ସ୍ଵଦେଶ ଫେରିଲେ ବ୍ରୋଞ୍ଚ ବିଜୟିନୀ ପିଭି ସିନ୍ଧୁ, ଦିଲ୍ଲୀ ଏୟାରପୋର୍ଟରେ ହେଲା ଭବ୍ୟ ସ୍ଵାଗତ

Published By : Prameya-News7 Bureau | August 03, 2021 IST

ନୂଆଦିଲ୍ଲୀ ୦୩।୦୮: ଟୋକିଓ ଅଲିମ୍ପିକରେ କାଂସ୍ୟ ପଦକ ଜିତିଥିବା ଭାରତୀୟ ତାରକା ମହିଳା  ବ୍ୟାଡମିଣ୍ଟନ ଖେଳାଳି ପିଭି ସିନ୍ଧୁ ମଙ୍ଗଳବାର ସ୍ଵଦେଶ ଫେରିଛନ୍ତି। ଦିଲ୍ଲୀ ବିମାନ ବନ୍ଦରରେ ତାଙ୍କୁ ଭବ୍ୟ ସ୍ଵାଗତ ସମ୍ଵର୍ଦ୍ଧନା ଦିଆଯାଇଛି। ସିନ୍ଧୁଙ୍କ ସହ ତାଙ୍କ କୋଚ୍ ମଧ୍ୟ ଅଛନ୍ତି। ଏହି ସମୟରେ ସିନ୍ଧୁ କହିଛନ୍ତି ଯେ, ଦେଶ ପାଇଁ ପଦକ ଜିତିଥିବାରୁ ମୁଁ ବହୁତ ଖୁସି। ମୁଁ ବ୍ୟାଡମିଣ୍ଟନ ଆସୋସିଏସନ ସହିତ ସମସ୍ତଙ୍କୁ କୃତଜ୍ଞତା ଜଣାଉଛି, ଯେଉଁମାନେ ମୋତେ ସମର୍ଥନ ଦେବା ସହ ମୋର ଉତ୍ସାହ ବଢାଇଥିଲେ। ଏହା ବହୁତ ଖୁସିର ମୁହୂର୍ତ୍ତ ବୋଲି ସିନ୍ଧୁ କହିଛନ୍ତି।

ସିନ୍ଧୁ ଅଗଷ୍ଟ ୧ରେ କାଂସ୍ୟ ପଦକ ମୁକାବିଲାରେ ଚୀନର ଜିଆଓ ବିଙ୍ଗଙ୍କୁ ୨୧-୧୩, ୨୧-୧୫ ସିଧାସଳଖ ଗେମରେ  ହରାଇଥିଲେ। ଏଥିସହ ସିନ୍ଧୁ ସୁଶୀଲ କୁମାରଙ୍କ ରେକର୍ଡର ସମକକ୍ଷ ହୋଇଛନ୍ତି। ସିନ୍ଧୁ ୨୦୧୬ ରିଓ ଅଲିମ୍ପିକରେ ରୌପ୍ୟ ପଦକ ଜିତିଥିଲେ। ସୁଶୀଲ କୁମାର ମଧ୍ୟ ୨୦୦୮ ବେଜିଂ ଅଲିମ୍ପିକରେ କାଂସ୍ୟ ଓ ୨୦୧୨ ଲଣ୍ଡନ ଅଲିମ୍ପିକରେ ରୌପ୍ୟ ପଦକ ଜିତିଥିଲେ। ସେମି ଫାଇନାଲରେ ପରାଜିତ ହେବା ପରେ ଦମଦାର ପ୍ରତ୍ୟାବର୍ତ୍ତନ କରି ସିନ୍ଧୁ ଟୋକିଓ ଅଲିମ୍ପିକରେ କାଂସ୍ୟ ଜିତିବାରେ ସଫଳ ହୋଇଥିଲେ। ଟୋକିଓ ଅଲିମ୍ପିକରେ ସେ ଭାରତକୁ ଦ୍ଵିତୀୟ ପଦକ ଜିତାଇଛନ୍ତି।

wp:html /wp:html

ସିନ୍ଧୁଙ୍କ ଟୋକିଓ ଅଲିମ୍ପିର ଯାତ୍ରା

ପ୍ରଥମ ମ୍ୟାଚ୍‌ରେ ଇସ୍ରାଏଲର ସୋନିଆ ପୋଲିକରପୋଭାଙ୍କୁ ୨୧-୭, ୨୧-୧୦ରେ ହରାଇଲେ।

ଦ୍ଵିତୀୟ ମ୍ୟାଚ୍‌ରେ ହଂକଂର ଗନ ଓ୍ଵି ଚିୟୁଙ୍ଗଙ୍କୁ ୨୧-୯, ୨୧-୧୬ରେ  ହରାଇଲେ।

ପ୍ରି କ୍ଵାର୍ଟର ଫାଇନାଲରେ ଡେନମାର୍କର ମିୟା ବ୍ଲିଚଫେଲ୍ଟଙ୍କୁ ୨୧-୧୫, ୨୧-୧୬ରେ  ହରାଇଲେ।

କ୍ଵାର୍ଟର ଫାଇନାଲରେ ଜାପାନର ଅକାନେ ୟାମାଗୁଚିଙ୍କୁ ୨୧-୧୩, ୨୨-୨୦ରେ ହରାଇଲେ।

ସେମି ଫାଇନାଲରେ ଚୀନୀ ତାଇପେର ତାଇଜୁ ଓ୍ଵିଙ୍ଗ ସିନ୍ଧୁଙ୍କୁ ୨୧-୧୮, ୨୧-୧୩ରେ  ହରାଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.