ପବିତ୍ର ଘୋଷଯାତ୍ରା ପାଇଁ ଚଳଚଞ୍ଚଳ ରଥଖଳା, ଜୋରସୋରରେ ଚାଲିଛି ରଥ ନିର୍ମାଣ କାର୍ଯ୍ୟ : ସ୍ନାନଯାତ୍ରା ଲାଗି ଆଜିଠାରୁ ଶ୍ରୀମନ୍ଦିରରେ ପ୍ରବେଶ କଲେ ଦଇତାପତି

Published By : Prameya-News7 Bureau | June 15, 2019 IST

ପୁରୀ (ଚିତରଂଜନ ମହାନ୍ତି) ୧୫|୬: ଆଉ ଦିନକ ପରେ ମହାପ୍ରଭୁଙ୍କ ସ୍ନାନଯାତ୍ରା । ସ୍ନାନଯାତ୍ରା ଅବସରରେ ୩ ରଥର ୪ ନାହାକା କାର୍ଯ୍ୟ ଶେଷ ହେବ । ଏହି ପରମ୍ପରାକୁ ଦୃଷ୍ଟିରେ ରଖି ଏବେ ୩ ରଥର ପ୍ରସ୍ତୁତି ଜୋରସୋରେ ଆଗେଇ ଚାଲିଛି । ସେହିପରି ଆସନ୍ତା ରଥଯାତ୍ରା ପାଇଁ ଆଜିଠାରୁ ଦଇତାପତି ସେବାୟତଙ୍କ ଆରମ୍ଭ ହୋଇଯାଇଛି ନୀତି ଓ କାର୍ଯ୍ୟ।

{"id":123225}

ପବିତ୍ର ଘୋଷଯାତ୍ରା ପାଇଁ ଚଳଚଞ୍ଚଳ ରଥଖଳା । ଏବେ ୩ ରଥର ସମସ୍ତ ୪୨ ଟି ଚକ ସହ ୨୧ ଟି ଅକ ସଂଯୋଗ କରାଯିବା ପରେ ଦଣ୍ତା ଖଞ୍ଜିବା ଶେଷ କରାଯିବା ପାଇଁ ଉଦ୍ୟମ ଚାଲିଛି। ୩ ରଥର ସମୁଦାୟ ୨୫ ଟି ଦଣ୍ତା ମଧ୍ୟରୁ ନନ୍ଦିଘୋଷ ଓ ତାଳଧ୍ୱଜର ୯ ଟି ଲେଖାଏଁ ଓ ଦର୍ପଦଳନରେ ୭ ଟି ଦଣ୍ତା ରହିଛି। ଏ ସମସ୍ତ ଦଣ୍ତା ନିର୍ମାଣ ଶେଷ ହୋଇଥିବା ବେଳେ ଏଗୁଡ଼ିକ ଭୋଇ ସେବାୟତଙ୍କ ସହାୟତାରେ ଖଞ୍ଜା ଯାଇଥାଏ । ଆସନ୍ତାକାଲି ଦଣ୍ତାଗୁଡ଼ିକ ସଂପୂର୍ଣ୍ଣ ଖଞ୍ଜା ଯିବାପରେ ୩ ରଥର ମଧ୍ୟ ଭାଗରେ କାମ ଆରମ୍ଭ କରାଯିବ। ପ୍ରତ୍ୟେକ ରଥର ୪ ଟି ଲେଖାଏଁ ନାହାକାକୁ ଦଣ୍ତା ଉପରେ ରଖାଯିବ।

{"id":123226}

ସେପଟେ ଦିନକ ପରେ ସ୍ନାନଯାତ୍ରା । ତେଣୁ ପରମ୍ପରା ମୁତାବକ ଆଜି ଠାରୁ ଶ୍ରୀମନ୍ଦିରରେ ଦଇତାପତି ପ୍ରବେଶ କରିଛନ୍ତି । ମହାପ୍ରଭୁଙ୍କ ଶ୍ରୀଅଙ୍ଗରକ୍ଷକ ଭାବେ ପରିଚିତ ଦଇତାପତିମାନେ ଆଜିଠାରୁ ମହାପ୍ରଭୁଙ୍କ ସେବାରେ ଲାଗିବେ । ଆଜି ବଡ଼ସିଂହାର ବେଶ ପରେ ଦଇତାପତି ମାନେ ଶ୍ରୀଅଙ୍ଗ ସୁରକ୍ଷା ଲାଗି ବାହୁଟ କଣ୍ଟ କରିବେ। କୋଠ ସୁଆଁସିଆମାନେ ରତ୍ନ ସିଂହାସନ ନିକଟରେ ଆସନ୍ତା କାଲିଠାରୁ ପହଣ୍ତି ପାଇଁ ଚାରମାଳ ବାନ୍ଧିବା କାର୍ଯ୍ୟ କରିବେ।

{"id":123227}

ସ୍ନାନପୁର୍ଣ୍ଣିମା ଦିନ ୩ ରଥରେ ୪ ନାହାକା କାର୍ଯ୍ୟ ଶେଷ କରିବା ପାଇଁ ଥିବାରୁ ବିଶ୍ୱକର୍ମା ମହାରଣା ମାନେ ଦେଢ଼ାମଜୁରୀ ନେଇ ରଥକାମ ଶେଷ କରିବାରେ ଲାଗିଛନ୍ତି । ସେହିପରି ଆସନ୍ତାକାଲିଠାରୁ ଦଇତାପତିମାନେ ଶ୍ରୀଅଙ୍ଗ ସୁରକ୍ଷା ପାଇଁ ସେନାପଟା ଲାଗି କାର୍ଯ୍ୟ ମଧ୍ୟ ଆରମ୍ଭ କରିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.