ଶ୍ରୀମନ୍ଦିର ଚାରିପାଖରୁ ଉଚ୍ଛେଦ କାର୍ଯ୍ୟ ଜାରି, ବଡଦାଣ୍ଡ ବ୍ୟାରିକେଡ ଭିତରେ ଭକ୍ତଙ୍କ ପାଇଁ ପଡିଲା ମ୍ୟାଟ
20/08/2019 at 6:40 PM

ପୁରୀ ୨୦।୮: ପୁରୀ ଶ୍ରୀମନ୍ଦିର ଚତୁଃପାର୍ଶ୍ବ ମେଘନାଦ ପାଚେରୀ ସଂଲଗ୍ନ ଜବରଦଖଲ ଉଚ୍ଛେଦଜାରି । ଲଗାତର ଦ୍ବିତୀୟ ଦିନରେ ସିଂହଦ୍ବାର ନିକଟ ସୂଚନା କେନ୍ଦ୍ର, ସିଂହଦ୍ବାର ଫାଣ୍ଡି, ସୂଚନା ଓ ଲୋକସଂପର୍କ ବିଭାଗର ସୂଚନା କେନ୍ଦ୍ର, ଦକ୍ଷିଣ ଦ୍ବାର, କ୍ଲକ୍ ରୁମ୍, ଶୌଚାଳୟ ଭଙ୍ଗାଯାଇଛି। ସଂପୁର୍ଣ୍ଣ ଜବରଦଖଲ ଉଛେଦ ପ୍ରକ୍ରିୟା ସରିବା ପରେ ଏଠାରେ ସୌନ୍ଦର୍ଯ୍ୟ କରଣ କାର୍ଯ୍ୟ କରାଯିବ।

ମେଘନାଦ ପାଚେରୀ ନିକଟରୁ ଜବରଦଖଲ ହଟାଚାଲିଛି । ସୋମବାର ଭଳି ମଙ୍ଗଳବାର ସକାଳୁ ସକାଳୁ ଶ୍ରୀମନ୍ଦିର ପ୍ରାଚୀର ପାର୍ଶ୍ବ ଜବରଦଖଲ ନିର୍ମାଣ ସବୁକୁ ଭାଙ୍ଗିବା ଆରମ୍ଭ ହୋଇଥିଲା । ପୋଲିସ ଫୋର୍ସ ଓ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଦକ୍ଷିଣ ଓ ପଶ୍ଚିମ ଦ୍ବାର ସହ ସିଂହଦ୍ବାରରେ ଜବରଦଖଲ ଉଚ୍ଛେଦ ଆରମ୍ଭ ହୋଇଥିଲା । ଏବେ ସୁଦ୍ଧା ସିଂହଦ୍ବାର ସୂଚନା କେନ୍ଦ୍ର, ଫାଣ୍ଡି, ପମ୍ପ ହାଉସ୍ ମାଟିରେ ସଂପୁର୍ଣ୍ଣ ଭାବେ ମିଶିଛି । କିଛି ମଠ ଓ ମନ୍ଦିରକୁ ବାଦ ଦେଲେ ମେଘନାଦ ପାଚେରୀକୁ ଲାଗି ରହିଥିବା ସମସ୍ତ ଜବରଦଖଲ ଉଛେଦ କରାଯାଇଛି। ୮ ଟି ଜେସିବି ଓ ହାଇୱା ମେସିନ୍ ସହ ଶତାଧିକ କର୍ମଚାରୀଙ୍କ ସହାୟତାରେ ଦ୍ବିତୀୟ ଦିନରେ ଏହି ଉଛେଦ କରାଯାଇଛି।

ଦକ୍ଷିଣ ଦ୍ବାରରେ ମହାବୀର ମନ୍ଦିରର କିଛି ଅଂଶ, କ୍ଲକ ରୁମ୍ ଓ ଶୌଚାଳୟକୁ ସଂପୁର୍ଣ୍ଣ ଭାଙ୍ଗି ଦିଆଯାଇଛି। ସୂଚନା ଓ ଲୋକସଂପର୍କ ବିଭାଗର ସୂଚନା କେନ୍ଦ୍ର ଉପରେ ଥିବା ଉତ୍କଳମଣି ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ସ୍ଥାନାନ୍ତରଣ ପରେ ବିଲ୍ଡ଼ିଂକୁ ସଂପୁର୍ଣ୍ଣ ଭଙ୍ଗାଯିବ ବୋଲି ଜିଲ୍ଲାପାଳ କହିଛନ୍ତି।ସଂପୁର୍ଣ୍ଣ ଜବରଦଖଲ ଉଛେଦ ସରିବା ପରେ ମେଘନାଦ ପାଚେରୀ ଐତିହ୍ୟର ସୁରକ୍ଷା ସହ ଶ୍ରୀମନ୍ଦିର ଚତୁପାର୍ଶ୍ବର ସୌନ୍ଦର୍ଯ୍ୟକରଣ କରାଯିବ।

ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରୁ ସିଂହଦ୍ବାର ପର୍ଯ୍ୟନ୍ତ ବ୍ୟାରିକେଡ଼୍ ଘେରା ଯାଇଥିବା ଅଂଚଳରେ ଭକ୍ତଙ୍କ ପାଇଁ ମ୍ୟାଟ୍ ପକାଯାଇଛି। ସେହିଭଳି ଉଚ୍ଛେଦ ହୋଇଥିବା ସୂଚନା କେନ୍ଦ୍ର ଓ ଫାଣ୍ଡି ଅସ୍ଥାୟୀ ଭାବେ କଣ୍ଟେନରରେ କାର୍ଯ୍ୟ ଆରମ୍ଭ କରିଛି।
