ଆର୍କଟିକ୍ ସର୍କଲକୁ ଭାସିଗଲା୨୦ହଜାର ଟନ୍ ତୈଳ, ସାଇବେରିଆରେ ଜରୁରିକାଳୀନ ପରିସ୍ଥିତି ଜାରି
4/06/2020 at 1:51 PM

ମସ୍କୋ ୪।୬: ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ୍ ସାଇବେରିଆରେ ଜରୁରିକାଳୀନ ପରିସ୍ଥିତି ଜାରି କରିଛନ୍ତି। ନରିଲସ୍କ ସହର ବାହାରେ ଥିବା ଏକ ପାୱାର ପ୍ଲାଣ୍ଟର ଫୁଏଲ ଟ୍ୟାଙ୍କ ଭୁଷୁଡି ପଡିବାରୁ ଏଥିରେ ଥିବା ୨୦ ହଜାର ଟନ୍ ଡିଜେଲ ଆମ୍ବରନ୍ୟା ନଦୀରେ ମିସିଛି। ନଦୀର ଏକ ଧାର ଆର୍କଟିକ୍ ସର୍କଲ ସହ ସଂଯୁକ୍ତ ହେଉଥିବାରୁ ଗୁରୁତର ପରିବେଶ ସଂକଟକୁ ଦୃଷ୍ଟିରେ ରଖି ରାଷ୍ଟ୍ରପତି ତ୍ୱରିତ୍ ପଦକ୍ଷେପ ନେଇଛନ୍ତି।

ଉପୁଜିଥିବା ପରିସ୍ଥିତି ନେଇ ରାଷ୍ଟ୍ରପତି ପୁତିନ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ନଦୀ ଜଳରୁ ତୁରନ୍ତ ଡିଜେଲ ପୃଥକ କରିବା ସହ ଆର୍କଟିକ୍ ସର୍କଲକୁ ବାହ୍ୟ ଆବର୍ଜନାରୁ ମୁକ୍ତ ରଖିବାକୁ ପଦକ୍ଷେନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଦୁର୍ଘଟଣା ସ୍ଥଳରୁ ତୈଳ ୧୨ କିଲୋମିଟର ଦୂରକୁ ଭାସିଯାଇଥିବା ଜଣାପଡିଛି। ଏଣୁ ସରକାର ଜରୁରିକାଳୀନ ପରିସ୍ଥିତି ଜାରି କରିଥିବା ବେଳେ ନଦୀ ଜଳରୁ ତେଲ ଛାଣିବା ପ୍ରକ୍ରିୟା ତ୍ୱରାନ୍ୱିତ କରାଯାଇଛି।

ଏହି ଦୁର୍ଘଟଣା ଘଟିବାର ୨ ଦିନ ପର୍ଯ୍ୟନ୍ତ ସରକାରଙ୍କୁ ସୂଚନା ନଥିଲା। ପ୍ଲାଣ୍ଟ କର୍ତ୍ତୃପକ୍ଷ ଟ୍ୟାଙ୍କରରୁ ବାହାରିଥିବା ତୈଳକୁ ରୋକିବା ଲାଗି ନିଜ ସ୍ତରରେ ଉଦ୍ୟମ ଜାରି ରଖିଥିଲେ। ଏଥିଲାଗି ସ୍ଥାନୀୟ ବିପର୍ଯ୍ୟୟ ପ୍ରଶମନ ବିଭାଗଙ୍କୁ ମଧ୍ୟ ସୂଚିତ କରିନଥିଲେ। ଯେତେବେଳେ ତୈଳ ନଦୀ ପାଣିରେ ମିସିବାକୁ ଲାଗିଲା ସେତେବେଳେ କର୍ତ୍ତୃପକ୍ଷ ସରକାରଙ୍କୁ ଜଣାଇବାକୁ ବାଧ୍ୟ ହୋଇଥିଲେ। ଏଣୁ ରାଷ୍ଟ୍ରପତି ମାମଲାର ତଦନ୍ତ ନିର୍ଦ୍ଦେଶ ଦେବା ସହ ଅପରାଧୀକ ଷଡଯନ୍ତ୍ର ଅଭିଯୋଗରେ କମ୍ପାନୀର ଜନୈକ ମ୍ୟାନେଜରଙ୍କୁ ଗିରଫ କରାଯାଇଛି।

ଏହି ପ୍ଲାଣ୍ଟକୁ ନରିଲସ୍କ ନିକେଲ ଚଳାଉଛନ୍ତି। ତେବେ କେଉଁ ପରିସ୍ଥିତିରେ ଏତେବଡ ଦୁର୍ଘଟଣା ଘଟିଲା ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ। ହେଲେ ଏଥିଯୋଗୁ ୩୫୦ ବର୍ଗ କିଲୋମିଟର ଅଞ୍ଚଳ ପ୍ରଦୂଷିତ ହୋଇଥିବା ସ୍ଥାନୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ଆଧୁନିକ ଋଷିଆ ଇତିହାସରେ ଏହା ଦ୍ୱିତୀୟ ସର୍ବବୃହତ୍ତ ଦୁର୍ଘଟଣା ବୋଲି କୁହାଯାଉଛି। ତେବେ ଏହି ଦୁର୍ଘଟଣା ଯୋଗୁ କୃଷି, ମତ୍ସ୍ୟ ଓ ଅନ୍ୟ ପ୍ରାଣୀ ସମ୍ପଦଙ୍କୁ ଗୁରୁତର ପ୍ରଭାବିତ କରିବା ସହ ଅନୁନ୍ୟ ୧୩ ମିଲିୟନ ଡଲାରର କ୍ଷତି ହେବ ବୋଲି ୱାର୍ଲଡ ୱାଇଲ୍ଡ ଲାଇଫ ଫଣ୍ଡ ଋଷିଆର ସଞ୍ଚାଳକ ଏଲେକ୍ସି ନିଜିନିକୋଭ କହିଛନ୍ତି।