ପୁରୀ ହାଜତ ମୃତ୍ୟୁ: ସୋମବାର ସୁଦ୍ଧା ରିପୋର୍ଟ ଦେବାକୁ ସରକାରଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ, ଅଭିଯୁକ୍ତଙ୍କୁ ଗିରଫ ଓ ମୃତକଙ୍କ ପରିବାରଙ୍କୁ କ୍ଷତି ପୂରଣ ଦାବିରେ ବିରୋଧୀ

Published By : Prameya-News7 Bureau | November 20, 2020 IST

ପୁରୀ ୨୦।୧୧: ପୁରୀ ବାସେଳି ସାହି ଥାନା ହାଜତ ମୃତ୍ୟୁ ମାମଲା ହାଇକୋର୍ଟ ପହଞ୍ଚିଛି । ସୋମବାର ସୁଦ୍ଧା ସମସ୍ତ ରେକର୍ଡ ଦାଖଲ କରିବାକୁ ରାଜ୍ୟ ସରକାରଙ୍କୁ ନୋଟିସ ଜାରି କରିଛନ୍ତି ଉଚ୍ଚତମ ନ୍ୟାୟାଳୟ । ପୁରୀ ଏବଂ ବୀରମିତ୍ରପୁର ହାଜତ ମୃତ୍ୟୁ ମାମଲାରେ ଅଡୁଆ ବଢିବାରେ ଲାଗିଛି । ଉଭୟ ମାମଲା ରାଜ୍ୟ ମାନବାଧିକାର କମିଶନକୁ ଯାଇଛି। ମାମଲାରେ ନ୍ୟାୟ ଦାବି କରି ପୁରୀରେ ସିପିଏମ୍ ଏବଂ ଭୁବନେଶ୍ବରରେ ରାସ୍ତାକୁ ଓହ୍ଲାଇଛି ବିଜେପି ।

ଗୋଟିଏ ପଟେ ପୁରୀ ହାଜତ ମୃତ୍ୟୁ ମାମଲାରେ ବିଭାଗୀୟ ତନାଘନା, ଅନ୍ୟପଟେ ଏହି ମାମଲାରେ ରାଜ୍ୟ ସରକାରଙ୍କୁ ନୋଟିସ୍ କରିଛନ୍ତି ହାଇକୋର୍ଟ । ଶରତ କୁମାର ରାୟଗୁରୁ ଆବେଦନ କରିଥିବା ଜନସ୍ବାର୍ଥ ମାମଲା ଗ୍ରହଣ କରି ହାଇକୋର୍ଟ ରାଜ୍ୟ ସରକାରଙ୍କୁ ଜବାବ ତଲବ କରିଛନ୍ତି । ସୋମବାର ସୁଦ୍ଧା ପୋଷ୍ଟମର୍ଟମ ରିପୋର୍ଟ ସହ ସବୁ ରେକର୍ଡ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଉଚ୍ଚତମ ନ୍ୟାୟାଳୟ । କୋର୍ଟଙ୍କ ତତ୍ତ୍ବାବଧାନରେ ତଦନ୍ତ ସହ ଦୋଷୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଏବଂ ପୀଡିତ ପରିବାରକୁ ସୁରକ୍ଷା ନେଇ ମାମଲା ଦାଏର କରାଯାଇଛି ।

{"id":364970,"sizeSlug":"large"}

ସେପଟେ ଉଭୟ ପୁରୀ ଏବଂ ବୀରମିତ୍ରପୁର ହାଜତ ମୃତ୍ୟୁ ମାମଲା ଓଡିଶା ମାନବାଧିକାର କମିଶନରେ ପହଞ୍ଚିଛି । ମୃତକଙ୍କ ପରିବାରକୁ ୧୦ଲକ୍ଷ ଟଙ୍କା କ୍ଷତିପୂରଣ ଦେବା ସହ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି । ସେହିପରି ପୁରୀ ହାଜତ ମୃତ୍ୟୁ ମାମଲାରେ ଜାତୀୟ ମାନବାଧିକାର କମିଶନ ଯାଇଛନ୍ତି ବିଜେପିର ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର । ଅମାନବୀୟ ଢଙ୍ଗରେ ପୋଲିସ ମୃତକଙ୍କ ଶେଷକୃତ୍ୟ କରିଥିବା NHRCରେ ଅଭିଯୋଗ କରିଛନ୍ତି ।

