ଅଫିସ ଛାଡିବା ପରେ ଋଷୀୟ ରାଷ୍ଟ୍ରପତିଙ୍କ ବିରୋଧରେ ହୋଇପାରିବନି କାର୍ଯ୍ୟାନୁଷ୍ଠାନ, ବିଧେୟକରେ ସ୍ୱାକ୍ଷର କଲେ ପୁତିନ୍
22/12/2020 at 10:28 PM

ମସ୍କୋ: ଋଷିଆ ରାଷ୍ଟ୍ରପତି ଭ୍ଲାଦିମୀର ପୁତିନ୍ ମଙ୍ଗଳବାର ଏକ ଗୁରୁତ୍ୱପୂର୍ଣ୍ଣ ବିଧେୟକରେ ସ୍ୱାକ୍ଷର କରିଛନ୍ତି। ବିଧେୟକ ଅନୁସାରେ କୌଣସି ରାଷ୍ଟ୍ରପତି କାର୍ଯ୍ୟାଳୟରୁ ବିଦାୟ ନେଲେ ତାଙ୍କ ବିରୋଧରେ ଅଥବା ତାଙ୍କ ପରିବାରର କୌଣସି ସଦସ୍ୟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇ ପାରିବ ନାହିଁ। ଏହି ଆଇନ ଦେଶର ପୂର୍ବତନ ରାଷ୍ଟ୍ରପତି ଓ ତାଙ୍କ ପରିବାରକୁ ଆଜୀବନ ପ୍ରତିରକ୍ଷା ପ୍ରଦାନ କରିବ।
୬୮ ବର୍ଷ ବୟସ୍କ ପୁତିନ ୨୦୩୬ ମସିହା ପର୍ଯ୍ୟନ୍ତ ଦେଶରେ ରାଷ୍ଟ୍ରପତି ଅବସ୍ଥାପିତ ରହିବାଲାଗି ଗତ ଗ୍ରୀଷ୍ମରେ ହୋଇଥିବା ଦେଶବ୍ୟାପୀ ଗଣଭୋଟ ଫଳାଫଳ ଅଧାରରେ ସମ୍ବିଧାନ ସଂଶୋଧନ କରାଇନେଇଛନ୍ତି। ଅର୍ଥାତ ୨୦୩୬ ପର୍ଯ୍ୟନ୍ତ ଦେଶରେ ରାଷ୍ଟ୍ରପତି ନିର୍ବାଚନ ହୋଇପାରିବ ନାହିଁ। ତେବେ ଏହି ଅବଧିରେ ରାଷ୍ଟ୍ରପତିଙ୍କ ଦ୍ୱାରା ହେଉଥିବା ଭୁଲ ତ୍ରୁଟି ଲାଗି ଭବିଷ୍ୟତରେ କାର୍ଯ୍ୟାନୁଷ୍ଠାନ ନ ହେବା ଲାଗି ନୂଆ ଆଇନରେ ମଧ୍ୟ ମୋହର ମାରିଛନ୍ତି। ଏହି ଆଇନରେ ଋଷିୟ ରାଷ୍ଟ୍ରପତିମାନେ ଫେଡେରେସନ କାଉନସିଲ ଅଥବା ସିନେଟରେ ଆଜୀବନ ସଦସ୍ୟ ରହିବେ। ଯାହା ତାଙ୍କୁ ଏହି ରାଷ୍ଟ୍ରୀୟ ପ୍ରତିରକ୍ଷା ପ୍ରଦାନରେ ସହାୟକ ହେବ। ଏ ନେଇ ଋଷିଆ ଲୋଅର ହାଉସ୍ ଷ୍ଟେଟ୍ ଡୁମା ମଙ୍ଗଳବାର ବିଚାରବିଭାଗ, ଆଇନ ପ୍ରଣେତା, ବିଭିନ୍ନ ନିୟାମକ ଓ ସାମରିକ ସଂସ୍ଥାଙ୍କୁ ନୂଆ ବିଧେୟକ ସମ୍ପର୍କରେ ସୂଚିତ କରିବା ସହ ଆଇନ କାର୍ଯ୍ୟକାରୀ ମଧ୍ୟ କରିଛନ୍ତି।