍ତି ଭୁବନେଶ୍ବରରେ କୃଷି ଓ ଯୋଗାଣ ସଚିବ ନେବେ ।  ଏହାକୁ ନେଇ ବୈଠକରେ ତୀବ୍ର ହଟ୍ଟଗୋଳ ହୋଇଥିଲା । ଏପରି ହେଲେ ଏହି ବୈଠକର କୌଣସି ଆବଶ୍ୟକତା ନାହିଁ ବୋଲି ଚାଷୀମାନେ ମତ ଦେଇଛନ୍ତି ।

{"id":108445}

ଜିଲ୍ଲା ସ୍ତରରେ ରବି ଧାନ କିଣା ନୀତି ପ୍ରସ୍ତୁତ ହୋଇସାରିଥିଲେ ମଧ୍ୟ, ରାଜ୍ୟ ସରକାର ବର୍ତ୍ତମାନ ସୁଦ୍ଧା କେବେ ଆଉ କେତେ ଧାନ କିଣାଯିବ ସେ ନେଇ ନିଷ୍ପତ୍ତି ନେଇନାହାଁନ୍ତି । ପୁଣି ପ୍ରତି ଜିଲ୍ଲାକୁ ଅଲଗା ଅଲଗା ଟାର୍ଗେଟ୍‌ ଦିଆଯାଉଛି ।  ତେଣୁ ଧାନକିଣା ପ୍ରକ୍ରିୟାରେ ଅସୁବିଧା ହେଉଛି ବୋଲି ଜିଲ୍ଲା ଯୋଗାଣ ଅଧିକାରୀ କହିଛନ୍ତି ।

{"id":108446}

ସେହିପରି ଗତ ୨୦୧୭-୧୮ମସିହାର ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଓ ଇନ୍‌ପୁଟ୍ ସବସିଡି ବର୍ତ୍ତମାନ ସୁଦ୍ଧା ଚାଷୀମାନଙ୍କୁ ପ୍ରଦାନ କରାଯାଇନାହିଁ। ଏହାକୁ ନେଇ ଚାଷୀମାନେ ପ୍ରତିବାଦ କରିବାରୁ, ଜିଲ୍ଲାପାଳ ଏହି ସମସ୍ୟାର ଖୁବ୍‌ଶୀଘ୍ର ସମାଧାନ କରାଯିବ ବୋଲି କହିଥିଲେ। ହେଲେ କେବେ ସୁଦ୍ଧା ଚାଷୀଙ୍କ ବୀମାରାଶି ପ୍ରଦାନ, କଟ୍‌ନୀ ଛଟ୍‌ନୀ ବନ୍ଦ କରାଯିବ ସେ ନେଇ ଜିଲ୍ଲାପାଳ କିଛି ସ୍ପଷ୍ଟ ସୂଚନା ପ୍ରଦାନ କରିନାହାନ୍ତି ।

{"id":108447}

ସମ୍ବଲପୁର ଜିଲ୍ଲା ସମେତ ପଶ୍ଚିମ ଓଡିଶାରେ ଧାନକିଣା ସମୟରେ ମିଲ୍‌ ମାଲିକଙ୍କ ହସ୍ତକ୍ଷେପ ରହିବ ନାହିଁ ବୋଲି ହାଇକୋର୍ଟଙ୍କ ନିର୍ଦ୍ଦେଶନାମା ରହିଛି । ତଥାପି ଧାନ କିଣା ବେଳେ, ପ୍ରଶାସନ ମିଲ୍‌ ମାଲିକଙ୍କ ମାଧ୍ୟମରେ ହିଁ ସମସ୍ତ ଧାନ କିଣୁଛି। ଫଳରେ ଚାଷୀ ବାରମ୍ବାର କଟ୍‌ନୀ ଛଟ୍‌ନୀର ଶିକାର ହେଉଛନ୍ତି। ସେହିପରି ଜିଲ୍ଲାରେ ଚାଲିଥିବା ସମବାୟ ସମିତି ମାଧ୍ୟମରେ ଧାନ କିଣିବା ବେଳେ ଚାଷୀ ଓଜନରେ ଠକେଇ ସହ ବସ୍ତା ଓ ହ୍ୟାଣ୍ଡଲିଂ ଚାର୍ଜ ବାବଦକୁ ଲକ୍ଷ ଲକ୍ଷ ଟଙ୍କା ସମିତିର ସଂପାଦକ ଓ ସଭାପତି ହଡପ୍‌ କରୁଥିବା ଅଭିଯୋଗ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.