ପୁରୀ ପ୍ରଶାସନର ଅବହେଳା ଯୋଗୁଁ ପବିତ୍ରତା ହରାଉଛି ଶରଧାବାଲି: ଗାଡ଼ି ପାର୍କିଂ ସହ କୁକୁର ଏବଂ ନିଶାଖୋର ବ୍ୟକ୍ତିଙ୍କ ଭିଡ ଜମୁଛି

Published By : Prameya-News7 Bureau | January 19, 2021 IST

ପୁରୀ୧୯/୧: କରୋନା କଟକଣା କୋହଳ ହେବା ପରେ ଶ୍ରୀକ୍ଷେତ୍ରରେ ଏବେ ପର୍ଯ୍ୟଟକଙ୍କ ସୁଅ ଛୁଟୁଛି। ଅନେକ ଭକ୍ତ କରୋନା ନେଗେଟିଭ ରିପୋର୍ଟ ସାଙ୍ଗରେ ଧରି ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରୁଛନ୍ତି। ତେବେ ବିଡ଼ମ୍ୱନାର ବିଷୟ ଗୁଣ୍ତିଚା ମନ୍ଦିର ନିକଟ ଶରଧାବାଲି ଏବେ ପବିତ୍ରତା ହରାଇ ବସିଛି। ଯେଉଁ ଧୂଳିକୁ ହାତରେ ଧରି ମୁଣ୍ତରେ ମାରିଥାନ୍ତି ଭକ୍ତ ମାନେ ଏବେ ସେହି ଶରଧାବାଲି ବସ ପାର୍କିଂସ୍ଥଳ ପାଲଟିଛି। ମଇଳା ପାଣି ଭାସୁଥିବା ଦେଖି ଭକ୍ତ ନିରାଶ ହୋଇ ଫେରୁଥିବା ବେଳେ ପ୍ରଶାସନର ଅବହେଳା ଯୋଗୁଁ ସ୍ଥାନୀୟ ଲୋକେ କ୍ଷୋଭ ପ୍ରକାଶ କରିଛନ୍ତି।

{"id":394940,"sizeSlug":"large","linkDestination":"none"}

ପୁରୀ ପ୍ରଶାସନର ଅବହେଳା ଯୋଗୁଁ ପବିତ୍ରତା ହରାଉଛି ଶରଧାବାଲି। ଗାଡ଼ି ପାର୍କିଂସ‌୍ଥଳ ଏବଂ ବୁଲା ଗାଇ ଗୋରୁ, କୁକୁରଙ୍କ ସହ ନିଶାଖୋରଙ୍କ ଆଡ଼ାସ୍ଥଳ ପାଲଟିଛି ଶରଧାବାଲି। କେଉଁଠି ମଦ ବୋତଲ ଗଡ଼ୁଛି ତ କେଉଁଠି ବୁଲା କୁକୁର ଶୋଇଛନ୍ତି। ସେପଟେ ମଇଳା ପାଣିରେ ଭାସୁଛି ଶରଧାବାଲି। ଅନ୍ୟପଟେ ବସଷ୍ଟାଣ୍ତରେ ବସ ରଖିବା ବଦଳରେ ଏବେ ଶରଧବାଲି ଅଞ୍ଚଳକୁ କବଜା କରି ନେଇଛନ୍ତି ବସ ମାଲିକ ଓ କର୍ମଚାରୀମାନେ। ବସରେ କାର୍ଯ୍ୟ କରୁଥିବା କର୍ମଚାରୀ ମାନେ ଶରଧାବାଲିରେ ବସ ରଖି ସଫା ପାଣିରେ ସଫା କରୁଥିବା ବେଳେ ମଇଳା ପାଣି ସିଧାସଳଖ ଶରଧାବାଲିରେ ଯାଇ ମିଶୁଛି। ଫଳରେ ଶରଧାବାଲିର ପବିତ୍ରତା ନଷ୍ଟ ହେଉଥିବା ବେଳେ ଏହା ଭକ୍ତଙ୍କ ଭାବା ବେଗକୁ ଆଘାତ ଦେଉଛି।

