ଘରୋଇ ଛାତ୍ରୀନିବାସର ସୁରକ୍ଷା ଚିନ୍ତା : ଅଛି କି ଗାଇଡ୍ଲାଇନ୍ସ, ହେଉଛି କି ଯାଞ୍ଚ ? ଏମିତି ପ୍ରଶ୍ନ ସହ ଛାତ୍ରୀଙ୍କୁ ଶୋଷଣରୁ ସୁରକ୍ଷା ପାଇଁ ବୁଦ୍ଧିଜୀବୀଙ୍କ ପରାମର୍ଶ
5/02/2020 at 3:51 PM

ଭୁବନେଶ୍ବର ୫।୨: ଭଦ୍ରକ ବାସୁଦେବପୁର କଲେଜ ଛାତ୍ରୀ ମୃତ୍ୟୁ ଘଟଣାର ଗୁମର ଫିଟୁଛି । ତେବେ ରାଜ୍ୟରେ ଛତୁ ଫୁଟିଲା ଭଳି ଯେଉଁ ସବୁ ପ୍ରାଇଭେଟ୍ ମେସ୍ ଖୋଲିଛି ତା ଉପରେ ସରକାରଙ୍କର କଣ ନୀତି ରହିଛି । ପ୍ରଶାସନ ଏହା ଉପରେ ଅଙ୍କୁଶ ଲଗାଇବାର ଆବଶ୍ୟକତା ରହିଛି ନା ନାହିଁ । ଏହା ଉପରେ ନିଜ ମତ ରଖିଛନ୍ତି ଅନେକ ବୁଦ୍ଧିଜୀବୀ ।
ଛାତ୍ରଛାତ୍ରୀଙ୍କ ପାଇଁ ଛତୁ ଫୁଟିଲା ଭଳିଆ ପ୍ରାଇଭେଟ୍ ମେସ୍ । କିନ୍ତୁ ମେସର କାର୍ଯ୍ୟ ଉପରେ ନାହିଁ ସରକାରଙ୍କ ନଜର। ମେସ୍ ଗୁଡିକ ପଞ୍ଜୀକୃତ କି ନୁହେଁ । ପ୍ରଶାସନ ପାଖରେ ଏହାର ହିସାବ ଅଛି କି ନା ସେନେଇ ସୃଷ୍ଟି ହୋଇଛି ପ୍ରଶ୍ନ । ଭଦ୍ରକର ଏକ ପ୍ରାଇଭେଟ୍ ମେସ୍ ରେ ରହୁଥିବା ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଓ ମେସ୍ ମାଲିକ ଛାତ୍ରୀଙ୍କ ପ୍ରତି ଅସଦାଚରଣ ଘଟଣା ସାମ୍ନାକୁ ଆସିବା ପରେ ମେସ୍ ଗୁଡିକରେ ରହୁଥିବା ଛାତ୍ରୀଙ୍କ ସୁରକ୍ଷା ପ୍ରତି ଉଠିଛି ପ୍ରଶ୍ନ । ବିଭିନ୍ନ ଏନ୍ଏସି, ମ୍ୟୁନିସପାଲଟି, ମହାନଗର ନିଗମରେ ଶହ ଶହ ସଂଖ୍ୟାରେ ପ୍ରାଇଭେଟ୍ ମେସ୍ ଖୋଲିଛି । ଖୋଲିଥିବା ମେସ୍ ବା ଛାତ୍ରୀନିବାସରେ ନା ରହିଛି ଆନୁସଙ୍ଗିକ ସୁବିଧା ନା ଛାତ୍ରୀଙ୍କ ସୁରକ୍ଷା ପ୍ରତି ଦିଆଯାଉଛି ଧ୍ୟାନ । ମୁନାଫାଖୋର ଘର ମାଲିକ ଅର୍ଥ ଲୋଭରେ ପିଲାଙ୍କୁ ବେଡ୍ ବିକ୍ରି କରୁଛନ୍ତି । ଆଉ ସେଠାରେ ପାଠ ପାଇଁ କଷ୍ଟ ଆଦରିବା ନାଁରେ ଶୋଷଣର ଶିକାର ହେଉଛନ୍ତି ଛାତ୍ରୀ ।
