ରାଜନୀତି ଚେସ୍ ବୋର୍ଡରେ ପୁରୀ ଗଣ୍ଡଗୋଳ : ମହେଶ୍ବରଙ୍କୁ ଘେରିଲେ ବିରୋଧୀ, ମହେଶ୍ବର ଜାରୀ କଲେ ସିସିଟିଭି ଫୁଟେଜ

Published By : Prameya-News7 Bureau | October 08, 2018 IST

ପୁରୀ ୮|୧୦: ରାଜନୀତି ଚେସ୍ ବୋର୍ଡରେ ପୁରୀ ଗଣ୍ଡଗୋଳ ।  ଗୋଟିଏ ପଟେ ପୋଲିସର ଗିରଫ ଅଭିଯାନ ଜାରି ରହିଥିବା ବେଳେ ଅନ୍ୟ ପଟେ ଶାଣିତ ହୋଇଛି ରାଜନୈତିକ ବୟାନ ବାଜି । ପୁରୀ ବିଧାୟକ ତଥା ରାଜସ୍ବ ମନ୍ତ୍ରୀ ମହେଶ୍ବର ହିଁ ଗଣ୍ଡଗୋଳ ପଛର ମାଷ୍ଟର୍ ମାଇଣ୍ଡ୍ ବୋଲି ସବୁ ଦଳ ଓ ବରିଷ୍ଠ ନେତାଏ କହିଲେଣି । ଜିଲ୍ଲାପାଳ, ଏସପି ଓ ଗଜପତିଙ୍କ ଭୂମିକାକୁ ନେଇ ବି ପ୍ରଶ୍ନ ଉଠିଲାଣି । ଦିନକୁ ଦିନ ଜଟିଳ ହେଉଛି ଶ୍ରୀମନ୍ଦିର ଭଙ୍ଗାରୁଜା ପୁରୀ ହିଂସାକାଣ୍ଡ ରାନୀତି । ଧାଡ଼ି ଦର୍ଶନ ବ୍ୟବସ୍ଥା ବିରୋଧରେ ଭଡ଼କି ଥିବା ଜନତା ଓ ସେବାୟତଙ୍କ ପଛରେ କିଏ ଅଛି ନା ଏହା ସ୍ବତଃସ୍ପୂର୍ତ୍ତ ତାକୁ ନେଇ ଚାଲିଛି ବୟାନ ବାଜି । ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ମହେଶ୍ବର ମହାନ୍ତିଙ୍କ ଭୂମିକାକୁ ସନ୍ଦେହଘେରକୁ ଆଣିଛନ୍ତି ବିରୋଧୀ ମହେଶ୍ବରଙ୍କ ଇଙ୍ଗିତରେ ଗଣ୍ଡଗୋଳ ହୋଇଥିବା ବିଜେପି ସିଧା ଅଭିଯୋଗ କରିଛି । ବିଜେପି ନେତା କନକ ବର୍ଦ୍ଧନ ସିଂହଦେଓ ସିଧାସଳଖ ମହେଶ୍ବର ମହାନ୍ତିଙ୍କ ଆଡକୁ ଅଂଗୁଳି ନିର୍ଦ୍ଦେଶ କରିଛନ୍ତି। ତାଙ୍କୁ ନଧରି ପୋଲିସ ଅନ୍ଧାରରେ ବାଡ଼ି ବୁଲାଉଛି । ଆଉ ଅନୁକମ୍ପା ସାଉଣ୍ଟିବାକୁ ଚେଷ୍ଟା ଚାଲିଛି । ସେହିଭଳି ଉଭୟ ଗଣ୍ଡଗୋଳକାରୀ ଏବଂ ଗଣ୍ଡଗୋଳ ପାଇଁ ପରିବେଶ ଭିଆଇଥିବା ଲୋକଙ୍କୁ ସମ ପରିମାଣର ଦୋଷୀ ଅଭିହିତ କରିଛନ୍ତି ବରିଷ୍ଠ ନେତା ବିଜୟ ମହାପାତ୍ର । ଦାମୋଦର ରାଉତ ବି ଗୁଗଲୀ ଫିଙ୍ଗିଛନ୍ତି । ମହେଶ୍ବର ହିଁ ମାଷ୍ଟର ମାଇଣ୍ଡ ବୋଲି କହିଛନ୍ତି ସେ । ସେପଟେ ଜଗନ୍ନାଥ ସଙ୍କଟରେ ପଡ଼ିଥିବା ବେଳେ ଗିରଫଦାରୀ ଡ୍ରାମା ଚାଲିଥିବା କହିଛନ୍ତି ପିସିସି ସଭାପତି । ଧାଡ଼ି ଦର୍ଶନ ବିରୋଧରେ ଯଦି ଏତେ ବିରୋଧାଭାସ ଥିଲା, ତେବେ କେମିତି ତାହା କେହି ଜାଣିପାରିଲେ ନାହିଁ ? ସେହିଭଳି ୨୨ ପାହାଚ ଖୋଳାଯିବା ପୂର୍ବରୁ ଶଙ୍କରାଚାର୍ଯ୍ୟ ଓ ଗଜପତି ମହାରାଜଙ୍କୁ ପଚରା ଯାଇଥିଲା କି ନାହିଁ ତାହା ଏବେ ବି ଅନ୍ଧାରରେ । ସେପଟେ ଆଜି ଆଉ ୧୬ ଜଣଙ୍କୁ ବାନ୍ଧିଛି ପୋଲିସ୍ । ବର୍ତ୍ତମାନ ସୁଦ୍ଧା ୫୮ ଜଣ ଗିରଫ ହୋଇ ସାରିଲେଣି । ଶାନ୍ତି କମିଟି ସଦସ୍ୟଙ୍କୁ ମଧ୍ୟ ଗିରଫ କରିବାକୁ ଉଦ୍ୟମ ଆରମ୍ଭ ହୋଇଛି । ଘଟଣାକୁ ଦୁଃଖଦ ଏବଂ ଦୁର୍ଭାଗ୍ୟଜନକ କହିଛନ୍ତି ଗଜପତି ମହାରାଜ । ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ସେ । ପୂରା ଘଟଣା ପାଇଁ କିନ୍ତୁ ବିଜେପି ମୁଣ୍ଡରେ ଅଠା ବୋଳିଛନ୍ତି ମନ୍ତ୍ରୀ ମହେଶ୍ବର ମହାନ୍ତି । ବିଜେପି କର୍ମୀମାନେ ହିଂସାକାଣ୍ଡ ଘଟାଇଥିବା ନେଇ ଜାରିକଲେ ସିସିଟିଭି ଫୁଟେଜ । ଏସବୁ ବିବାଦ ଭିତରେ ଶ୍ରୀମନ୍ଦିର ଭିତରର ଫଟୋ ପୁଣି ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ବାଇଶି ପାହାଚରେ ପିତୃପକ୍ଷ ପାଳନ ପାଇଁ ପିଣ୍ଡଦାନ କରିବାର କିଛି ଫଟୋ ଫେସବୁକରେ ଛାଡ଼ି ନିଲମ୍ବିତ ହୋଇଛନ୍ତି ସମୁଦ୍ରକୂଳ ଥାନା ଏଏସଆଇ ଦିଲ୍ଲୀପ ପଣ୍ଡା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.