ଚିଲିକାରେ ସି-ପ୍ଲେନ୍ ଉଡ଼ିବା ପ୍ରସଙ୍ଗ.. ପୁରୀ ପୋଲିସ ସିଜ୍ କଲା ବୈଜୟନ୍ତ ପଣ୍ଡାଙ୍କ ହେଲିକପ୍ଟର

Published By : Prameya-News7 Bureau | September 17, 2018 IST

ଚିଲିକାରେ ଗତ ଶନିବାର ଦିନ ସି-ପ୍ଲେନ୍ ଉଡେଇବା ଘଟଣାରେ ପୁରୀ ପୋଲିସ ଆଜି ଭୁବନେଶ୍ୱରରୁ ପୂର୍ବତନ ସାଂସଦ ବୈଜନ୍ତ ପଣ୍ଡାଙ୍କ ହେଲିକପ୍ଟରକୁ ଜବତ କରିଛି । ଚିଲିକା ଆଖପାଖ ଅଞ୍ଚଳର ଲୋକମାନେ ଶନିବାର ଦିନ ସି-ପ୍ଲେନ୍ ଅବତରଣ କରିଥିବାନେଇ ଅଭିଯୋଗ କରିଥିଲେ । ଏହାପରେ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ ବିଧିବଦ୍ଧ ଭାବେ ପୁରୀ ପୋଲିସ ନିକଟରେ ମାମଲା ଦାୟର କରିଥିଲେ । ମାମଲାର ଅନୁସନ୍ଧାନ କରି ପୁରୀ ପୋଲିସ ବୈଜୟନ୍ତଙ୍କ ହୋଲିକପ୍ଟର ଜବତ କରିଛି । ଶନିବାର ଦିନ ବୈଜୟନ୍ତଙ୍କ ହେଲିକପ୍ଟର ଚିଲିକା ଉପରେ ଉଡୁଥିଲା ବୋଲି ପୋଲିସ ଅନୁସନ୍ଧାନରୁ ଜାଣିଛି । ତେବେ ହେଲିକପ୍ଟର ଜବତ ହେବାପରେ ବୈଜନ୍ତ ପଣ୍ଡା ଟ୍ୱିଇଟ୍ ମାଧ୍ୟମରେ ନିଜର ପ୍ରତିକ୍ରିୟା ରଖିବାସହ ଘଟଣାକୁ ଅସ୍ୱୀକାର କରିଛନ୍ତି । ସେ କହିଛନ୍ତି ଯେ, ଶନିବାର ଦିନ ସକାଳ ୮ଟା ୪୫ମି. ରେ ସେ ପୁରୀ କୋଣାର୍କ ହୋଇ ହେଲିକପ୍ଟର ଯୋଗେ କେନ୍ଦ୍ରାପଡ଼ା ଯାଇଥିଲେ । କିନ୍ତୁ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ ଦେଇଥିବା ଏତଲାରେ ଦିନ ୧ଟା ୩୦ମି.ରେ ଚିଲିକା ଉପରେ ସି-ପ୍ଲେନ୍ ଅବତରଣ କରିଥିଲା ବୋଲି ଲୋକେ କହିଥିବା ଉଲ୍ଲେଖ ରହିଛି । ସେ ଏହି ସମୟରେ କେନ୍ଦ୍ରାପଡ଼ାରେ ଥିଲେ । ତାଙ୍କ ହେଲିକପ୍ଟର ଉଡ଼ାଣ ସମ୍ପର୍କିତ ସମସ୍ତ ତଥ୍ୟ ଏଟିସିଆର ରେ ମହଜୁଦ ରହିଛି । କୌଣସିମତେ ତାଙ୍କୁ ଫସେଇବା ପାଇଁ ଏହା ଏକ ଉଦ୍ୟମ ବୋଲି ବୈଜୟନ୍ତ ତାଙ୍କ ଟ୍ୱିଇଟରେ କହିଛନ୍ତି । ସୂଚନାଯୋଗ୍ୟ ଯେ ଚିଲିକାରେ ସି-ଏରୋଡ୍ରମ କରିବା ପାଇଁ କେନ୍ଦ୍ର ସରକାରଙ୍କର ଏକ ପ୍ରସ୍ଥାବ ରହିଥିଲା । ତେବେ ଚିଲିକାରେ ସି-ଏରୋଡ୍ରମ କଲେ ଏହାର ଜୈବ ବିବିଧତା ନଷ୍ଟ ହେବ ବୋଲି ଏହା ନ କରିବା ପାଇଁ ରାଜ୍ୟ ସରକାର ଯୁକ୍ତି କରିଥିଲେ । ଫଳରେ ଭାରତୀୟ ବିମାନବନ୍ଦର କର୍ତ୍ତୃପକ୍ଷ ଏଭଳି ଯୋଜନାରୁ ନିବ୍ରୁତ ରହିଥିଲେ । ଏହି ଘଟଣାର ମାତ୍ର ଗୋଟିଏ ସପ୍ତାହ ମଧ୍ୟରେ ଗତ ଶନିବାର ଦିନ ଚିଲିକା ଉପରେ ଏକ ହେଲିକପ୍ଟର ପ୍ରଚଣ୍ଡ ଶବ୍ଦ ସୃଷ୍ଟି କରି ଦୀର୍ଘ ସମୟ ଧରି ରହିଥିଲା ବୋଲି ପୁରୀ ଜିଲ୍ଲା ବ୍ରହ୍ମଗିରୀ ଅଞ୍ଚଳର ଲୋକମାନେ ଅଭିଯୋଗ କରିଥିଲେ । ଲୋକଙ୍କ କଥା ଆଧାରରେ ଗଣମାଧ୍ୟମରେ ମଧ୍ୟ ଖବର ପ୍ରସାରିତ ହୋଇଥିଲା । ସରକାର ଏ ସମ୍ପର୍କରେ ଯାଞ୍ଚ କରୁଥିବା ସୂଚନା ଦେବାସହ ସମ୍ଭବତଃ ତଟରକ୍ଷୀ ବାହିନୀର ହେଲିକପ୍ଟର ହୋଇଥାଇ ପାରେ ବୋଲି କୁହାଯାଇଥିଲା । ତେବେ ଆଜି ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ ପୋଲିସରେ ଏତଲା ଦେଇଥିଲେ । ବୈଜୟନ୍ତଙ୍କ ହେଲିକପ୍ଟର ଚିଲିକା ଉପରେ ଉଡ଼ିଥିବା ପୋଲିସ କିଭଳି ଜାଣିଲା ସେ ସମ୍ପର୍କରେ ପୁରୀ ପୋଲିସ ଠାରୁ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ମିଳିନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.