ସ୍ମିତାରାଣୀ ରିସ୍‌ଭିଡ୍‌ ଡେଡ୍‌- ଗେଷ୍ଟ ହାଉସରେ କ'ଣ ହେଲା, କିଏ ମାରିଲା ? କେତୋଟି ପ୍ରଶ୍ନ…

Published By : Prameya-News7 Bureau | October 17, 2019 IST

ଯାଜପୁର - ମହିଳା ସରକାରୀ କର୍ମଚାରୀ ସରକାରୀ କାମରେ ଯାଇଥିବା ବେଳେ ସରପଞ୍ଚଙ୍କ ସ୍ୱାମୀଙ୍କ ଗେଷ୍ଟ ହାଉସରେ ଝୁଲନ୍ତା ଅବସ୍ଥାରେ ତାଙ୍କର ମୃତ ଦେହ ଉଦ୍ଧାର ହୋଇଥିଲା। ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ରିସ୍‌ଭିଡ୍‌ ଡେଡ୍‌ ବା ମୃତ ଘୋଷଣା କରିଥିଲେ।


ମୃତ ପଞ୍ଚାୟତ ନିର୍ବାହୀ ଅଧିକାରୀ ସ୍ମିତାରାଣୀ ବିଶ୍ବାଳ ବିବାହିତା। ତାଙ୍କର ଗୋଟିଏ ଝିଅ ଅଛି । ତାଙ୍କ ସ୍ୱମୀ ପେଷାରେ ଇଞ୍ଜିନିୟର । ଯାଜପୁର ଧର୍ମଶାଳା ବ୍ଲକର ହରିଦାସପୁର ପଞ୍ଚାୟତରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ଭାବେ ସ୍ମିତାରାଣୀ କାର୍ଯ୍ୟ କରୁଥିଲେ ।


ସ୍ମିତାରାଣୀ ସରକାରୀ କାର୍ଯ୍ୟରେ ଥିବାବେଳେ କଅଣ ପାଇଁ ସରପଞ୍ଚଙ୍କ ସ୍ୱାମୀଙ୍କ ଗେଷ୍ଟ ହାଉସକୁ ଯାଇଥିଲେ, ସେଠାରେ ଝୁଲନ୍ତା ଅବସ୍ଥାରେ ତାଙ୍କର ମୃତ ଦେହ ଉଦ୍ଧାର ହେଲା ତାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି ।

ସୂଚନାଯୋଗ୍ୟ ବୁଧବାରରେ ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ୍ ହରିଦାସପୁର ପଞ୍ଚାୟତର ମହିଳା ପଞ୍ଚାୟତ ନିର୍ବାହୀ ଅଧିକାରୀ ସ୍ମିତାରାଣୀ ବିଶ୍ବାଳ ହିତାଧିକାରୀଙ୍କୁ ମାସିକ ଭତ୍ତା ବଣ୍ଟନ କରିବାକୁ ଯାଇଥିଲେ । ସେ ହରିଦାସପୁର ପଞ୍ଚାୟତ କାର୍ଯ୍ୟାଳୟକୁ ପୂର୍ବାହ୍ନରେ ପ୍ରାୟ ୧୧ଟା ବେଳେ ବ୍ଲକ୍ କାର୍ଯ୍ୟାଳୟରୁ ବାହାରି ହରିଦାସପୁର ଯାଇଥିଲେ । ସେଠାରୁ ସରପଞ୍ଚ ମଧୁସ୍ମିତା ଭଦ୍ର ଓ ସ୍ମିତା ଉଭୟ ସରପଞ୍ଚଙ୍କ କାରରେ ଭତ୍ତା ବାଣ୍ଟିବା ନିମନ୍ତେ ସୁଭଦ୍ରାପୁର ଓ ଚାରିବାଟିଆ ଗ୍ରାମକୁ ଯାଇଥିଲେ । ଭତ୍ତା ଟଙ୍କା ବଣ୍ଟନ ପରେ ପ୍ରାୟ ୧ଟା ୫୦ ମିନିଟରେ ବାପା ସଦାନନ୍ଦଙ୍କୁ ଫୋନ୍ କରି ଘରେ ଥିବା ୪ ବର୍ଷର ଝିଅକୁ ଖାଇବାକୁ ଦେଇ ନିଜେ ଖାଇଦେବାକୁ କହିବା ସହ ସେ ୩ଟା ବେଳେ ଘରେ ପହଞ୍ଚିବେ ବୋଲି ସ୍ମିତା କହିଥିଲେ ।

