‌ଯୌନ ଉତ୍ପୀଡନ ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ R&B ସୁପରଷ୍ଟାର, ମହିଳା ଓ ନାବାଳିକାଙ୍କୁ ଶୋଷଣ ଅଭିଯୋଗରେ ରାୟ ଶୁଣାଇଲେ ଟ୍ରାଏଲ କୋର୍ଟ

Published By : Prameya-News7 Bureau | September 28, 2021 IST

ନୂଆଦିଲ୍ଲୀ ୨୮/୦୯ : R & Bର ସୁପରଷ୍ଟାର ଆର୍‌ କେଲି ଯିଏକି ତାଙ୍କ ପ୍ରସିଦ୍ଧ ଗୀତ “I Believe I Can Fly,”  ପାଇଁ ପ୍ରସିଦ୍ଧି ଲାଭ କରିଥିଲେ, ଏବେ କିନ୍ତୁ ମହିଳା ଏବଂ ନାବାଳିକାଙ୍କୁ ଯୌନ ନିର୍ଯାତନା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ୭ଜଣ ପୁରୁଷ ଏବଂ ୫ ମହିଳା ବିଚାରପତିଙ୍କୁ ନେଇ ଗଠିତ କମିଟି, ଆର୍‌ କେଲିଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ।

ପ୍ରସିଦ୍ଧ ଗାୟକ ଆର୍‌ କେଲି ଜଘନ୍ୟ କାଣ୍ଡରେ ଲିପ୍ତ ଥିଲେ । ମ୍ୟାନେଜର ଏବଂ ଅନ୍ୟ କିଛି ସହଯୋଗୀଙ୍କ ସହାୟତାରେ କମ ବୟସର ଝିଅମାନଙ୍କୁ କେଲିଙ୍କୁ ଭେଟ କରାଉଥିଲେ । ଏହା ପରେ ସେମାନଙ୍କୁ ବିଭିନ୍ନ ଅପରାଧିକ କାର୍ଯ୍ୟକଳାପରେ ଲିପ୍ତ ରଖୁଥିଲେ । କୋର୍ଟ ଟ୍ରାଏଲ ବେଳେ ଅଭିଯୋଗକାରିଣୀ କିଛି ମହିଳା ଏବଂ ଯୁବତୀ ସମସ୍ତ ତଥ୍ୟ ଦେଇଥିଲେ । କୋର୍ଟଙ୍କୁ ସେମାନେ କହିଥିଲେ ଯେ, ନାବାଳିକା ଥିବାବେଳେ କେଲି ସେମାନଙ୍କ ସହିତ ଜୋରଜବରଦସ୍ତ ଶାରୀରିକ ସମ୍ପର୍କ ରଖୁଥିଲେ । ଏହି ଘଟଣା ପ୍ରଥମେ ୧୯୯୪ ମସିହାରେ ଆରମ୍ଭ ହୋଇଯାଇଥିଲା । ଯେତେବେଳେ କି R&B ଫେମ୍‌ ଆଲିୟାଙ୍କୁ ମାତ୍ର ୧୫ ବର୍ଷ ବୟସ ହୋଇଥିବା, କେଲି ତାଙ୍କୁ ବିବାହ କରିଥିଲେ ।

ପରେ ୨୦୦୨ ମସିହାରେ ଜଣେ ୧୪ ବର୍ଷୀୟା ନାବାଳିକାଙ୍କୁ ଯୌନ ନିର୍ଯାତନା ଏବଂ ତାଙ୍କ ଉପରେ ପରିଶ୍ରା କରିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଥିଲା । ଏକ ପ୍ରସିଦ୍ଧ ଡକ୍ୟୁମେଣ୍ଟାରୀ ସିରିଜ୍‌ “Surviving R. Kelly” ରିଲିଜ ହେବାପରେ ଏଥିରେ ଅଭିନୀତ ଅନେକ ଅଭିନେତ୍ରୀ ଯୌନ ନିର୍ଯାତନା ଦିଆଯାଉଥିବା ନେଇ ଅଭିଯୋଗ କରିଥିଲେ । ସେହି ଠାରୁ ହିଁ ଆରମ୍ଭ ହୋଇଥିଲା MeeToo ଯୁଗ ।

ଟ୍ରାଏଲ କୋର୍ଟରେ ଶୁଣାଣି ବେ​‌ଳେ ନାଁ ଗୋପନ ରଖି ଆର୍‌ କେଲିଙ୍କ ବିରୋଧରେ ସାକ୍ଷୀ ପ୍ରଦାନ କରିଛନ୍ତି ଅନେକ ମହିଳା ଯେଉଁମାନେ କି ସେତେବେଳେ ତାଙ୍କ ଯୌନ ଦାଶୀର ଶିକାର ହୋଇଥିଲେ । କେଲିଙ୍କ ପ୍ରଶଂସକଙ୍କ ଠାରୁ ରକ୍ଷା ପାଇବା ପାଇଁ ସେମାନେ ନାଁ ଗୋପନ ରଖି ତାଙ୍କ ବିରୋଧରେ ସାକ୍ଷୀ ପ୍ରଦାନ କରିଥିଲେ । କାରଣ କେଲି ଜେଲରେ ଥି​‌ଲେ ମଧ୍ୟ ଏବେବି ତାଙ୍କର ପ୍ରଶଂସକଙ୍କ ସଂଖ୍ୟା କମ ନାହିଁ ।

୨୦୦୩ ମସିହାରେ ଜଣେ ମହିଳାଙ୍କୁ ଗୀତ ଗାଇବା ପାଇଁ ସୁଯୋଗ ଦେବାକୁ କହି ତାଙ୍କୁ ଚିକାଗୋ ସ୍ଥିତ ଷ୍ଟୁଡିଓକୁ ନେଇଯାଇଥିଲେ କେଲି । ସେଠାରେ ତାଙ୍କୁ ବନ୍ଦ କରି ରଖିବା ସହିତ ନିଶା ଦେଇ ଦୁଷ୍କର୍ମ କରିଥିଲେ । ପରେ ସେଠା​‌ରେ ତାଙ୍କର ମୃତ୍ୟୁ ହୋଇଥିଲା । ଆଉ ଜଣେ ସାକ୍ଷୀ କହିଥିଲେ, ସେ ଯେତେବେଳେ ୧୩/୧୪ ବର୍ଷର ହୋଇଥିଲେ ସେତେବେଳେ କେଲି ତାଙ୍କୁ ଜୋରଜବରଦସ୍ତ ଦୁଷ୍କର୍ମ କରିଥିଲେ । ପରେ ଆର୍‌ କେଲି ଆଲିୟାଙ୍କୁ ବିବାହ କରିଥିଲେ କିନ୍ତୁ ୨୦୦୧ ମସିହାରେ ବିମାନ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ଘଟିଥିଲା ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.