ଏବିଭିପିରୁ ମୁଖ୍ୟମନ୍ତ୍ରୀ ଯାତ୍ରା: ଜାଣନ୍ତୁ ଉତ୍ତରାଖଣ୍ଡର ସର୍ବକନିଷ୍ଠ CM ପୁଷ୍କର ସିଂହ ଧାମୀଙ୍କ ସମ୍ପର୍କରେ ସବୁକିଛି

Published By : Prameya-News7 Bureau | July 03, 2021 IST

ଡେରାଡୁନ୍‌ ୩/୦୭: ଉତ୍ତରାଖଣ୍ଡକୁ ମିଳିଲେ ନୂଆ ମୁଖ୍ୟମନ୍ତ୍ରୀ। ଶୁକ୍ରବାର ମୁଖ୍ୟମନ୍ତ୍ରୀ ପଦରୁ ତୀରଥ ସିଂହ ରାଓ୍ବତ ଇସ୍ତଫା ଦେବା ପରେ ପୁଷ୍କର ସିଂହ ଧାମୀଙ୍କ ନାଁ ଚୂଡ଼ାନ୍ତ ହୋଇଛି। ଉଧମ ସିଂହ ନଗରରେ ଥିବା ଖଟିମା ବିଧାନସଭା ସିଟ୍‌ରୁ ଦୁଇ ଥର ବିଧାୟକ ପୁଷ୍କର ସିଂହ ଉତ୍ତରାଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି। ୪୬ ବର୍ଷୀୟ ଧାମୀ ବିଜେପିର ଯୁବ ନେତା ଏବଂ ଉତ୍ତରାଖଣ୍ଡରେ ଆଜି ପର୍ଯ୍ୟନ୍ତ ହୋଇଥିବା ସମସ୍ତ ମୁଖ୍ୟମନ୍ତ୍ରୀମାନଙ୍କ ମଧ୍ୟରେ ସେ ସର୍ବକନିଷ୍ଠ। ଧାମୀଙ୍କ ଜନ୍ମ ୧୬ ସେପ୍ଟେମ୍ବର ୧୯୭୫ରେ ରାଜ୍ୟର ସୀମାନ୍ତ ଜିଲ୍ଲା ପିଥୌରାଗଡ଼ର ଟୁଣ୍ଡୀ ଗାଁରେ ହୋଇଥିଲା। ତାଙ୍କ ସମ୍ପର୍କ ସେନା ସହ ଥିବା ବେ​‌​‌ଳେ ତାଙ୍କର ୩ ଭଉଣୀ ଅଛନ୍ତି। ତାଙ୍କ ପିତା ଭାରତୀୟ ସେନାରେ ସୈନିକ ଥିଲେ ।

ଧାମୀଙ୍କ ପ୍ରାଥମିକ ଶିକ୍ଷା ଗାଁରେ ହୋଇଥିବା ବେଳେ ଉଚ୍ଚତର ଶିକ୍ଷା ଲକ୍ଷ୍ନୌ ବିଶ୍ବବିଦ୍ୟାଳୟରେ ହୋଇଥିଲା । ସେ ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ବର୍ତ୍ତମାନ ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂହ କୋଶ୍ୟାରିଙ୍କ ନିକଟତମ ବୋଲି କୁହାଯାଏ। କିନ୍ତୁ ​ ସେ ବିବାଦରୁ ସର୍ବଦା ଦୂରରେ ରହୁଥିବା ନେତା। ସରକାର ଚଳାଇବା ଧାମୀଙ୍କ ପାଇଁ ମୁସକିଲ ହୋଇପାରେ। କାରଣ ଯୁବ ନେତା ହୋଇଥିବା ବେଳେ ତାଙ୍କ ପାଖରେ ଏନେଇ ଅନୁଭବ କମ୍‌ ରହିଛି। ଦଳର ବରିଷ୍ଠ ନେତା ଏବଂ ଅଧିକାରୀଙ୍କ ସହ ସମନ୍ବୟ ରକ୍ଷା କରିବା ଧାମୀଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇପାରେ ବୋଲି ଚର୍ଚ୍ଚା ହେଉଛି।

