କଟକ ସିରିଜ ମର୍ଡର ଘଟଣାରେ ପୋଲିସ ଗିରଫ କରିଥିବା ନାରାୟଣ ସାହୁ ପ୍ରକୃତ ଅଭିଯୁକ୍ତ କି ନାହିଁ ସୃଷ୍ଟି ହେଲାଣି ସନ୍ଦେହ, ପୋଲିସର ପାରିବା ପଣିଆ ଉପରେ ପ୍ରଶ୍ନ

Published By : Prameya-News7 Bureau | August 04, 2019 IST

କଟକ ୪|୮: କଟକରେ ୨୪ ଘଣ୍ଟାରେ ତିନୋଟି ହତ୍ୟାକାଣ୍ଡ ଘଟିବା ଓ ସେହି ଘଟଣାରେ ଅଭିଯୁକ୍ତ ନାରାୟଣ ସାହୁଙ୍କୁ ଗିରଫ କରିବାକୁ ନେଇ ପୋଲିସର ଭୂମିକା ଏବେ ସନ୍ଦେହ ଘେରରେ । ପୋଲିସ କମିଶନର ଓ ଡିସିପିଙ୍କ କଥାରେ ତାଳ ମେଳ ରହୁନଥିବାରୁ ପ୍ରକୃତରେ ହତ୍ୟାକାଣ୍ଡ ନାରାୟଣ ଘଟାଇଛନ୍ତି ନାଁ ହତ୍ୟାକାରୀ ଆଉ କିଏ, ଯିଏ ଏବେବି ପୋଲିସକୁ ଚକ୍‌ମା ଦେଇ ବାହାରେ ବୁଲୁଛି ତାକୁ ନେଇ ଉଠିଛି ପ୍ରଶ୍ନ ।

କଟକରେ ୨୪ ଘଣ୍ଟା ଭିତରେ ତିନୋଟି ହତ୍ୟାକାଣ୍ଡ ପରେ ପୂରା ଚାପରେ ଥିଲା ପୋଲିସ । ହତ୍ୟାକାଣ୍ଡ ପରେ କଣ ଥିଲା ପୋଲିସ କମିଶନରଙ୍କ ବୟାନ ଏବଂ ଅଭିଯୁକ୍ତ ନାରାୟଣ ସାହୁ ଗିରଫ ପରେ କଣ କଟକ ଡିସିପିଙ୍କ ଭିନ୍ନ ଭିନ୍ନ ବିବୃତ୍ତି ଥିଲା । ପୋଲିସ କମିଶନର ଏବଂ କଟକ ଡିସିପିଙ୍କ କଥାରେ ତାଳ ମେଳ ନ ରହିବା ଏବେ ପୋଲିସର ଭୂମିକାକୁ ସନ୍ଦେହ ଘେରକୁ ଆଣିଛି।

ସନ୍ଦେହ ନମ୍ବର-୧

ପୂର୍ବରୁ ଜଣେ ଲୋକ ସମାନ ଢଙ୍ଗରେ ୩ଟି ଯାକ ହତ୍ୟାକାଣ୍ଡ ଘଟାଇଥିବା ପୋଲିସ୍ କହିଥିଲା । ଏବେ ରାଣୀହାଟ ହତ୍ୟା କାଣ୍ଡରେ ନାରାୟଣଙ୍କର ସଂପୃକ୍ତି ନଥିବା କଟକ ଡିସିପି କହିଛନ୍ତି । ଯଦି ଆଉ ଜଣେ ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତ, ସେ ସମ୍ପର୍କରେ ଏଯାଏଁ କାହିଁକି ପୋଲିସ ପାଖରେ କୌଣସି ସୁରାକ୍ ନାହିଁ।

ସନ୍ଦେହ ନମ୍ବର-୨

ହତ୍ୟାକାଣ୍ଡରେ କୁରାଢ଼ୀ ବ୍ୟବହାର କରାଯାଇଥିବା ପୋଲିସ ଦେଖାଇଥିଲା । କିନ୍ତୁ ହତ୍ୟାକାଣ୍ଡରେ ଫାର୍ସା ବ୍ୟବହୃତ ହୋଇଥିବା ପୋଲିସ ଫରଓ୍ବାର୍ଡିଂ ରିପୋର୍ଟରେ ଦର୍ଶାଇଛି ।

