ଦ୍ବିତୀୟ ଦିନରେ କାଳିଆ ମହାପ୍ରଭୁଙ୍କୁ ଦର୍ଶନ କଲେ ସେବାୟତ ପରିବାର: ୨୬ରୁ ଦର୍ଶନ କରିବେ ପୁରୀବାସୀ
24/12/2020 at 6:16 PM

ପୁରୀ ୨୪/୧୨ : ୱାର୍ଡ ୱାରୀ ମହାପ୍ରଭୁଙ୍କ ଦର୍ଶନ ପାଇଁ ପ୍ରସ୍ତୁତି ଶେଷ। ଆଜି ଦ୍ବିତୀୟ ଦିନରେ ସେବାୟତ ପରିବାର ଦର୍ଶନ କରିଥିବାବେଳେ ଆସନ୍ତା ୨୬ ତାରିଖରୁ ୱାର୍ଡ ୱାରୀ ସହରବାସୀ କରିବେ ଦର୍ଶନ। ଏଥିପାଇଁ ପୌରପାଳିକା ପକ୍ଷରୁ ସ୍ଵଛ ସାଥୀ, ଆଶା ଓ ଅଙ୍ଗନବାଡି କର୍ମୀଙ୍କ ଦ୍ବାରା ଚିରୁକୁଟି ବଣ୍ଟନ କରାଯାଇଛି। ଉତ୍କଣ୍ଠାର ସହ ସହରବାସୀ ଅପେକ୍ଷା କରିଛନ୍ତି କାଳିଆ ସାଆନ୍ତଙ୍କ ଦର୍ଶନ ପାଇଁ।

ଆଖି ଛଳଚଳ ହୋଇଯାଉଛି। କାଳିଆ ସାଆନ୍ତ ଡାକିଛନ୍ତି। ପାଖରେ ରହି ବି କେତେ ଦୂରରେ ରହିଥିଲୁ। ୯ ମାସ କିଛି ଛୋଟିଆ କଥା ନୁହେଁ। ସେ ଦୂରତା ହଟିଛି। ଏବେ ସାଆନ୍ତଙ୍କ ଦର୍ଶନ ପାଇଁ ଡୋରି ଲାଗିଛି। ଏମିତି କିଛି ଭାବବିହ୍ବଳ ହୋଇଯାଉଛନ୍ତି ଭକ୍ତ। ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ସମ୍ମୁଖରେ କିଓସ୍କୋ ପ୍ରସ୍ତୁତ ହୋଇଛି।

ସେଠାରେ ୱାର୍ଡ ୱାରୀ ସହରବାସୀଙ୍କ ଫଟୋ ଉଠାଯିବ। ପାନୀୟ ଜଳ ସହ ଜୋତା, ଚପଲ ଓ ମୋବାଇଲ ରଖିବା ପାଇଁ ବ୍ୟବସ୍ଥା ହୋଇଛି। ଅନ୍ୟପଟରେ ପୁରୀ ପୌରପାଳିକା ପକ୍ଷରୁ ସ୍ଵଛ ସାଥୀ, ଆଶା ଓ ଅଙ୍ଗନବାଡି କର୍ମୀଙ୍କ ଦ୍ୱାରା ଚିରୁକୁଟି ବଣ୍ଟନ କରାଯାଇଛି ।

୨୬ ତାରିଖ ସକାଳ ୮ ଟା ରେ ପୁରୀବାସୀଙ୍କ ଦର୍ଶନ ଆରମ୍ଭ ହେବ। ପ୍ରଥମ ଦିନ ୱାର୍ଡ ନମ୍ବର ୨/ ୩/ ୬/ ୯/ ୧୧/ ୧୨/ ୧୫ ବାସୀ କରିବେ ଦର୍ଶନ। ପ୍ରଥମ ଦଫା ଦର୍ଶନ ୮ରୁ ୧୨ଟା, ଦ୍ଵିତୀୟ ଦଫା ୧୨ଟାରୁ ୪ଟା ଓ ତୃତୀୟ ଦଫା ୪ ଟା ୩୦ ରୁ ରାତ୍ର ପହୁଡ ପର୍ଯ୍ୟନ୍ତ ଚାଲିବ।

ପ୍ରତି ପର୍ଯ୍ୟାୟରେ ପ୍ରତିହାରୀ ନିଯୋଗର ୧୫ ଜଣ ସ୍ବେଛାସେବୀ ନିୟୋଜିତ ହେବେ। ସହରବାସୀ ସାଙ୍ଗରେ ପରିଚୟ ପତ୍ର ଆଣିବାକୁ କୁହାଯାଉଛି। ପୌରପାଳିକା ପକ୍ଷରୁ ମିଳିଥିବା ଚିରୁକୁଟି ଦେଖାଇ ସହରବାସୀ ମାର୍କେଟ ଛକରୁ ବ୍ୟାରିକେଡରେ ଯାଇ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ସମ୍ମୁଖରେ ପହଁଚିବା ପରେ ସେଠାରେ ହୋଇଥିବା କିଓସ୍କୋରେ ଚିରୁକୁଟି ଦେଖାଇ ଫଟୋ ଉଠାଇବେ।

ସେଠାରୁ ୯ ଟି ବ୍ୟାରିକେଡ ମଧ୍ୟରେ ଶ୍ରୀମନ୍ଦିର ସିଂହଦ୍ବାର ଦେଇ ପ୍ରବେଶ କରି ମହାପ୍ରଭୁଙ୍କ ଦର୍ଶନ ପରେ ଉତ୍ତର ଦ୍ବାରଦେଇ ବାହାରିବେ। ଏଥିପାଇଁ ସହରବାସୀ ବେଶ ଉତ୍ସାହିତ ଓ ଉତ୍କଣ୍ଠିତ ଅଛନ୍ତି।

୯ ମାସର ବ୍ୟବଧାନ। କଳାମୁଖ ଦର୍ଶନ କରିବାକୁ ବିକଳ ହେଲାଣି ଭକ୍ତ। ଏ ହେଉଛି ଗତକାଲିର ଦୃଶ୍ୟ ଜଣେ ସେବାୟତ ପରିବାର ବୋଲି ନିଜକୁ କହୁଥିବା ଭକ୍ତ ହଠାତ ବାଇଶିପାହାଚ ଡେଇଁ ଭିତରକୁ ପଶିଯାଇଥିଲେ।

ତାଙ୍କୁ ସୁରକ୍ଷା କର୍ମୀ ଅଟକାଇବା ବେଳକୁ ସେ କିନ୍ତୁ ଶ୍ରୀଜୀଉଙ୍କ ଝଲକ ପାଇଥିଲେ ଏବଂ ତାଙ୍କ ଜୀବନ ଧନ୍ୟ ହୋଇଥିବା ବଖାଣିଥିଲେ।

କାଲି ସେବାୟତ ଓ ତାଙ୍କ ପରିବାର ଦର୍ଶନର ଶେଷ ଦିନ। ଏହାପରେ ୨୬ ତାରିଖ ସକାଳ ୮ ଟା ରୁ ୩୧ ତାରିଖ ସନ୍ଧ୍ୟା ୭ଟା ଯାଏଁ ସହରବାସୀ କାଳିଆ ସାଆନ୍ତଙ୍କ ଦର୍ଶନ କରିବେ। ବୟସ୍କ ଓ ସ୍ବାସ୍ଥ୍ୟ ସମସ୍ୟା ଥିବା ଲୋକଙ୍କୁ ନଆସିବାକୁ ଜିଲ୍ଲା ପ୍ରଶାସନ ପରାମର୍ଶ ଦେଇଛି।