ଘଟଗାଁ ଗୁଣ୍ଡିଚାଘାଗୀ ଜଳପ୍ରପାତ ନିକଟରେ ଅହିରାଜ ସାପ ଆତଙ୍କ : ୨୦ରୁ ଉର୍ଦ୍ଧ୍ବ ଅହିରାଜ ଅଣ୍ଡା ଉଦ୍ଧାର

Published By : Prameya-News7 Bureau | June 03, 2019 IST

ଘଟଗାଁ ୩/୬ : ଘଟଗାଁ ନିକଟସ୍ଥ ଗୁଣ୍ଡିଚାଘାଗୀ ଜଳପ୍ରପାତ ନିକଟରେ ଅହିରାଜ ସାପ ଥିବା ଜଣାପଡିଛି । ସାପ ଥିବା ଜାଣି ସ୍ଥାନୀୟ ଅଞ୍ଚଳବାସୀ ଆତଙ୍କିତ ହୋଇପଡିଛନ୍ତି । ଘଟଗାଁ ନିକଟସ୍ଥ ପ୍ରସିଦ୍ଧ ଜଳପ୍ରପାତ ଗୁଣ୍ଡିଚାଘାଗୀ ଠାରେ ଦୁଇଟି ଅହିରାଜ ସାପ ଥିବାର କିଛି ସ୍ଥାନୀୟ ଲୋକେ ଦେଖିବା ପରେ ଏବେ ସେଠାରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଗୁଣ୍ଡିଚାଘାଗୀକୁ ପ୍ରତେକ ଦିନ ପର୍ଯ୍ୟଟକ ମାନେ ଆସୁଥିବା ବେଳେ ଗତ ଦୁଇ ଦିନ ତଳେ କିଛି ସ୍ଥାନୀୟଲୋକ ଜଳପ୍ରପାତ ନିକଟରେ ୧୦ ଫୁଟରୁ ବଡ ଦୁଇଟି ଅହିରାଜ ସାପ ଏକ ଗଛରେ ଗୁଡାଇ ହୋଇ ଥିବାର ଦେଖିଥିଲେ ।

{"id":119007,"width":580,"height":325}


ଗତକାଲି ସ୍ଥାନୀୟ ସରପଂଚଙ୍କ ଖବରପାଇ ସ୍ନେକ ହେଲ୍ପ ଲାଇନ୍ ର ଏକ ଟିମ୍ ଗୁଣ୍ଡିଚାଘାଗୀ ଠାରେ ପହଁଚି ସାପକୁ ଖୋଜା ଖୋଜି କରିଥିଲେ । ସେମାନେ ସାପର ସନ୍ଧାନ ପାଇ ନଥିଲେ ମଧ୍ୟ ପ୍ରପାତ ନିକଟରୁ ୨୦ ରୁ ଉର୍ଦ୍ଧ୍ବ ଅହିରାଜ ଅଣ୍ଡା ପାଇଛନ୍ତି । ଫଳରେ ପାଖାପାଖି ଅଞ୍ଚଳରେ ଅହିରାଜ ଥିବା ସ୍ପଷ୍ଟ ହୋଇଛି । ତେବେ କିଛି ଅଣ୍ଡା ଫୁଟି ସାରିଥିବା ବେଳେ ବାକି ଭଲ ଥିବା ଅଣ୍ଡା ଗୁଡିକୁ ସ୍ନେକ ହେଲ୍ପ ଲାଇନ୍ ଘଟଗାଁ ବନବିଭାଗକୁ ହସ୍ତାନ୍ତର କରିଛି ଓ ଉକ୍ତ ଅଞ୍ଚଳକୁ ନଜରରେ ରଖିଛି । ଅନ୍ୟ ପକ୍ଷରେ ଅହିରାଜ ସାପ ଥିବା ସ୍ପଷ୍ଟ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.