ଏନେଇ ନ୍ୟୁଜ୍ ସେଭେନ୍ ସରକାରଙ୍କୁ ଅପିଲ୍ କରୁଛି ଯେ, ଏଭଳି ମେସ୍ ବା ହଷ୍ଟେଲଗୁଡିକର ଛାନଭିନ୍ ହେଉ । ପଞ୍ଜୀକୃତ ମେସ୍ ଓ ଅଣ ପଞ୍ଜୀକୃତ ମେସ୍ ସଂଖ୍ୟା କେତେ ତାର ତଥ୍ୟ ହାସଲ କରାଯାଉ । ମେସ୍ ଗୁଡିକ ନିୟମ ଅନୁଯାୟୀ କାମ କରୁଛନ୍ତି କି ନା, ଛାତ୍ରଛାତ୍ରୀଙ୍କ ରହିବା ପାଇଁ ଆନୁସଙ୍ଗିକ ବ୍ୟବସ୍ଥା ଅଛି ନା ନାହିଁ ତାର ଯାଞ୍ଚ ହେଉ । ମେସ୍ ଗୁଡିକରେ ସିସିଟିଭି କ୍ୟାମେରା ଲାଗିଛି କି ନାହିଁ, ସିକ୍ୟୁରିଟି ଗାର୍ଡ ରହୁଛନ୍ତି କି ନାହିଁ ତା ଉପରେ ଧ୍ୟାନ ଦିଆଯାଉ । ମ୍ୟୁନିସପାଲଟି, ଏନଏସି, ମହାନଗର ନିଗମଗୁଡିକୁ ଏହାର ତଦାରଖ ଦାୟିତ୍ବ ଦିଆଯାଇ ଏଭଳି ମେସ୍ ଗୁଡିକ ଜିଲ୍ଲାପାଳଙ୍କ ନିୟନ୍ତ୍ରଣ ଭିତରେ ରହୁ । ଏନେଇ ତୁରନ୍ତ କମିଟି ଗଠନ କରାଯାଇ ସମସ୍ତ ମେସ୍ ର ହିସାବ ନେବା ସହ ଏମାନଙ୍କ ଲାଇସେନ୍ସ ପ୍ରକ୍ରିୟାକୁ ତ୍ବରାନ୍ବିତ କରାଯାଉ ।
ବେଆଇନ ଭାବେ ପିଲାମାନଙ୍କୁ ରଖି ଘରମାଲିକ ଅଧିକ ଅର୍ଥ ଆଦାୟ କରୁଛନ୍ତି କିମ୍ବା ଭଦ୍ରକ ଘଟଣା ଭଳି ଯୌନ ଶୋଷଣ କରୁଛନ୍ତି ସେମାନଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । ସରକାରଙ୍କ ସ୍କାନର ଭିତରେ ଏହି ମେସ୍ ଗୁଡିକ ରହୁ ବୋଲି ଅପିଲ୍ କରିଛନ୍ତି ଅଭିଭାବକମାନେ । ଖାଲି ସେତିକି ନୁହେଁ ଭଦ୍ରକ ଛାତ୍ରୀଙ୍କ ମୃତ୍ୟୁର ମଧ୍ୟ ଅନୁଧ୍ୟାନ କରିବାକୁ ଦାବି ହୋଇଛି। ସରକାର ଏଦିଗରେ ପଦକ୍ଷେପ ନେଲେ ବିନି ଭଳି ଅନେକ ଝିଅ ଶୋଷଣ ହେବାର ଶିକାର ହେବେ ନାହିଁ କିମ୍ବା ତାଙ୍କର ଅକାଳ ମୃତ୍ୟୁ ହେବନି ବୋଲି ଆଶା କରାଯାଉଛି ।