ବିହାର ନିର୍ବାଚନ: ବାଙ୍କିପୁରାରୁ ନିର୍ବାଚନ ଲଢିବେ ପୁଷ୍ପମ ପ୍ରିୟା ଚୌଧୁରୀ, ନୀତିଶ-ଲାଲୁଙ୍କୁ ଦେଲେ ଚ୍ୟାଲେଞ୍ଜ

Published By : Prameya-News7 Bureau | October 01, 2020 IST

ପାଟନା ୦୧।୧୦: ବିହାର ବିଧାନସଭା ନିର୍ବାଚନରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଥିବା ପୁଷ୍ପମ ପ୍ରିୟା ଚୌଧୁରୀ ପାଟନାର ବାଙ୍କିପୁରା ବିଧାନସଭା ଆସନରୁ ନିର୍ବାଚନ ଲଢିବାକୁ ନିଷ୍ପତ୍ତି ନେଇଛନ୍ତି। ସେ ରାଜ୍ୟର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ନିଜ ବିରୋଧରେ ନିର୍ବାଚନ ଲଢିବାକୁ ଚ୍ୟାଲେଞ୍ଜ କରିଛନ୍ତି। ପ୍ଲୁରାଲ୍ସ ପାର୍ଟିର ଅଧ୍ୟକ୍ଷ ପୁଷ୍ପମ ପ୍ରିୟା ଗୁରୁବାର ଏହା ଘୋଷଣା କରିଛନ୍ତି।

ପୁଷ୍ପମ ପ୍ରିୟା ଚୌଧୁରୀ ନୀତିଶ କୁମାରଙ୍କ ସହିତ ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କୁ ମଧ୍ୟ ଚ୍ୟାଲେଞ୍ଜ କରିଛନ୍ତି। ସେ କହିଛନ୍ତି ଲାଲୁ ନିଜର ମେଣ୍ଟର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କୁ ତାଙ୍କ ବିରୋଧରେ ବାଙ୍କିପୁରା ଆସନରୁ ନିର୍ବାଚନ ଲଢାନ୍ତୁ।

{"id":337349,"sizeSlug":"large"}

ପୁଷ୍ପମ ପ୍ରିୟା ଚୌଧୁରୀ ଫେସବୁକ ଜରିଆରେ ଏହାର ସୂଚନା ନିଜର ସମର୍ଥକଙ୍କୁ ଦେଇଛନ୍ତି। ସେ କହିଛନ୍ତି ମୁଁ ଜନତା ଦଳ ୟୁନାଇଟେଡ୍‌ର ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିଶ କୁମାର ଓ ଆରଜେଡି ଅଧ୍ୟକ୍ଷ ଲାଲୁ ପ୍ରସାଦ ଯାଦବଙ୍କୁ ଅନୁରୋଧ କରୁଛି ଏବଂ ସମ୍ମାନପୂର୍ବକ ଚ୍ୟାଲେଞ୍ଜ ଦେଉଛି ଯେ, ସେମାନେ ନିଜ ନିଜର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କୁ ଏହି ଐତିହାସକ ଆସନରୁ ନିର୍ବାଚନ ଲଢାନ୍ତୁ।

ପୁଷ୍ପମ ପ୍ରିୟା ଚୌଧୁରୀ କହିଛନ୍ତି ମୁଖ୍ୟମନ୍ତ୍ରୀ ନୀତିଶ କୁମାର ୧୫ ବର୍ଷର ନିଜର ଶାସନକାଳରେ ଗୋଟିଏ ହେଲେ ନିର୍ବାଚନ ଲଢି ନାହାନ୍ତି। ତେଣୁ ଏଥର ନିଜର ଐତିହାସିକ ରାଜଧାନୀରୁ ନିର୍ବାଚନ ଲଢନ୍ତୁ। ବିହାର ଆପଣଙ୍କ ଜବାବ ଲୋଡୁଛି ଏବଂ ଆମେ ବିନା ଉତ୍ତରରେ ଆପଣଙ୍କୁ ଯିବାକୁ ଦେବୁନାହିଁ।

{"id":337350,"sizeSlug":"large"}

ଲଣ୍ଡନ ସ୍କୁଲ ଅଫ ଇକୋନୋମିକ୍ସରେ ପଢିଥିବା ପୁଷ୍ପମ ପ୍ରିୟା ଚୌଧୁରୀ ଚଳିତ ବର୍ଷ ମାର୍ଚ୍ଚରେ ବିହାର ଖବରକାଗଜରେ ଏକ ବିଜ୍ଞାପନ ଦେଇ ଚର୍ଚ୍ଚାକୁ ଆସିଥିଲେ। ସେହି ସମୟରେ ସେ ଘୋଷଣା କରିଥିଲେ ଯେ, ୨୦୨୦ ନିର୍ବାଚନରେ ସେ ନିଜ ପାର୍ଟି ପକ୍ଷରୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ।

କିଏ ଏହି ପୁଷ୍ପମ ପ୍ରିୟା ଚୌଧୁରୀ

ଦରଭଙ୍ଗା ଜିଲ୍ଲାର ନିବାସୀ ପୁଷ୍ପମ ଜେଡିୟୁ ନେତା ତଥା ପୂର୍ବତନ ବିଧାନସଭା ପରିଷଦର ସଦସ୍ୟ  ବିନୋଦ ଚୌଧୁରୀଙ୍କ ଝିଅ। ବିଶ୍ଵ ପ୍ରସିଦ୍ଧ ଲଣ୍ଡନ ସ୍କୁଲ ଅଫ ଇକୋନୋମିକ୍ସରୁ ପବ୍ଲିକ ଆଡମିନିଷ୍ଟ୍ରେସନରେ ମାଷ୍ଟର୍ସ ଡିଗ୍ରୀ ହାସଲ କରି ସେ ଫେରିଛନ୍ତି। ଏହା ସହିତ ପ୍ଲୁରାଲ୍ସ ପାର୍ଟିର ସେ ଅଧ୍ୟକ୍ଷ। ସେ ଖବରକାଗଜରେ ବିଜ୍ଞାପନ ଦେଇ ନିଜ ପାର୍ଟି ବିଷୟରେ ସୂଚନା ଦେଇଥିଲେ ଏବଂ ନିଜକୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଦାବିଦାର କହିଥିଲେ। ଡେଣା ଲାଗିଥିବା ଘୋଡା ହେଉଛି ତାଙ୍କ ପାର୍ଟିର ଚିହ୍ନ। ସେ ଏହି ପରି ଡେଣା ଲଗାଇ ବିକାଶକୁ ନୂତନ ଦିଗ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.