ପ୍ରଶ୍ନ କାହିଁକି ନିର୍ଭୟାକାଣ୍ଡରେ ଅଭିଯୁକ୍ତମାନେ ଦଣ୍ଡ ପାଇନାହାନ୍ତି-ମର୍ସି ପିଟିସନ୍କୁ ଖାରିଜ କରିବାକୁ ସୁପାରିଶ
6/12/2019 at 11:13 PM

ନୂଆଦିଲ୍ଲୀ ୦୬।୧୨ – ହାଇଦ୍ରାବାଦରେ ପୋଲିସ ଏନକାଉଣ୍ଟରରେ ୪ ଦୁଷ୍କର୍ମୀଙ୍କ ମୃତ୍ୟୁ ପରେ ଚାରିଆଡେ ହାଇଦ୍ରାବାଦ୍ ପୋଲିସକୁ ମିଳୁଛି ସମର୍ଥନ । ତେବେ ଲୋକଙ୍କ ଏଭଳି ସମର୍ଥନ ପଛରେ ବିଭିନ୍ନ କାରଣ ମଧ୍ୟରୁ ଗୋଟିଏ ଦିଲ୍ଲୀ ନିର୍ଭୟା ଦୁଷ୍କର୍ମ ଓ ହତ୍ୟା , ଉନ୍ନାଓ ମାମଲାର ଦୋଷୀଙ୍କୁ ଏ ପର୍ଯ୍ୟନ୍ତ ଦଣ୍ଡ ନମିଳିବା ।

ହାଇଦ୍ରାବାଦ ପୋଲିସକୁ ଲୋକଙ୍କ ବିପୁଳ ସମର୍ଥନ । ତା ସହିତ ପ୍ରଶ୍ନ କାହିଁକି ନିର୍ଭୟାକାଣ୍ଡରେ ଅଭିଯୁକ୍ତମାନେ ଦଣ୍ଡ ପାଇନାହାନ୍ତି। ଆଜି ଡିସେମ୍ବର ୬ ଆଉ ଦଶ ଦିନ ପରେ ଘଟଣାକୁ ୭ ବର୍ଷ ହେବ। ଦିଲ୍ଲୀ ନିର୍ଭୟା ମାମଲାରେ ଏଯାଏଁ ପରିବାର ଲୋକଙ୍କୁ ମିଳିନି ନ୍ୟାୟ ? ଦୋଷୀଙ୍କୁ ଦିଆଯାଇନି ଫାଶି । ଗତ ୭ ବର୍ଷ ହେଲା ଜେଲ୍ରେ ଅଛନ୍ତି ୪ ଦୁଷ୍କର୍ମକାରୀ ୪ ହତ୍ୟାକାରୀ । ଅଢେଇ ବର୍ଷ ହେଲାଣି ୪ ଦୋଷୀଙ୍କୁ ସୁପ୍ରିମ୍କୋର୍ଟ ଫାଶି ଦଣ୍ଡାଦେଶ ଦେଇଥିଲେ ବି ଏହା କାର୍ଯ୍ୟକାରୀ ହୋଇପାରିନି ।

ହାଇଦ୍ରାବାଦ୍ ଦିଶା ମାମଲାରେ ଏନକାଉଣ୍ଟର ହୋଇଥିବା ବେଳେ ତେଣେ ଗୃହ ମନ୍ତ୍ରାଳୟ ନିର୍ଭୟା ଫାଇଲ୍ ରାଷ୍ଟ୍ରପତିଙ୍କ ପାଖକୁ ପଠାଇଛି । ଦୋଷୀମାନଙ୍କ ମର୍ସି ପିଟିସନ୍ କୁ ଖାରିଜ କରିବାକୁ ସୁପାରିଶ କରାଯାଇଛି । ଯାହା ଦ୍ବାରା ୪ ଅପରାଧୀ ଫାଶି ଖୁଣ୍ଟରେ ଖୁବ୍ ଶିଘ୍ର ଝୁଲିପରିବେ ।

ସେହିଭଳି ଉନ୍ନାଓ ମାମଲାରେ ନାବାଳିକାଙ୍କୁ ଜଣେ ବିଧାୟକ ତାଙ୍କ ଭାଇ ଅନ୍ୟମାନେ ଦୁଷ୍କର୍ମ କରିଥିଲେ ବି ତାଙ୍କୁ ନ୍ୟାୟ ନମିଳିଲା ନାହିଁ । ଏପରିକି ତାଙ୍କ ପିତାଙ୍କୁ ପୋଲିସ ନିର୍ଯାତନା ଦେଇମାରିଦେବାର ଅଭିଯୋଗ ଉଠିଲା ।

ପୀଡିତାଙ୍କୁ ମାରିଦେବାକୁ ଚକ୍ରାନ୍ତ କରାଯାଇ ତାଙ୍କ କାର ଉପରେ ଟ୍ରକ୍ ଚଢାଇ ଦିଆଗଲା । ଯେଉଁଥିରେ ତାଙ୍କ ପରିବାରର ୨ ସଂପର୍କୀୟଙ୍କ ମୃତ୍ୟୁ ହୋଇଥିଲା ଓ ପୀଡିତା ଗୁରୁତର ଆହତ ହୋଇଥିଲେ । ମାମଲା ସୁପ୍ରିମ୍କୋର୍ଟରେ ପହଞ୍ଚିବା ପରେ ଘଟଣାର ସିବିଆଇ ତଦନ୍ତ ଦିଆଯାଇଛି ।

ଆଉ ଏ ଘଟଣା ମନରୁ ଲିଭିନି, ସେହି ଉନ୍ନାଓରେ ଜଣେ ଯୁବତୀଙ୍କୁ କିଛି ଦୁର୍ବୃତ୍ତ ପୋଡ଼ି ମାରିବାକୁ ଉଦ୍ୟମ କରିଥିଲେ।

ଆଉ ଏହି ଦୁର୍ବୃତ୍ତଙ୍କ ମଧ୍ୟରୁ ଜଣେ ସଂପୃକ୍ତ ଯୁବତୀଙ୍କୁ ଗତ ମାର୍ଚ୍ଚ ମାସରେ ଦୁଷ୍କର୍ମ କରିଥିଲେ। ଏଭଳି ଜଘନ୍ୟ କାଣ୍ଡ ଘଟାଉଥିବା ଅଭିଯୁକ୍ତମାନେ ଜେଲ୍ରେ ରହୁଛନ୍ତି, ଦିନ ପରେ ଦିନ ଗଡୁଛି କିନ୍ତୁ ପୀଡ଼ିତା ନ୍ୟାୟ ପାଉନାହାନ୍ତି। ଯେଉଁଥିପାଇଁ ହାଇଦ୍ରାବାଦ ପୋଲିସର ସ୍ପଷ୍ଟ ଏନକାଉଣ୍ଟରକୁ ସାରା ଦେଶରୁ ମିଳିଛି ସମର୍ଥନ।