ପ୍ରବାସୀଙ୍କ ପାଇଁ ବଦଳିଲା କ୍ବାରେଣ୍ଟାଇନ୍ ନିୟମ : ୨୧ ଦିନ ବଦଳରେ ରହିବେ ୧୪ ଦିନ
24/05/2020 at 11:45 AM

ଭୁବନେଶ୍ବର ୨୪।୫: ରାଜ୍ୟରେ କ୍ବାରେଣ୍ଟାଇନ୍ ନିୟମରେ ପରିବର୍ତ୍ତନ ହୋଇଛି । ଏଣିକି ପ୍ରବାସୀଙ୍କୁ ୨୧ ଦିନ ବଦଳରେ ୧୪ ଦିନିଆ କ୍ବାରେଣ୍ଟାଇନ୍ ବାଧ୍ୟତାମୂଳକ କରାଯାଇଛି । ଏନେଇ ସ୍ବତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା ସୂଚନା ଦେଇଛନ୍ତି । ପୂର୍ବରୁ ରାଜ୍ୟ ସରକାର ବଢାଇଥିବା ୧୪ ଦିନ ପରିବର୍ତ୍ତେ ୨୧ ଦିନ କ୍ବାରେଣ୍ଟାଇନ୍ରେ ରହିବାକୁ ବାଧ୍ୟତାମୂଳକ କରିଥିଲେ । ଗ୍ରାମାଞ୍ଚଳକୁ ଯାଉଥିଲେ ପ୍ରବାସୀମାନେ କ୍ବାରେଣ୍ଟାଇନ୍ କେନ୍ଦ୍ରରେ ୭ ଦିନ ରହିବେ । ଏହାପରେ ଘରେ ୭ ଦିନ କ୍ବାରେଣ୍ଟାଇନରେ ରହିବେ ।
ସେହିପରି ସହରାଞ୍ଚଳରେ ପ୍ରବାସୀ ୧୪ ଦିନିଆ ହୋମ୍ କ୍ବାରେଣ୍ଟାଇନରେ ରହିବେ । ଘରେ ସୁବିଧା ନଥିଲେ ସରକାରୀ କ୍ବାରେଣ୍ଟାଇନରେ ରହିପାରିବେ । ଏଥି ସହିତ ଚିହ୍ନିତ ହୋଟେଲରେ ପେଡ୍ କ୍ବାରେଣ୍ଟାଇନରେ ରହି ପାରିବେ । କିନ୍ତୁ ହୋଟେଲ୍ ପେଡ୍ କ୍ବାରେଣ୍ଟାଇନ୍ ପାଇଁ ସରକାର ଅର୍ଥ ଦେବେନାହିଁ ବୋଲି ସ୍ପଷ୍ଟ କରିଛନ୍ତି ଏସଆରସି ।
ତେବେ ବୃତ୍ତିଗତ କାମରେ ଆସି ୭୨ଘଣ୍ଟାରୁ କମ୍ ସମୟ ରହିଲେ କ୍ବାରେଣ୍ଟାଇନ୍ ରେ ରହିବେନି । ୩ ଦିନ ଭିତରେ ରାଜ୍ୟ ବାହାରକୁ ଯାଇ ଫେରିଲେ ନିୟମ ଲାଗୁ ହେବନି । କେବଳ ଏତିକି ନୁହେଁ ବାହାର ରାଜ୍ୟରେ କ୍ବାରେଣ୍ଟାଇନ୍ ଅବଧି ସାରିଥିଲେ ପ୍ରବାସୀମାନେ ଆଉ କ୍ବାରେଣ୍ଟାଇନରେ ରହିବେନି । ପ୍ରବାସୀଙ୍କୁ କ୍ବାରେଣ୍ଟାଇନରେ ଥିବା ପ୍ରମାଣ ଦାଖଲ କରିବାକୁ ପଡ଼ିବ । ରାଜ୍ୟ ବାହାରେ ୩ ଦିନରୁ ଅଧିକ ସମୟ ରହିଲେ ଫେରିବା ପରେ ପୁଣି କ୍ବାରେଣ୍ଟାଇନ୍ ରେ ରହିବେ ।
