ଶିଳାନ୍ୟାସ ରାଜନୀତି : ତାରା ବାହିନୀପତି ଓ ରବି ନନ୍ଦଙ୍କ ମଧ୍ୟରେ ଚାଲିଲା ତୁ ତୁ ମେଁ ମେଁ

Published By : Prameya-News7 Bureau | March 06, 2019 IST

ଜୟପୁର ୬/୩ (ପଦ୍ମନାଭ ହୋତା): ଖୁବ ଶୀଘ୍ର ଘୋଷଣା ହେବ ସାଧାରଣ ନିର୍ବାଚନର ତାରିଖ । ଆଉ ଏହା ସହ ଲାଗୁ ହୋଇଯିବ ଆଚରଣ ବିଧି । ତେଣୁ ବିଭିନ୍ନ ଉନ୍ନୟନ କାମର ଶିଳାନ୍ୟାସ ଏବଂ ଉଦଘାଟନରେ ଏବେ ଲାଗି ପଡିଛନ୍ତି ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି । ସରକାରୀ ତେଲରେ ମାଛ ଭାଜିବାକୁ ତାରା ପ୍ରୟାସ କରୁଛନ୍ତି ବୋଲି କହିଛନ୍ତି ତାଙ୍କ ପାରମ୍ପରିକ ବିରୋଧୀ ତଥା ବିଜେଡି ନେତା ରବି ନନ୍ଦ । ରବିଙ୍କ ଅଭିଯୋଗର ଜବାବ ବି ରଖିଛନ୍ତି ତାରା ।
ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ଏବେ ପୁରା ଆକ୍ଟିଭ।ଗାଁଠୁ ସହର ସବୁ ଆଡେ ବୁଲି ଲୋକଙ୍କୁ ଭେଟୁଛନ୍ତି।କେବଳ ଲୋକଙ୍କୁ ଭେଟୁ ନାହାଁନ୍ତି ବିଭିନ୍ନ ପ୍ରକଳ୍ପ ପାଇଁ ଶିଳାନ୍ୟାସ କରୁଛନ୍ତି । ଶେଷ ହୋଇଯାଇଥିବା ପ୍ରକଳ୍ପ ଗୁଡିକର ଉଦଘାଟନରେ ବି ଲାଗିଛନ୍ତି ତାରା । ତେବେ ତାରାଙ୍କ ଏପରି ମାରାଥନ ଶିଳାନ୍ୟାସ ଓ ଉଦଘାଟନୀ କାର୍ଯ୍ୟକ୍ରମକୁ ହଜମ କରି ପାରି ନାହାଁନ୍ତି ତାଙ୍କର ପାରମ୍ପରିକ ପ୍ରତିଦ୍ବନ୍ଦୀ ରବି ନନ୍ଦ।ଆଉ ଦିନେ ଦୁଇ ଦିନ ମଧ୍ୟରେ ନିର୍ବାଚନ ତାରିଖ ଘୋଷଣା ହେବା ସହ ଆଚରଣ ବିଧି ଲାଗୁ ହୋଇଯିବ । ତେଣୁ ବିଧାୟକ ସରକାରୀ ତେଲରେ ମାଛ ଭାଜିବାକୁ ପ୍ରୟାସ କରୁଥିବା କହିଛନ୍ତି ସେ ।
ଜଣେ ବିଧାୟକ ଭାବେ ସରକାରୀ ଯୋଜନାର ଶିଳାନ୍ୟାସ ଓ ଉଦଘାଟନ କରିବା ତାଙ୍କ ଦାୟିତ୍ବ ବୋଲି କହିଛନ୍ତି ତାରା । କାହା ବାପାର ଟଂକାରେ ନିର୍ମାଣ ହେଉଥିବା ପ୍ରକଳ୍ପର ଶିଳାନ୍ୟାସ କି ଉଦଘାଟନ କରୁ ନାହାଁନ୍ତି କହି ତେରେଛା ବାଣ ରବି ନନ୍ଦଙ୍କ ଆଡକୁ ମାରିଛନ୍ତି । ଦୁଇ ନେତାଙ୍କ ଟଣା ଓଟରା ଭିତରେ ବିଜେପି ବି ପ୍ରତିକ୍ରିୟା ରଖିଛି । ଦୁଇ ନେତା ନିଜ କାର୍ଯ୍ୟକାଳ ସମୟରେ ଲୋକଙ୍କ ପାଇଁ କାମ କରି ନାହାଁନ୍ତି।ଆଉ ଏବେ ନିର୍ବାଚନକୁ ଦେଖି ଶ୍ରେୟ ନେବାକୁ ଟଣା ଓଟରା ହେଉଥିବା କହିଛି ବିଜେପି ।ହେଲେ ଲୋକ ସବୁ ବୁଝି ସାରିଛନ୍ତି ।ଠିକଣା ସମୟରେ ଜବାବ ଦେବେ ।
ବିଜେଡି-କଂଗ୍ରେସର କଳି ଭିତରେ କିଏ ବାଜିମାରୁଛି ନା ବିଜେପି ପଟକୁ ଲୋକେ ଢଳିବେ ତାକୁ ଏବେ ଅପେକ୍ଷା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.