ପୋଲିସ ମାଡ଼ରେ ଅଭିଯୁକ୍ତ କେ.ରମେଶର ହାଜତ ମୃତ୍ୟୁ ମାମଲାରେ NHRC ଗାଇଡ଼ଲାଇନ ଅନୁଯାୟୀ ଜଣେ ଡ଼ିଏସପି ତଦନ୍ତ ଆରମ୍ଭ କରିଛନ୍ତି। ଜିଲ୍ଲା ପୋଲିସ ପ୍ରଶାସନ NHRCକୁ ରିପୋର୍ଟ ଦେଇଛି। ଗତକାଲି ଶବ ବ୍ୟବଛେଦ ପରେ ସ୍ବର୍ଗଦ୍ବାରରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ମୃତକଙ୍କ ବାପା ମୁଖାଗ୍ନି ଦେଇଥିବା ବେଳେ ପରିବାରର ଅନ୍ୟ ସଦସ୍ୟ ଉପସ୍ଥିତ ଥିଲେ। ଏସବୁର ଭିଡ଼ିଓ ରେକର୍ଡ଼ିଂ ମଧ୍ୟ କରାଯାଇଛି।

{"id":364971,"sizeSlug":"large"}

ମୃତକଙ୍କ ବାପା, ମା ଓ ଦାଦାଙ୍କୁ ପୋଲିସ ଅଟକ ରଖିଥିବା ସମ୍ପର୍କୀୟ ଅଭିଯୋଗ କରିଥିବା ବେଳେ ପୁରୀ ଏସ୍ ପି ଅଖିଳେଶ୍ବର ସିଂ ଏହାକୁ ଖଣ୍ଡନ କରିଛନ୍ତି । ଏସପି କହିଛନ୍ତି ଖୁବ ଶୀଘ୍ର ସେମାନେ ଘରକୁ ଫେରିବେ। ଘଟଣାର ତଦନ୍ତ ଆଗକୁ ବଢିଛି। NHRCଙ୍କ ପାଖକୁ ରିପୋର୍ଟ ପଠାଯାଇଛି। OHRC ତଦନ୍ତ ଆରମ୍ଭ କରିଛନ୍ତି। ସେପଟେ ବୀରମିତ୍ରପୁର ହାଜତ ମୃତ୍ୟୁ ମାମଲାରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି । ମୃତକଙ୍କ ପରିବାରକୁ ୧୫ଲକ୍ଷ ଟଙ୍କା କ୍ଷତିପୂରଣ ସହ ବିଚାରବିଭାଗୀୟ ତଦନ୍ତ ଦାବି କରାଯାଇଛି ।

{"id":364972,"sizeSlug":"large"}

ପୁରୀ ହାଜତ ମୃତ୍ୟୁ ମାମଲା ନେଇ ରାଜନୈତିକ ପ୍ରତିବାଦ ଦେଖିବାକୁ ମିଳିଛି । ପୁରୀରେ ସିପିଏମ୍ ବିକ୍ଷୋଭ ପ୍ରଦର୍ଶନ କରିଥିବା ବେଳେ ଭୁବନେଶ୍ବରରେ ରାସ୍ତାକୁ ଓହ୍ଲାଇଛି ବିଜେପି । ୨ଟି ଯାକ ଘଟଣାରେ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବା ସହ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି । ସେହିପରି ଆଜି ବିଧାନସଭାରେ ଅତିରିକ୍ତ ବଜେଟ ଉପସ୍ଥାପନ ସମୟରେ ବିରୋଧୀ ଏହି ପ୍ରସଙ୍ଗରେ ହୋ ହହଲ୍ଲା କରିଛନ୍ତି। 

ପୁରୀ ହାଜତ ମୃତ୍ୟୁ ମାମଲାରେ ସୋମବାର ଦିନ ପରବର୍ତ୍ତୀ ଶୁଣାଣି କରିବେ ହାଇକୋର୍ଟ । ଏପଟେ ମାମଲା ଉଭୟ NHRC ଏବଂ OHRC ତଦନ୍ତ ପରିସରଭୁକ୍ତ ହୋଇଛି । ମାମଲା ନେଇ ରାଜନୈତିକ ଚାପ ବଢିବାରେ ଲାଗିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.