ସେହିପରି ଶରଧାବାଲିକୁ ଲାଗି ରହିଥିବା ବିଦ୍ୟୁତ ଖୁଣ୍ଟରେ ମୁକୁଳା ହୋଇ ପଡ଼ିଛି ବିପଦଜନକ ଭାବେ ବିଦ୍ୟୁତ ତାର। ଯାହାକୁ ସେଠାରେ ଥିବା ସ୍କୁଲ ଏବଂ ଭକ୍ତଙ୍କ ଜୀବନପ୍ରତି ବିପଦ ରହିଛି। ତେବେ ପୁରୀକୁ ବିଶ୍ୱ ଆଧ୍ୟାତ୍ମିକ ନଗରୀ କରିବା ପାଇଁ ରାଜ୍ୟ ସରକାର ଅଣ୍ଟା ଭିଡ଼ିଥିବା ବେଳେ ଶରଧାବାଲି ପ୍ରତି ଏଭଳି ଅବହେଳା ଅସନ୍ତୋଷ ସୃଷ୍ଟି କରିଛି ଭକ୍ତଙ୍କ ମନରେ। ସ୍ୱୟଂ ମହାପ୍ରଭୁ ବାହୁଡ଼ା ସମୟରେ ଯେଉଁ ବାଟେ ଯାତ୍ରା କରିଥାନ୍ତି ଉକ୍ତ ସ୍ଥାନର ପବିତ୍ରତା ରକ୍ଷା କରିବା ଅତ୍ୟନ୍ତ ଅପରିହାର୍ଯ୍ୟ ବୋଲି ଭକ୍ତ ତଥା ସ୍ଥାନୀୟ ବାସିନ୍ଦା ମତ ଦେଇଛନ୍ତି।

ତେବେ ପୂର୍ବରୁ ପୁରୀର ସାହିଭାଇ ଅନୁଷ୍ଠାନ ପକ୍ଷରୁ ଶରଧାବାଲିକୁ ପାର୍କିଂ ମୁକ୍ତ କରିବା ସହ ଏହାର ପବିତ୍ରତା ରକ୍ଷା କରିବା ପାଇଁ ସମ୍ପୁର୍ଣ୍ଣ ଶରଧାବାଲି ଅଞ୍ଚଳକୁ ବ୍ୟାରିକେଡ଼ିଂ ଦ୍ବାରା ରଖାଯାଇଥିଲା। କୌଣସି ବ୍ୟକ୍ତି ସେଠାରେ ଯେଭଳି ମଳତ୍ୟାଗ ନକରିବେ ସେନେଇ ମହାପ୍ରଭୁଙ୍କର ବିଭିନ୍ନ ବେଶର ଚିତ୍ର କାନ୍ଥରେ ଅଙ୍କା ଯାଇଥିଲା। କିନ୍ତୁ ଜିଲ୍ଲା ପ୍ରଶାସନ ଓ ପୌରସଂସ୍ଥାର ଅବହେଳା ଯୋଗୁଁ ଶରଧାବାଲି ଏବେ ନିଜର ପବିତ୍ରତା ହରାଇ ବସିଛି। ସେହିପରି ପୁରୀ ପୌରସଂସ୍ଥାର ଅନୁମତି ପରେ ଗୁଣ୍ତିଚା ମନ୍ଦିର ସାମ୍ନା ଏବେ ଅସ୍ଥାୟୀ ବସଷ୍ଟାଣ୍ତ ପାଲଟିଯାଇଛି।

ଏହି ଅନୁମତିର ଫାଇଦା ଉଠାଇ ବସ ମାଲିକମାନେ ଶରଧାବାଲିକୁ ମଧ୍ୟ କବଜା କରି ସାରିଲେଣି। ସେପଟେ ମୋ ଧାମ, ମୋ ଗର୍ବ ଏବଂ ପବିତ୍ର ପୁରୀ, ଗର୍ବ ଆମର ନାରା ଦେଉଥିବା ପ୍ରଶାସନର ଦୋମୁହାଁ ନୀତି ଏହି ଘଟଣାରୁ ଜଣାପଡ଼ୁଛି। ସେପଟେ ଶରଧାବଳଇର ପବତ୍ରତାକୁ କ୍ଷୁର୍ଣ୍ଣ ହେବାକୁ ଦିଆଯିବ ନାହିଁ। ସେଠାରେ ଏ ନେଇ ଖୁବଶୀଘ୍ର ବ୍ୟାରିକେଡ଼ିଂ ସହ ପବିତ୍ରତା ରକ୍ଷା ପାଇଁ ଆବଶ୍ୟକୀୟ ବ୍ୟବସ୍ଥା କରାଯିବ ବୋଲି ପୌରାଧିକାରୀ କହିଛନ୍ତି। ଦୀର୍ଘଦିନ ଧରି ଅବ୍ୟବସ୍ଥା ଘେରରେ ଥିବା ଶରଧାବାଲିର କେବେ ହେବ ସୌନ୍ଦର୍ଯ୍ୟକରଣ ଏବଂ ରକ୍ଷଣାବେକ୍ଷଣ ସେନେଇ ସମସ୍ତଙ୍କର ଅପେକ୍ଷା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.