ବୁଧବାର ଭକ୍ତଙ୍କୁ ଦର୍ଶନ ଦେବେ କାଳିଆ: ଦିନକୁ ୫ଟି ୱାର୍ଡ ଲୋକଙ୍କୁ ମିଳିବ ଅନୁମତି, ଦିଆଯିବ ଟୋକନ୍, ଜାନୁଆରୀ ୧ ଓ ୨ ବନ୍ଦ ରହିବ ଦର୍ଶନ

Published By : Prameya-News7 Bureau | December 21, 2020 IST

ପୁରୀ ୨୧/୧୨ : ମଝିରେ ଆଉ ମାତ୍ର ଗୋଟିଏ ଦିନ । ବୁଧବାର ଠାରୁ ଦର୍ଶନ ଦେବେ କାଳିଆ ସାଆନ୍ତ । ୨୩, ୨୪ ଓ ୨୫ ତାରିଖରେ ସେବାୟତଙ୍କ ପରିବାରକୁ ଦର୍ଶନ ସୁବିଧା ମିଳିବାକୁ ଥିବା ବେଳେ ୨୬ରୁ ୩୧ ଯାଏଁ ପୁରୀ ସହରବାସୀଙ୍କୁ ଦର୍ଶନ ପାଇଁ ମିଳିବ ସୁଯୋଗ । ପ୍ରତ୍ୟେକ ଦିନ ୫ଟି ଓ୍ବାର୍ଡ଼ର ଲୋକେ ୪ଘଣ୍ଟା  ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ । ପ୍ରତି ଓ୍ବାର୍ଡ଼​‌ରେ ପୌରସଂସ୍ଥା ପକ୍ଷରୁ ଘରଘର ବୁଲି ଟୋକେନ୍‌ ଦିଆଯିବ ।  ନିର୍ଦ୍ଧାରିତ ଓ୍ବାର୍ଡ଼ ତାଲିକା ଅନୁସାରେ ଦୁଇ ଦିନ ପୂର୍ବରୁ ସ୍ବଚ୍ଛ ସାଥୀ, ଆଶା ଓ ଅଙ୍ଗନବାଡ଼ି କର୍ମୀ ଏହି ଘରକୁ ଘର ବୁଲି ଏହି ଟାକେନ୍‌ ପହଞ୍ଚାଇବେ ।

ଦୀର୍ଘ ମାସ କାଳ କରୋନା କଟକଣା ଯୋଗୁଁ କାଳିଆ ଦର୍ଶନରୁ ବଞ୍ଚିତ ଭକ୍ତ । କେବଳ ସାଧାରଣ ଭକ୍ତ କାହିଁକି ସେବାୟତଙ୍କ ପରିବାର ବର୍ଗଙ୍କ ଠାରୁ ଆରମ୍ଭ କରି ପୁରୀ ବାସିନ୍ଦାଙ୍କ ପର୍ଯ୍ୟନ୍ତ ୯ ମାସ ହେଲାଣି କେହି ବି ୨୨ପାହାଚ ଚଢ଼ିପାରିନାହାନ୍ତି । ଆସନ୍ତା ବୁଧବାର ଶ୍ରୀମନ୍ଦିରରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ପ୍ରଥମେ ଦର୍ଶନର ସୁଯୋଗ ପାଇବେ ସେବାୟତଙ୍କ ପରିବାର । ୨୩, ୨୪ ଓ ୨୫ତାରିଖ ୩ଦିନ ଧରି ସେବାୟତ ଓ ସେମାନଙ୍କ ପରିବାର ସଦସ୍ୟ ଶ୍ରୀଜିଉଙ୍କ ଦର୍ଶନ କରିବେ । ଶ୍ରୀମନ୍ଦିର ୪ଦ୍ବାରରେ ଜେଟିପି ବା ଜଗନ୍ନାଥ ଟେମ୍ପଲ ପୋଲିସ ସେବାୟତ ଓ ତାଙ୍କ ପରିବାର ସଦସ୍ୟଙ୍କୁ ଚିହ୍ନଟ କରି ଛାଡ଼ିବେ । ସେହିଭଳି ଦ୍ବିତୀୟ ପର୍ଯ୍ୟାୟରେ ଅର୍ଥାତ ଆସନ୍ତା ୨୬ତାରିଖରୁ ୩୧ ତାରିଖ ଯାଏଁ ପୁରୀ ସହରବାସୀଙ୍କୁ ମିଳିବ ମହାପ୍ରଭୁଙ୍କୁ ଦର୍ଶନ ସୁଯୋଗ । ପ୍ରତ୍ୟେକ ଦିନ ୫ଟି ଓ୍ବାର୍ଡ଼ର ଲୋକଙ୍କୁ ଶ୍ରୀମନ୍ଦିର ପ୍ରବେଶ ଅନୁମତି ମିଳିବାକୁ ଥିବା ବେଳେ ପ୍ରତି ଓ୍ବାର୍ଡ଼ର ଲୋକଙ୍କୁ ଦର୍ଶନ ପାଇଁ ୪ଘଣ୍ଟା ସମୟ ମିଳିବ । ତେବେ ଏଥିପାଇଁ ସେମାନଙ୍କୁ ଟୋକେନ୍‌ ଦିଆଯିବ । ନିର୍ଦ୍ଧାରିତ ଓ୍ବାର୍ଡ଼ ତାଲିକା ଅନୁସାରେ ଦୁଇ ଦିନ ପୂର୍ବରୁ ସ୍ବଚ୍ଛ ସାଥୀ, ଆଶା ଓ ଅଙ୍ଗନବାଡ଼ି କର୍ମୀ ଏହି ଘରକୁ ଘର ବୁଲି ଏହି ଟାକେନ୍‌ ପହଞ୍ଚାଇବେ ।  ଆଜି ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଜିଲ୍ଲାପାଳ ବଲଓ୍ବନ୍ତ ସିଂଙ୍କ ଅଧ୍ୟକ୍ଷତାରେ ଏସଓପି ପାଳନ ନେଇ ଗୁରୁତ୍ବପୂର୍ଣ୍ଣ ଆଲୋଚନା ହୋଇଛି ।