ପୁଷ୍କର ସିଂହ ଧାମୀ ୧୯୯୦ରୁ ୧୯୯୯ ପର୍ଯ୍ୟନ୍ତ ଜିଲ୍ଲାରୁ ରାଜ୍ୟ ଏବଂ ରାଷ୍ଟ୍ରୀୟ ସ୍ତରରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି)ର ବିଭିନ୍ନ ପଦରେ ରହି କାର୍ଯ୍ୟ କରିଥିଲେ। ଏହି ସମୟରେ ପ୍ରଦେଶ ମନ୍ତ୍ରୀ ଭାବେ ଲକ୍ଷ୍ନୌରେ ହୋଇଥିବା ଏବିଭିପିର ରାଷ୍ଟ୍ରୀୟ ଅଧିବେଶନର ସଂଯୋଜକ ଭୂମିକା ନିଭାଇଥିଲେ ଧାମୀ। ଉତ୍ତରାଖଣ୍ଡ ରାଜ୍ୟ ଭାବେ ମାନ୍ୟତା ପାଇବା ପର ଧାମୀ ସିଏମ କୋଶ୍ୟାରିଙ୍କ ପରାମର୍ଶଦାତା ଭାବେ ନିଯୁକ୍ତ ହୋଇଥିଲେ। ପୁଷ୍କର ଧାମୀ ୨୦୦୨ରୁ ୨୦୦୮ ମଧ୍ୟରେ ଲଗାତାର ବିଜେପି ଯୁବ ମୋର୍ଚ୍ଚାର ପ୍ରଦେଶ ଅଧ୍ୟକ୍ଷ ରହିଥିଲେ।

ଧାମୀ ଉତ୍ତରାଖଣ୍ଡ ବିଜେପିରେ ପ୍ରଦେଶ ଉପାଧ୍ୟକ୍ଷ ମଧ୍ୟ ହୋଇଥିଲେ। ୨୦୧୨ରେ ଖଟିମାରୁ ବିଧାୟକ ହୋଇଥିଲେ ଧାମୀ। ଏହା ପରେ ସେ ଦ୍ବିତୀୟ ବାର ୨୦୧୭ରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ତୀରଥଙ୍କ ଇସ୍ତଫା ପରେ ଦଳ ଯୁବ ନେତା ଧାମୀଙ୍କୁ ମୁଖ୍ୟମନ୍ତ୍ରୀ କରାଇ  ଯୁବ ଭୋଟରଙ୍କ ଧ୍ୟାନ ଟାଣିବାକୁ ଚେଷ୍ଟା କରୁଥିବା କୁହାଯାଉଛି। ୨୦୨୨ରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପି ଏହି ମାଷ୍ଟର ପ୍ଲାନ୍‌ କରିଛି।

୫୭ ବିଧାୟକ ଥିବା ବେଳେ ବିଜେପି ୩-୩ ଜଣ ମୁଖ୍ୟମନ୍ତ୍ରୀ ବରିବର୍ତ୍ତନ କରିଛି।  ତେବେ ଧାମୀଙ୍କ ପୂର୍ବରୁ ମୁଖ୍ୟମନ୍ତ୍ରୀ ହୋଇଥିବା ତ୍ରିବେନ୍ଦ୍ର ସିଂହ ରାଓ୍ବତ ଏବଂ ତୀରଥ ସିଂହ ରାଓ୍ବତଙ୍କ ସମ୍ବନ୍ଧ ଗଢ଼ଓ୍ବାଲ ସହ ରହିଛି। ଏହା ସହ ବିଜେପିର ପ୍ରଦେଶ ଅଧ୍ୟକ୍ଷ ମଦନ କୌଶିକଙ୍କ ସମ୍ବନ୍ଧ ଗଢ଼ଓ୍ବାଲ ମଣ୍ଡଳ ହରିଦ୍ବାର ସହ ରହିଛି। ଏହାକୁ ଦେଖି ରାଜପୂତ ବଂଶ ସହ ସମ୍ପର୍କିତ  କୁମାଓର ନେତା ପୁଷ୍କର ସିଂହ ଧାମୀଙ୍କୁ ମୁଖ୍ୟମନ୍ତ୍ରୀ କରିଛି ବିଜେପି । ଏହା ଦ୍ବାରା ଉଭୟ କୁମାଓ ଏବଂ ଗଢ଼ଓ୍ବାଲ ମଧ୍ୟରେ ସମନ୍ବୟ ରକ୍ଷା ହୋଇପାରିବ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.