ଶପଥ ନେବା ପୂର୍ବରୁ ବିବାଦରେ ଫସିଲେଣି ପୁଷ୍କର ଧାମି, ପୁରୁଣା ଟ୍ୱିଟ୍‌ ହେଉଛି ଭାଇରାଲ୍‌

Published By : Prameya-News7 Bureau | July 04, 2021 IST

ଡେରାଡୁନ୍‌, ୦୪/୦୭: ଉତ୍ତରାଖଣ୍ଡର ମଙ୍ଗ ଧରିବାକୁ ଯାଉଥିବା ବିଜେପି ନେତା ପୁଷ୍କର ସିଂ ଧାମିଙ୍କୁ ନେଇ ସୋସିଆଲ୍‌ ମିଡିଆରେ ଏବେ ବିବାଦ ଦେଖା ଦେଇଛି । ସୋସିଆଲ୍‌ ମିଡିଆ ବ୍ୟବହାରକାରୀ ୨୦୧୫ ମସିହାର ଏକ ଟ୍ୱିଟ୍‌କୁ ନେଇ ପ୍ରତିକ୍ରିୟାଶୀଳ ହୋଇପଡ଼ିଥିବା ଦେଖିବାକୁ ମିଳିଛି । କୁହାଯାଉଛି ଯେ ଏହି ଟ୍ୱିଟ୍‌ ପୁଷ୍କର ସେହି ବର୍ଷ ସ୍ୱାଧୀନତା ଦିବସ ପୂର୍ବରୁ କରିଥିଲେ । ଏହି ଟ୍ୱିଟ୍‌ରେ ସେ ଭାରତର ଏକ ନକ୍ସା ପୋଷ୍ଟ କରିଥିଲେ ।

ସେ ସମୟରେ ଏହାକୁ ନେଇ କେହି ପ୍ରଶ୍ନ ଉଠାଇ ନଥିଲେ । କିନ୍ତୁ ବର୍ତ୍ତମାନ ଧାମି ବଡ଼ ଦାୟିତ୍ୱ ନେବାକୁ ଯାଉଥିବା ବେଳେ ଏହି ଟ୍ୱିଟ୍‌କୁ ନେଇ ବିବାଦ ଦେଖାଗଲାଣି । କିଛି ବ୍ୟବହାରକାରୀଟ ଟ୍ୱିଟ୍‌ ହୋଇଥିବା ନକ୍ସାରେ ଭାରତର କିଛି ସ୍ଥାନ ନଥିବା ଅଭିଯୋଗ କରିଛନ୍ତି ।

ଯେଉଁ ଟ୍ୱିଟ୍‌କୁ ନେଇ ଏପରି ବିବାଦ ଉଠିଛି ସେଥିରେ କେଶରୀ ରଙ୍ଗର ଭାରତ ମାନଚିତ୍ର ଉପରେ ଭାରତ ମାତା ଲାଲ୍‌ ପତାକା ଏବଂ ବାହାନ ସିଂହ ସହିତ ଛିଡ଼ା ହୋଇଛନ୍ତି । ଫଟୋଟିର ଉପର ଭାଗରେ ଲେଖା ହୋଇଛି ଯେ, ଅଖଣ୍ଡ ଭାରତ, ପ୍ରତ୍ୟକ ରାଷ୍ଟ୍ର ଭକ୍ତଙ୍କ ସ୍ୱପ୍ନ । କିଛି ବ୍ୟକ୍ତି ଏଥିରେ କହିଛନ୍ତି ଯେ, ନକ୍ସାରେ ସୀମା ଠିକ୍‌ ଭାବରେ ଦର୍ଶାଯାଇ ନାହିଁ । ଲଦାଖ ଏବଂ ପାକ୍‌ ଅଧିକୃତ କାଶ୍ମୀର ନକ୍ସାରେ ଦେଖାଯାଉନାହିଁ । କିଛି ସୋସିଆଲ ମିଡିଆ ବ୍ୟବହାରକାରୀ ମଧ୍ୟ ଧାମିଙ୍କୁ ସପକ୍ଷରେ କହିଛନ୍ତି । ସେମାନେ ଯୁକ୍ତି କରିଛନ୍ତି ଯେ ଅଖଣ୍ଡ ଭାରତ ଏକ ଆଞ୍ଚଳିକ ଅପେକ୍ଷା ସାଂସ୍କୃତିକ ଧାରଣାଠାରୁ ଅଧିକ।

ତେବେ ପୁଷ୍କର ସିଂ ଧାମି ଆଜି ଉତ୍ତରାଖଣ୍ଡର ଏକାଦଶ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ । ଚାରି ମାସ ମଧ୍ୟରେ ସେ ତୃତୀୟ ମୁଖ୍ୟମନ୍ତ୍ରୀ ହେବେ । ଚାରିମାସ ପୂର୍ବେ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାୱତଙ୍କ ଇସ୍ତଫା ପରେ ତିରଥ ସିଂ ରାୱତ ସିଏମ ଭାବରେ ଶପଥ ଗ୍ରହଣ କରିଥିଲେ । ବର୍ତ୍ତମାନ ତୀରଥ ସିଂ ରାୱତଙ୍କ ଇସ୍ତଫା ପରେ ପୁଷ୍କର ସିଂ ଧାମିଙ୍କ ନାମ ମୁଖ୍ୟମନ୍ତ୍ରୀ ଭାବରେ ନିଷ୍ପତ୍ତି ନିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.