ଜୋ ବାଇଡେନଙ୍କୁ ଶେଷରେ ଶୁଭେଚ୍ଛା ଜଣାଇଲେ ପୁତିନ୍, ଜାଣନ୍ତୁ କହିଛନ୍ତି କ’ଣ?
15/12/2020 at 9:59 PM

ୱାସିଂଟନ : ଆମେରିକା ରାଷ୍ଟ୍ରପତି ନିର୍ବାଚନ ଫଳାଫଳ ପ୍ରକାଶନକୁ ଇତି ମଧ୍ୟରେ ୬ ସପ୍ତାହ ବିତିଗଲାଣି। ନିର୍ବାଚନରେ ବିଜୟୀ ଡେମୋକ୍ରାଟିକ ପାର୍ଟି ନେତା ଜୋ ବାଇଡେନଙ୍କୁ ଫଳାଫଳ ଘୋଷଣା ପରଠାରୁ ଦେଶବିଦେଶରୁ ଶୀର୍ଷ ରାଜନୈତିକ ନେତାଙ୍କ ଶୁଭେଚ୍ଛାର ସୁଅ ଛୁଟିଛି। ଏଥିରେ ଋଷିଆ ରାଷ୍ଟ୍ରପତି ଭ୍ଲାଦିମୀର ପୁତିନ ସୋମବାର ନବ ନିର୍ବାଚିତ ଆମେରିକା ରାଷ୍ଟ୍ରପତିଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ବାଇଡେନଙ୍କ ରାଷ୍ଟ୍ରପତି ନିର୍ବାଚନ ପରେ ତାଙ୍କୁ ଶୁଭେଚ୍ଛା ଜଣାଇବାରେ ପୁତିନ ବିଶ୍ୱର ଅନ୍ତିମ ତଥା ଶୀର୍ଷ ନେତା।
ଜୋ ବାଇଡେନଙ୍କୁ ଆମେରିକାର ନିର୍ବାଚନ ମଣ୍ଡଳ ଚୂଡ଼ାନ୍ତ ବିଜୟୀ ଘୋଷଣା କରିବାର ଦିନକ ପରେ କ୍ରେମଲିନରୁ ଏହି ଶୁଭେଚ୍ଛାବାର୍ତ୍ତା ଆସିଛି। ତେବେ ଶୁଭେଚ୍ଛା ଜଣାଇବାରେ ବିଳମ୍ବ ଲାଗି କ୍ରେମଲିନ୍ ଅଧିକାରୀକ ବିଜୟୀ ଘୋଷଣା ପରେ ପୁତିନ ଅଭିନନ୍ଦନ ଜଣାଇବା ଉଚିତ ହେବ ବୋଲି କୁହାଯାଇଛି। ସେହି ଅନୁସାରେ ପୁତିନଙ୍କ ଅଭିନନ୍ଦନ ବାର୍ତ୍ତା ବାଇଡେନଙ୍କୁ ମିଳିଛି।
ଏ ନେଇ କ୍ରେମଲିନ ପକ୍ଷରୁ ଜାରି ଶୁଭେଚ୍ଛା ବାର୍ତ୍ତାରେ କୁହାଯାଇଛି ଯେ – ନବନିର୍ବାଚିତ ରାଷ୍ଟ୍ରପତିଙ୍କ ସଫଳତାକୁ ନେଇ ଭ୍ଲାଦିମୀର ପୁତିନ ଶୁଭକାମନା ଜଣାଇବା ସହ ବିଶ୍ୱାସ ବ୍ୟକ୍ତ କରନ୍ତି ଯେ ଋଷିଆ ଓ ଆମେରିକା ଯାହାଙ୍କ ଉପରେ ବିଶ୍ୱ ଶାନ୍ତି ଓ ସ୍ଥିରତାର ଖାସ ଦାୟିତ୍ୱ ରହିଛି, ମାତପାର୍ଥକ୍ୟ ସତ୍ତ୍ୱେ ସେମାନେ ବିଶ୍ୱ ସାମ୍ନା କରୁଥିବା ଆହ୍ୱାନ ଓ ଏହାର ସମାଧାନ ଲାଗି ଦୁଇ ଦେଶ ବାସ୍ତବରେ ଯୋଗଦାନ ଦେଇପାରିବେ।
ପୁତିନ ଉଲ୍ଲେଖ କରିଛନ୍ତି ଯେ ଋଷିଆ-ଆମେରିକାଙ୍କ ସହଯୋଗ, ସମାନତା ଓ ପାରସ୍ପାରିକ ସମ୍ମାନ ସିଦ୍ଧାନ୍ତ ଆଧାରିତ। ଯାହା ଉଭୟ ଦେଶ ଓ ସମଗ୍ର ବିଶ୍ୱ ସମୂଦାୟର ହୀତରେ ସହାୟକ ହୋଇପାରିବ। ଋଷିଆ ରାଷ୍ଟ୍ରପତି ନିଜ ପକ୍ଷରୁ ଆମେରିକା ରାଷ୍ଟ୍ରପତିଙ୍କ ପ୍ରତି ସହଯୋଗ ଓ ସମ୍ପର୍କ ବୃଦ୍ଧି ଲାଗି ପ୍ରସ୍ତୁତ ବୋଲି ସୂଚିତ କରିଛନ୍ତି।