ପରେ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ୧ କି.ମି. ଦୂରରେ ସ୍କୁଲ ନିକଟରେ ଥିବା ସରପଞ୍ଚଙ୍କ ସ୍ବାମୀ ରୂପେଶ ଭଦ୍ରଙ୍କ ଗେଷ୍ଟ ହାଉସକୁ ମଧ୍ୟାହ୍ନ ଭୋଜନ କରିବାକୁ ଯାଇଥିଲେ । ରୂପେଶ ଜଣେ ଠିକାଦାର । ତାଙ୍କର ଏକ ଗେଷ୍ଟ ହାଉସ ପଞ୍ଚାୟତ କାର୍ଯ୍ୟାଳୟଠାରୁ ପ୍ରାୟ ୧ କି.ମି. ଦୂରରେ ରହିଛି । ଗେଷ୍ଟ ହାଉସର ତଳ ମହଲାରେ ରୂପେଶ ଓ ଅନ୍ୟ ସାଥୀମାନେ ଥିବାବେଳେ ସେ ଧୁଆଧୋଇ ହେବା ନିମନ୍ତେ ଉପର ମହଲାରେ ବେଡ୍ ରୁମ୍ ମଧ୍ୟରେ ଥିବା ଗାଧୁଆ ଘରକୁ ଯାଇଥିଲେ ।

ମାତ୍ର ବହୁ ସମୟ ଧରି ନଆସିବାରୁ ଉପର ମହଲାକୁ ଯାଇ ସ୍ମିତାଙ୍କୁ ଗେଷ୍ଟ ହାଉସ ବନ୍ଦ କୋଠରୀରୁ କବାଟ ଭାଙ୍ଗି ରୂପେଶ ଓ ଅନ୍ୟମାନେ ଉଦ୍ଧାର କରିଥିଲେ । ଓଢଣୀରେ ଝୁଲିଥିଲା ସ୍ମିତାଙ୍କ ମୃତଦେହ । ମୃତଦେହ ଉଦ୍ଧାର କରି ଧର୍ମଶାଳା ମେଡିକାଲ ଆଣିଥିଲେ ସେମାନେ । ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହାପରେ ପୁଲିସ ଘଟଣା ତଦନ୍ତ କରୁଛି । ଶବ ବ୍ୟବଚ୍ଛେଦ ଓ ପାରିପାର୍ଶ୍ୱିକ ପରିସ୍ଥିତିକୁ ନେଇ ପୁଲିସ ତଦନ୍ତ କରିବା ପରେ ସତ୍ୟ ଉନ୍ମୋଚିତ ହେବ ବୋଲି ଆଶା କରାଯାଉଛି ।
ତେବେ ଏହି ଘଟଣା ପରେ ଅନେକ ପ୍ରଶ୍ନବାଚୀ ।

ସ୍ମିତାରାଣୀ ଯଦି ଆତ୍ମହତ୍ୟା କଲେ ତାହାର କାରଣ କଅଣ ?
ଆଗରୁ କିଛି ପାରିବାରିକ ସମସ୍ୟା ଥିଲା କି ?
ନା କାର୍ଯ୍ୟକ୍ଷେତ୍ରରେ ଅନ୍ୟ କିଛି ସମସ୍ୟା ଥିଲା?
ସେ ଗେଷ୍ଟ ହାଉସକୁ ଯିବା ବେଳେ କିଛି ଅପ୍ରିତିକର ପରିସ୍ଥିତିର ସମ୍ମୁଖୀନ ହୋଇଥିଲେ କି ?
ତାଙ୍କୁ ହତ୍ୟା କରାଯାଇ ଆତ୍ମହତ୍ୟାର ରୂପ ଦିଆଯାଇଛି କି ?
ଯଦି ଆତ୍ମହତ୍ୟା ତବେ ସରପଞ୍ଚଙ୍କ ସ୍ୱାମୀଙ୍କ ଗେଷ୍ଟ ହାଉସ୍‌ରେ ଆତ୍ମହତ୍ୟା କଲେ କାହିଁକି ?
ଗେଷ୍ଟ ହାଉସର ଉପର ମହଲାକୁ କାହିଁକି ଯାଇଥିଲେ ?
ସରକାରୀ କାର୍ଯ୍ୟ କରିବା ପରେ କାହିଁକି ସେ ସ୍ଥାନରେ ଆତ୍ମହତ୍ୟା କଲେ ?
ଯଦି ଆତ୍ମହତ୍ୟା ନୁହେଁ ଏହା ଏକ ହତ୍ୟାକାଣ୍ଡ କି ?
ଏଥିରେ କେଉଁମାନେ ସମ୍ପୃକ୍ତ ?
ଏପରି ଅନେକ ପ୍ରଶ୍ନ ନିହାତି ଭାବେ ଏହି ଘଟଣାପରେ ଉଠିପାରେ । ତେବେ ଶବ ବ୍ୟବଚ୍ଛେଦ ରିପୋର୍ଟ ଓ ପୁଲିସ ତଦନ୍ତ ପରେ ଏହି ଘଟଣାର ପର୍ଦ୍ଦା ଫାଶ ହୋଇ ପାରିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.