ସନ୍ଦେହ ନମ୍ବର-୩

ପୋଲିସର କିଛି କାର୍ଯ୍ୟକଳାପ ହିଁ ଅଧିକ ସନ୍ଦେହ ସୃଷ୍ଟି କରୁଛି । ଜୁଲାଇ ୨୩ରେ ଓମ୍‌ପି ଛକରେ ଘଟିଥିବା ଡବଲ୍ ମର୍ଡର ସ୍ଥାନକୁ ପୋଲିସ ସାଇଣ୍ଟିଫିକ୍ ଟିମ୍ ସହ ଯାଇଥିଲା । ସେଦିନ ଘଟଣାସ୍ଥଳରୁ ମାରଣାସ୍ତ୍ର କିମ୍ବା ଅଭିଯୁକ୍ତଙ୍କ ଡ୍ରେସ୍ ମିଳିନଥିଲା। କିନ୍ତୁ ଘଟଣାର ଆଠ ଦିନ ପରେ ଘଟଣାସ୍ଥଳରୁ ପୋଲିସ କୁରାଢୀ ଏବଂ ସାର୍ଟ ଜବତ କଲା ।

ସନ୍ଦେହ ନମ୍ବର-୪

ପୋଲିସ ହତ୍ୟାରେ ବ୍ୟବହୃତ ଯେଉଁ କୁରାଢୀ ଦେଖାଇଛି, ତାହା ସମ୍ପୂର୍ଣ୍ଣ ନୂଆ । ଏପରି କି କୁରାଢୀରେ ଧାର ମଧ୍ୟ ନାହିଁ। ଏହି କୁରାଢୀରେ ହାଣି ହତ୍ୟା କଲେ ଗଭୀର କ୍ଷତ ଚିହ୍ନ ରହିବା ସହ ବେକର ଅଧିକାଂଶ ଅଂଶ ଛିଣ୍ଡିଯିବା କଥା । କିନ୍ତୁ ହତ୍ୟାକାଣ୍ଡର ଶୀକାର ଦୁଇ ଜଣଙ୍କ ବେକକୁ ଧାରୁଆ ଅସ୍ତ୍ରରେ କଟା ଯାଇଥିବାର ଦାଗ ରହିଛି।

ସନ୍ଦେହ ନମ୍ବର-୫

ଯଦି ନାରାୟଣ ଏହି ନୂଆ କୁରାଢୀରେ ହତ୍ୟା କରିଥାନ୍ତି, ତେବେ ଏହାକୁ କେଉଁଠୁ ଆଣିଲେ, ସେ ବାବଦରେ ପୋଲିସ୍ କିଛି ସ୍ପଷ୍ଟ କରୁ ନାହିଁ କାହିଁକି । ଯଦି ନାରାୟଣ କିଣିଛନ୍ତି, ସଂପୃକ୍ତ ଦୋକାନୀଙ୍କ ବୟାନ ପୋଲିସ ରେକର୍ଡ କରିବା କଥା । ପୋଲିସର ଏଭଳି ଭୂମିକାକୁ ନେଇ ଅନେକ ପ୍ରଶ୍ନ ଉଠାଇଛନ୍ତି ଆଇନଜୀବୀ।

ଓଏମପିରେ ଘଟିଥିବା ଦୁଇ ହତ୍ୟା କାଣ୍ଡରେ ସମ୍ପୃକ୍ତି ଦର୍ଶାଇ ପୋଲିସ ନାରୟଣଙ୍କୁ ଗିରଫ କରିଛି। ତେବେ ରାଣୀହାଟ ହତ୍ୟା କାଣ୍ଡର ଗୁମର ଖୋଲିବା ପାଇଁ ପୋଲିସ କାହିଁକି ଉଦ୍ୟମ କରୁ ନାହିଁ । ଏଠାରେ ପୋଲିସର ଦକ୍ଷତା ଉପରେ ମଧ୍ୟ ଉଠିଛି ପ୍ରଶ୍ନ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.