ରାଜ୍ୟରେ କରୋନା ସ୍ଥିତି ନିୟନ୍ତ୍ରଣରେ ଅଛି, ଏହା ଚିନ୍ତାଜନକ ନୁହେଁ ବୋଲି ଏସଆରସି କହିଛନ୍ତି । ପ୍ରବାସୀଙ୍କୁ କ୍ବାରେଣ୍ଟାଇନରେ ରଖାଯାଉଥିବାରୁ ସ୍ଥିତି ନିୟନ୍ତ୍ରଣରେ ରହିଛି ବୋଲି ସେ କହିଛନ୍ତି । କ୍ବାରେଣ୍ଟାଇନ କେନ୍ଦ୍ର ପରିଚାଳନାରେ ସରପଞ୍ଚ ଓ ଏସଏଚଜିର ଭୂମିକାକୁ ସେ ଉଚ୍ଚ ପ୍ରଶଂସା କରିଛନ୍ତି ।
ରାଜ୍ୟକୁ କେବଳ ସ୍ବତନ୍ତ୍ର ଟ୍ରେନ୍, ବସ୍ ଓ ବିମାନରେ ଆସୁଛନ୍ତି ପ୍ରବାସୀ । ଆସନ୍ତାକାଲିଠୁ ଘରୋଇ ବିମାନ ସେବା ଆରମ୍ଭ ହେବ । ଭୁବନେଶ୍ବର ଏବଂ ଝାରସୁଗୁଡାରୁ ମଧ୍ୟ ବିମାନ ଉଡାଣ ଆରମ୍ଭ ହେବ । ଖୁବଶୀଘ୍ର ରାଜ୍ୟରୁ ବିଦେଶକୁ ମଧ୍ୟ ବିମାନ ସେବା ଆରମ୍ଭ ହେବ । ରାଜ୍ୟରୁ ଫେରିବା ଲାଗି ପଞ୍ଜୀକରଣ କରିବା ଜରୁରୀ ।
ଆଜି ତେଲଙ୍ଗାନାରୁ ୧୨ଟି ଟ୍ରେନରେ ୨୦ ହଜାରରୁ ଅଧିକ ପ୍ରବାସୀ ଆସୁଛନ୍ତି । ତେବେ ବିନା ସୂଚନାରେ ରାଜ୍ୟକୁ ଅନେକ ଶ୍ରମିକ ଟ୍ରେନ ଆସୁଛି ବୋଲି ଏସଆରସି ସୂଚନା ଦେଇଛନ୍ତି । ରାଜ୍ୟ ସରକାରଙ୍କ ପାଖରେ ସମସ୍ତଙ୍କ ପ୍ରବାସୀଙ୍କ ତଥ୍ୟ ନାହିଁ । ଏମିତିରେ ପ୍ରବାସୀଙ୍କୁ ଗନ୍ତବ୍ୟ ସ୍ଥଳରେ ପହଞ୍ଚାଇବା ମୁସ୍କିଲ ହେବ ।
ଯେଉଁ ପ୍ରବାସୀ ରାଜ୍ୟକୁ ଆସୁଛନ୍ତି ସୂଚନା ଦେଇ ଆସିବା ଉଚିତ୍ ବୋଲି ସେ କହିଛନ୍ତି । ବିନା ସୂଚନାରେ ଆସିଲେ ମାଗଣା ଟିକେଟ୍ ଲାଗୁ ହୋଇ ନ ପାରେ ବୋଲି ସେ କହିଛନ୍ତି । ପ୍ରବାସୀଙ୍କ ସଂପର୍କରେ ଆଗୁଆ ସୂଚନା ଥିଲେ ସେମାନଙ୍କୁ ଅସୁବିଧା ହେବନି । ପ୍ରବାସୀ ଓଡିଆ ସଂଗଠନକୁ ସହଯୋଗ କରିବାକୁ ଏସଆରସି ଅନୁରୋଧ କରିଛନ୍ତି ।