ହତ୍ୟା ମାମଲାର ରାୟ ଆସିବାକୁ ଲାଗିଗଲା ୩୨ବର୍ଷ : କୋର୍ଟ ଶୁଣାଇଲେ ୫ବର୍ଷ ଜେଲ୍, ବିଳମ୍ବ ଓ ବାର୍ଦ୍ଧକ୍ୟ ନେଇ ଉଠିଲାଣି ପ୍ରଶ୍ନ

Published By : Prameya-News7 Bureau | August 29, 2020 IST

ରାଇରଙ୍ଗପୁର ୨୯।୮: ୩୨ ବର୍ଷ ପୁରୁଣା ମାମଲାର ରାୟ ପ୍ରକାଶ କରିଛନ୍ତି ହାଇକୋର୍ଟ । ଏକ ହତ୍ୟା ମାମଲାରେ ନିମ୍ନ ଅଦାଲତ ଦ୍ବାରା ୭ ବର୍ଷ ଜେଲଦଣ୍ଡରେ ଦଣ୍ଡିତ ହୋଇଥିବା ଅସାମୀର ଦଣ୍ଡକୁ କାଏମ ରଖିଥିଲେ ମଧ୍ୟ ଦଣ୍ଡ ସମୟକୁ ୨ବର୍ଷ କୋହଳ କରିଛନ୍ତି ।

୩୨ ବର୍ଷ ତଳର ଏହି ମାମଲାରେ ଜାମିନରେ ଥିବା ଅଭିଯୁକ୍ତର ବୟସ ଏବେ ୬୫ ବର୍ଷ । ପରେ ତାଙ୍କର ଅନ୍ୟ କୌଣସି କେଶ ନ ଥିବା କୋର୍ଟ ଜାଣିବାକୁ ପାଇ ଅଭିଯୁକ୍ତଙ୍କୁ ୫ ବର୍ଷ ଜେଲଦଣ୍ଡ ଭୋଗିବାକୁ ପଡ଼ିବ ବୋଲି କୋର୍ଟ ନିଜ ନିର୍ଦ୍ଦେଶରେ ସ୍ପଷ୍ଟ କରିଛନ୍ତି ।

{"id":322031,"sizeSlug":"large"}

ମୟୁରଭଂଜ ଜିଲ୍ଲା ଗୋରୁମହିଷାଣୀ ଥାନା କେନ୍ଦୁଆ ଗ୍ରାମର ଆସାମୀ ଗୁଲାଇ ମାଝୀର ଆବେଦନକୁ ଖାରଜ କରିବା ଅବସରରେ ହାଇକୋର୍ଟ ବିଚାରପତି ଜଷ୍ଟିସ ସଙ୍ଗମ କୁମାର ସାହୁ ଏହି ନିର୍ଦ୍ଦେଶ ଦେଇଛନ୍ତି ।

ମାମଲାରୁ ଜଣାପଡିଛି ଯେ, କେନାଲରେ ବନ୍ଧ ବାନ୍ଧିବାକୁ ନେଇ ଏକ ଗଣ୍ଡଗୋଳରେ କନ୍ଧ ମାଝୀଙ୍କୁ ଗୁଲାଇ ମାଝି ହତ୍ୟା କରିଥିବାରୁ ପୋଲିସ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ମୟୁରଭଂଜ ଜିଲ୍ଲା ଦୌରା ଜଜ୍ ୧୯୮୮ ମସିହା ଅକ୍ଟୋବର ୩ ତାରିଖରେ ମାମଲାର ରାୟ ପ୍ରକାଶ କରି ଗୁଲାଇଙ୍କୁ ଦୋଷୀ ସାବ୍ୟସ୍ତ କରି ୭ବର୍ଷ ଜେଲଦଣ୍ଡରେ ଦଣ୍ଡିତ କରିଥିଲେ । ଗୁଲାଇ ଏହା ବିରୋଧରେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ହାଇକୋର୍ଟ ସେହି ବର୍ଷ ନଭେମ୍ବର ୧୫ତାରିଖରେ ଗୁଲାଇଙ୍କୁ ଜାମିନ ପ୍ରଦାନ କରିଥିଲେ । ସେବେଠାରୁ ଏହି ମାମଲା କୋର୍ଟରେ ଗଡି ଆସୁଥିଲା ।

{"id":322032,"sizeSlug":"large"}

ଗୁଲାଇ ମାଝୀ ଘଟଣା ପରଠାରୁ ଜାମିନ ମିଳିବା ଭିତରେ ମୋଟ ୪ ମାସ ଜେଲଦଣ୍ଡ ଭୋଗି ସାରିଛନ୍ତି । ଅଭିଯୁକ୍ତ ଗୁଲାଇକୁ ନିମ୍ନ ଅଦାଲତରେ ଆସନ୍ତା ଦୁଇ ସପ୍ତାହ ମଧ୍ୟରେ ହାଜର ହେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଯଦି ସେ ଧାର୍ଯ୍ୟ ସମୟ ମଧ୍ୟରେ ହାଜର ନ ହୁଅନ୍ତି ତାହେଲେ ନିମ୍ନ ଅଦାଲତ ଆବଶ୍ୟକ ପଦକ୍ଷେପ ନେବାକୁ ହାଇକୋର୍ଟ ରାୟରେ ଉଲ୍ଲେଖ କରିଛନ୍ତି ।

ତେବେ ଏତେ ବିଳମ୍ବରେ ମିଳିଥିବା ନ୍ୟାୟ ଉପରେ ଆଇନଗତ ବିତର୍କ ସୃଷ୍ଟି ହୋଇଛି । କିଛି ଲୋକଙ୍କ କହିବା କଥା ସଠିକ ସମୟରେ ମୃତକ ତଥା ମୃତକଙ୍କ ପରିବାରକୁ ନ୍ୟାୟ ମିଳି ନ ପାରିବା ନ୍ୟାୟ ନୁହେଁ । ଅନ୍ୟପଟେ ଯେତେବେଳେ ଅଭିଯୁକ୍ତଙ୍କ ବୟସ ୬୫ରୁ ଉର୍ଦ୍ଧ୍ବ ହୋଇଯାଇଛି ତାଙ୍କୁ ଜେଲ ପଠାଇବା କେତେ ଯଥାର୍ଥ । ପରିବାର ଲୋକେ ମଧ୍ୟ ପୁନର୍ବିଚାର ଦାବି କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.