ପୁରୀ ମାର୍କେଟ୍‌ ଛକରୁ ବ୍ୟାରିକେଡ୍‌ରେ ଶ୍ରୀମନ୍ତଦିର ପ୍ରଶାସନ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିବା ପରେ ସେଠାରୁ ୯ଟି ଧାଡ଼ିରେ ଶ୍ରୀମନ୍ଦିକୁ ପ୍ରବେଶ କରିବେ ଶ୍ରଦ୍ଧାଳୁ । ବିନା କୋଭିଡ୍‌ ରିପୋର୍ଟରେ ପୁରୀବାସିନ୍ଦାଙ୍କୁ ଦର୍ଶନ ସୁଯୋଗ ମିଳିବ । ଦର୍ଶନାର୍ଥୀଙ୍କ ଫଟୋଗ୍ରାଫି କରାଯିବ ।ପ୍ରତ୍ୟେକ ଦିନ ସକାଳ ସାଢ଼େ ୭ଟାରୁ ମହାପ୍ରଭୁଙ୍କ ପହୁଡ଼ ପର୍ଯ୍ୟନ୍ତ ଦର୍ଶନ ଚାଲିବ ।ଜାନୁଆରୀ ୧ ଓ ୨ରେ ଶ୍ରୀମନ୍ଦିରରେ ଦର୍ଶନ ବନ୍ଦ ରହିବ । ଜାନୁଆରୀ ୩ ପରେ ବଳକା ଥିବା ପୁରୀବାସିନ୍ଦାଙ୍କୁ ସକାଳେ ଓ ସଂଧ୍ୟାରେ ଘଣ୍ଟାଏ ଲେଖାଏଁ ଦର୍ଶନ ସୁଯୋଗ ଦଆଯିବ ।୩ ତାରିଖରୁ ସାଧାରଣ ଭକ୍ତଙ୍କ ଲାଗି ଦର୍ଶନ ବ୍ୟବସ୍ଥା ହୋଇଥିବା ବେଳେ ଏହି ସମୟରେ ଶ୍ରୀମନ୍ଦିର ଗଲେ ପୁରୀ ସହରବାସୀଙ୍କୁ ମଧ୍ୟ କୋଭିଡ୍‌ ନେଗେଟିଭ୍‌ ରିପୋର୍ଟ ଦେଖାଇବାକୁ ପଡ଼ିବ । ତେବେ ଗଙ୍ଗା ସାଗର ମେଳା ପର୍ଯ୍ୟନ୍ତ କଟକଣା ରହିବ ବୋଲି କହିଛନ୍ତି ଜିଲ୍ଲାପାଳ ।

ଜଗନ୍ନାଥ ବଲ୍ଲଭ ମଠରେ ହେବାକୁ ଥିବା ଅତିରିକ୍ତ ଟୋକେନ୍‌ କାଉଣ୍ଟର ହେବ ନାହିଁ । କୋଭିଡ୍‌ ଗାଇଡଲାଇନ୍‌ ପାଳନ କରି ଶ୍ରୀମନ୍ଦିରରେ ଦର୍ଶନ ବ୍ୟବସ୍ଥା ଚାଲିବ ବୋଲି କୁହାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.