ଅପରାଗତା ଲୁଚାଇବା ପାଇଁ ପୁରୀରେ ପୋଲିସର ବର୍ବରକାଣ୍ଡ: ସାରା ରାଜ୍ୟ ନିନ୍ଦାକଲା ସମ୍ବାଦିକଙ୍କୁ ମାଡମାରି ଲହୁଲୁହାଣ କରିବା

Published By : Prameya-News7 Bureau | September 29, 2018 IST

ପୁରୀ ୨୯|୯: ପୁରୀ ଡାକ୍ତରଖାନା ଛକରେ ଥିବା ଖୁଣ୍ଟିଆ ପେଟ୍ରୋଲ ପମ୍ପରେ ଉତ୍ୟକ୍ତ ଲୋକଙ୍କ ଭଙ୍ଗାରୁଜା ଘଟଣାରେ ସାମ୍ବାଦିକଙ୍କ ଉପରେ ପୋଲିସ ଆକ୍ରମଣ ବର୍ବରତା ଦେଖିବାକୁ ମିଳିଛି ।  ପେଟ୍ରୋଲ ପମ୍ପରେ ଦୀର୍ଘ ଦିନ ଧରି ଗ୍ରାହକଙ୍କୁ ଅପମିଶ୍ରିତ କମ ପରିମାଣର ତେଲ ଦିଆଯାଉଥିବା ଅଭିଯୋଗ କରି ତାତିଥିଲେ ସ୍ଥାନୀୟ ଲୋକେ । ଆଉ ପେଟ୍ରୋଲ ପମ୍ପରେ ବ୍ୟାପକ ଭଙ୍ଗାରୁଜା କରିଥିଲେ । ପୋଲିସ ପହଞ୍ଚି ଉତ୍ୟକ୍ତ ଲୋକଙ୍କ ସହ ଖବର ସଂଗ୍ରହ କରିବାକୁ ଯାଇଥିବା ସାମ୍ବାଦିକଙ୍କୁ ମଧ୍ୟ ଗୋଡ଼ାଇ ଗୋଡ଼ାଇ ପିଟିଥିଲା । ଫଳରେ ଲହୁଲୁହାଣ ହୋଇଥିଲେ ଅନେକ ସାମ୍ବାଦିକ ।ଏହି ଘଟଣା ନେଇ ସମଗ୍ର ରାଜ୍ୟରେ ସାମ୍ବାଦିକଙ୍କ ମଧ୍ୟରେ ଅସଂତୋଷ ପ୍ରକାଶ ପାଇଛି ।  ସମାଜର ବିଭିନ୍ନ ବର୍ଗ ଏହାକୁ ଦୃଢ ନିନ୍ଦା କରିଛନ୍ତି। ପୁରୀରେ ସାମ୍ବାଦିକଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଲା ପୋଲିସ । ଲାଠି ମାଡ଼ରେ ଲହୁଲୁହାଣ ହେଲେ ୧୦ରୁ ଅଧିକ ସାମ୍ବାଦିକ ଆଉ କ୍ୟାମେରାମ୍ୟାନ୍‌ । କାହାର ମୁଣ୍ଡ ଫାଟି ରକ୍ତ ଝରିଥିଲା ତ ଆଉ କାହାର କାନ୍ଧ ଆଉ ପିଠିରେ ନୋଳା ଫାଟି ଯାଇଥିଲା । କାହାର ମୋବାଇଲ ଭାଙ୍ଗି ଚୁରମାର ହୋଇଛି ତ ଆଉ କାହାର କ୍ୟାମେରା ଭାଙ୍ଗିଛି । ଅବସ୍ଥା ଏମିତି ହୋଇଛି ଯେ, ଗୁରୁତର ଅବସ୍ଥାରେ ୨ଜଣ ସାମ୍ବାଦିକ ଟେକା ହୋଇ ପୁରୀ ଡାକ୍ତରଖାନାକୁ ଯାଇଛନ୍ତି । ହେଲେ ପ୍ରଶ୍ନ ଉଠୁଛି ହଠାତ୍‌ ପୁରୀ ପୋଲିସ ସାମ୍ବାଦିକଙ୍କ ଉପରେ ଏମିତି ବର୍ବର ଆକ୍ରମଣ କଲା କାହିଁକି ?  ଉତ୍ତର ଖୋଜିଲା ବେଳକୁ ସାମ୍ନାକୁ ଆସୁଛି ପୋଲିସର ଅପାରଗତା । ଦୀର୍ଘ ଦିନ ହେଲା ପୁରୀରେ ଆଇନ ଶୃଙ୍ଖଳା ନିୟନ୍ତ୍ରଣ ଦିଗରେ ଫେଲ ମାରିଥିବା ପୁରୀ ପୋଲିସ ନିଜ ଅପାରଗତାକୁ ଲୁଚାଇବାକୁ ଯାଇ ସାମ୍ବାଦିକଙ୍କୁ ଟାର୍ଗେଟ୍‌ କରିଛି । ଏବେ ଟିକେ ଘଟଣାର ଫ୍ଲାସ୍‌ବ୍ୟାକ୍‌କୁ ଯିବା । ଗଲାକାଲି ରାତି ପ୍ରାୟ ସାଢ଼େ ୧୦ଟା ବେଳେ ପୁରୀ ଡାକ୍ତରଖାନା ଛକରେ ଥିବା ଖୁଣ୍ଟିଆ ପେଟ୍ରୋଲ ପମ୍ପରେ ଭଙ୍ଗାରୁଜା ଆରମ୍ଭ କରିଦେଇଥିଲେ କିଛି ଲୋକ । ସେମାନଙ୍କ ଅଭିଯୋଗ ଥିଲା ସମ୍ପୃକ୍ତ ପେଟ୍ରୋଲ ପମ୍ପରେ ଗ୍ରାହକଙ୍କୁ ଅପମିଶ୍ରିତ ଓ କମ୍‌ ପରିମାଣର ତେଲ ଦିଆଯାଉଛି । ବାରମ୍ବାର ଅଭିଯୋଗ ପରେ ବି ସ୍ଥାନୀୟ ପ୍ରଶାସନ ଏ ଦିଗରେ କୌଣସି ପଦକ୍ଷେପ ଗ୍ରହଣ କରୁନାହାନ୍ତି ।ଯାହାକୁ ନେଇ ତାତିଥିଲେ ଲୋକେ । ଆଉ ଆରମ୍ଭ କରିଦେଇଥିଲେ ବ୍ୟାପକ ଭଙ୍ଗାରୁଜା । ପେଟ୍ରୋଲ ପମ୍ପରେ ଗଣ୍ଡଗୋଳ ଚାଲିଥିବା ସମୟରେ  ଖବର ସଂଗ୍ରହ ପାଇଁ ଘଟଣାସ୍ଥଳରେ ପହଞ୍ଚିଥିଲେ ଗଣମାଧ୍ୟମ ପ୍ରତିନିଧି । ସେତେବେଳ ପର୍ଯ୍ୟନ୍ତ ପୋଲିସର ଦେଖା ନଥିଲା । ପୁରୀ ସହର ପୁଣି ବଡ଼ଦାଣ୍ଡ ଉପରେ ଗୋଟିଏ ପେଟ୍ରୋଲ ପମ୍ପରେ ଏତେ ସମୟ ଧରି ଗଣ୍ଡଗୋଳ ଭଙ୍ଗାରୁଜା ଚାଲିଥିଲେ ହେଲେ ଆରାମ୍‌ରେ ଶୋଇଥିଲେ ପୁରୀ ପୋଲିସର ବଡ଼ ବଡ଼ ଅଧିକାରୀ । ପ୍ରାୟ ଘଣ୍ଟାଏ ପରେ ହଠାତ୍‌ ପୋଲିସର ନିଦ ଭାଙ୍ଗିଲା । ଆଉ ଘଟଣାସ୍ଥଳରେ ଫୋର୍ସ ସହ ପହଞ୍ଚିଥିଲା କୁମ୍ଭାରପଡ଼ା ପୋଲିସ । କଥାବାର୍ତ୍ତା କି ବୁଝାସୁଝା ନକରି ସିଧା ଆଟାକ୍‌ କରିଥିଲା । ବଡ଼ ଅଧିକାରୀଙ୍କ ଇଶାରାରେ ଉପସ୍ଥିତ ଜନତାଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଥିଲେ ପୋଲିସ କର୍ମୀ । ପୋଲିସର ବର୍ବରତାରୁ ବର୍ତ୍ତିପାରିନଥିଲେ ବିଭିନ୍ନ ଗଣମାଧ୍ୟମ ପ୍ରତିନିଧି । ଏମିତିକି ରାସ୍ତାରେ ଯାଉଥିବା ସାଧାରଣ ଲୋକ ମଧ୍ୟ ପୋଲିସ ମାଡ଼ର ଶିକାର ହୋଇଥିଲେ । କୁମ୍ଭାରପଡ଼ା ଥାନା ଏବଂ ସମୁଦ୍ରକୁଳ ଥାନା ଆଇଆଇସିଙ୍କ ସାମ୍ନାରେ ସାମ୍ବାଦିକଙ୍କୁ ପୋଲିସ କର୍ମୀ ଗୋଡ଼ାଇ ଗୋଡ଼ାଇ ପଟିଥିଲେ ମଧ୍ୟ କେହି ଏହାକୁ ରୋକିବାକୁ ଚେଷ୍ଟା କରିନଥିଲେ । ଆଉ ସବୁ ସରିବା ପରେ ଘଟଣାସ୍ଥଳରେ ପହଞ୍ଚିଥିଲେ ପୁରୀ ଏସପି ସାର୍ଥକ ଷଡ଼ଙ୍ଗୀ । ସାମ୍ବାଦିକଙ୍କ ଉପରେ ପୋଲିସର ଏଭଳି ବର୍ବରକାଣ୍ଡକୁ ନେଇ ଯେତେବେଳେ ପ୍ରଶ୍ନ ଉଠିଲା, ସେତେବେଳେ ଏସପିଙ୍କ ପାଖରେ ନଥିଲା କୌଣସି ସନ୍ତୋଷ ଜନକ ଉତ୍ତର ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.