ମୋଦୀ ସରକାରଙ୍କ ମନ୍ତ୍ରୀ ନିଶିଥ ପ୍ରମାଣିକଙ୍କ ନାଗରିକତା ଉପରେ ଉଠିଲା ପ୍ରଶ୍ନ, ରାଜ୍ୟସଭାରେ ଜୋରଦାର ହଙ୍ଗାମା

Published By : Prameya-News7 Bureau | July 19, 2021 IST

ନୂଆଦିଲ୍ଲୀ ୧୯।୦୭:  ସଂସଦରେ ସୋମବାରଠୁ ମୌସୁମି ଅଧିବେଶନ ଆରମ୍ଭ ହୋଇ ଯାଇଛି। ହେଲେ ଆରମ୍ଭରୁ ବିରୋଧୀଙ୍କ ହଟ୍ଟଗୋଳରେ କମ୍ପି ଉଠିଛି ଗୃହ। ନିକଟରେ ମନ୍ତ୍ରିମଣ୍ଡଳରେ ମନ୍ତ୍ରୀ ଭାବେ ଶପଥ ନେଇଥିବା ନିଶିଥ ପ୍ରମାଣିକଙ୍କ ନାଗରିକତାକୁ ନେଇ ରାଜ୍ୟସଭାରେ ହଙ୍ଗାମା ହୋଇଛି। ତୃଣମୂଳ କଂଗ୍ରେସ ସାଂସଦ ସୁଖେନ୍ଦୁ ଶେଖର ରାୟ ଗୃହରେ ରାଷ୍ଟ୍ର ମନ୍ତ୍ରୀ ନିଶିଥ ପ୍ରମାଣିକଙ୍କ ନାଗରିତା ଉପରେ ପ୍ରଶ୍ନ ଉଠାଇବା ପରେ ଗୃହରେ ଖୁବ୍ ହଟ୍ଟଗୋଳ ହୋଇଛି।

ଏହା ପୂର୍ବରୁ ଆସାମର ରାଜ୍ୟ କଂଗ୍ରେସ ସଭାପତି ତଥା ରାଜ୍ୟସଭା ସାଂସଦ ରିପୁନ ବୋରା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାରରେ ନବ ନିଯୁକ୍ତ ଗୃହ ରାଷ୍ଟ୍ର ମନ୍ତ୍ରୀ ନିଶିଥ ପ୍ରମାଣିକଙ୍କ ନାଗରିକତା ନେଇ ଯାଞ୍ଚ କରିବାକୁ ଅପିଲ୍ କରିଥିଲେ।  ବୋରା କହିଥିଲେ, ଗଣମାଧ୍ୟମର ଏକ ବର୍ଗ ପ୍ରମାଣିକ ବାଂଲାଦେଶୀ ନାଗରିକ ବୋଲି ଅଭିଯୋଗ କରୁଛନ୍ତି। କଂଗ୍ରେସ ସାଂସଦ ଜୁଲାଇ ୧୬ରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ  ଚିଠି ଲେଖି ଏହାର ତଦନ୍ତ କରିବାକୁ ଅନୁରୋଧ କରିଥିଲେ।

ବୋରା ପ୍ରଧାନମନ୍ତ୍ରୀଙ୍କୁ ଚିଠିରେ ଲେଖିଛନ୍ତି ଯେ, ନିଶିଥ ପ୍ରମାଣିକଙ୍କ ବାସ୍ତବିକ ଜନ୍ମସ୍ଥାନ ଓ ନାଗରିକତା ବିଷୟରେ ପାରଦର୍ଶି ଭାବେ ଯାଞ୍ଚ କରାଯାଇ ଏହା ଉପରେ ସ୍ପଷ୍ଟ କରିବାକୁ ଆପଣଙ୍କୁ ଅନୁରୋଧ କରୁଛି। କାରଣ ଏହା ପୂରା ଦେଶରେ ଭ୍ରମ ଉତ୍ପନ କରୁଛି।

ପଶ୍ଚିମବଙ୍ଗର କୁଚବିହାରୁ ପ୍ରଥମ ଭାରତୀୟ ଜନତା ପାର୍ଟି(ବିଜେପି)ର ସାଂସଦ ହୋଇଥିବା ପ୍ରମାଣିକଙ୍କୁ ଚଳିତ ମାସ ପ୍ରାରମ୍ଭରେ ହୋଇଥିବା ମନ୍ତ୍ରିମଣ୍ଡଳ ସଂପ୍ରସାରଣରେ ସାମିଲ କରାଯାଇଥିଲା। ସେ ଏହା ପୂର୍ବରୁ ଟିଏମସିରେ ଥିଲେ। ୨୦୧୯ ଲୋକସଭା ନିର୍ବାଚନ ପୂର୍ବରୁ ପ୍ରମାଣିକ  ବିଜେପିରେ ଯୋଗ ଦେଇଥିଲେ।  ପଶ୍ଚିମବଙ୍ଗ  ବିଜେପି ପକ୍ଷରୁ ପ୍ରତି ଜବାବ ଦିଆଯାଇ କୁହାଯାଇଛି ଯେ, ଏହା ମାତ୍ର ଏକ ଅଭିଯୋଗ। ବିରୋଧୀ ପ୍ରମାଣ ଦିଅନ୍ତୁ ବୋଲି ବିଜେପି କହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.