ଚଳଚଞ୍ଚଳ ଏବେ ପୁରୀ ମୁକ୍ତାକାଶ ରଙ୍ଗମଞ୍ଚ- ଚାଲିଛି ଜାତୀୟ ଲୋକମେଳା
22/10/2019 at 10:45 PM

ପୁରୀ ୨୨।୧୦ -ପୁରୀ ଶରଧାବାଲି ମୁକ୍ତାକାଶ ରଙ୍ଗମଞ୍ଚ ହୋଇଉଠିଛି ଚଳଞ୍ଚଳ। ଶ୍ରୀ ଶ୍ରୀକ୍ଷେତ୍ର ସୂଚନା ଆନୁକୁଲ୍ୟରେ ଆରମ୍ଭ ହୋଇଛି ୧୭ ତମ ଜାତୀୟ ଲୋକମେଳା ଏବଂ ୧୦ମ ଜାତୀୟ କୃଷି ପ୍ରଦର୍ଶନୀ। ଉଦଘାଟନୀ ଉତ୍ସବରେ ରାଜସ୍ଥାନର ଲୋକନୃତ୍ୟ ଚବ୍ରୀ ମୁଖ୍ୟ ଆକର୍ଷଣ ପାଲଟିଥିଲା।
ଶ୍ରୀ ଶ୍ରୀକ୍ଷେତ୍ର ସୂଚନା ଆନୁକୁଲ୍ୟରେ ଏବଂ ପୂର୍ବାଞ୍ଚଳ ସାଂସ୍କୃତିକ କେନ୍ଦ୍ର, ଭାରତ ଓ ରାଜ୍ୟ ସରକାରଙ୍କ କୃଷି ଓ ପଶୁସଂପଦ ବିଭାଗ ଅନ୍ତର୍ଗତ ବିଭିନ୍ନ ବିଭାଗର ସହଯୋଗରେ ଶରଧାବାଲିରେ ପିପିଲି ବିଧାୟକ ପ୍ରଦୀପ ମହାରଥି ଏବଂ ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ ପ୍ରଥମେ ୧୦ମ ଜାତୀୟ କୃଷୀ ପ୍ରଦର୍ଶନୀ ଓ ପରେ ୧୭ତମ ଜାତୀୟ ଲୋକମେଳାକୁ ଉଦଘାଟନ କରିଥିଲେ। ଏଭଳି ଲୋକମେଳା ଓ କୃଷିମେଳା ଉତ୍କର୍ସ ଲୋକନୃତ୍ୟ ଓ କଳାକାରଙ୍କୁ ପ୍ରୋତ୍ସାହିତ କରିବା ସହ କୃଷି ଓ କୃଷକଙ୍କ ବିକାଶରେ ସହଯୋଗ କରିବ ବୋଲି ଅତିଥିମାନେ କହିଥିଲେ। ଏହି ଅବସରରେ ଭାରତ ସରକାରଙ୍କ ସାର ବିଭାଗର ଅଧିକାରୀ ଛବିଳେନ୍ଦ୍ର ରାଉଳ, ଭାରତ ସରକାରଙ୍କ କୃଷି, ସମବାୟ ଓ କୃଷକମଙ୍ଗଳ ବିଭାଗର ଅତିରିକ୍ତ ସଚିବ ବିମ୍ୱାଧର ପ୍ରଧାନ, ନାଲକୋର ଅର୍ଥବିଭାଗ ନିର୍ଦ୍ଦେଶକ ଶ୍ରଧର ପାତ୍ର ପ୍ରମୁଖଙ୍କୁ ଶ୍ରୀକ୍ଷେତ୍ର ସମ୍ମାନରେ ସମ୍ୱର୍ଦ୍ଧିତ କରାଯାଇଥିଲା।
ଏହି ଅବସରରେ ରାଜସ୍ଥାନ ଲୋକନୃତ୍ୟ ଚବ୍ରୀ, ଛତିଶଗଡ଼ ଲୋକନୃତ୍ୟ ପନ୍ଥୀ ନୃତ୍ୟ, ଗୁଜୁରାଟୀ ତଲଓ୍ୱାର ଲୋକନୃତ୍ୟ, ଉତ୍ତରାଖଣ୍ତର ହା ରୁଲ, କାଶ୍ମିରୀ ଲୋକନୃତ୍ୟ, କର୍ଣ୍ଣାଟକୀ ଲୋକନୃତ୍ୟ, ପଞ୍ଜାବ ଲୋକନୃତ୍ୟ ସହ ସିକିମ୍ ଲୋକନୃତ୍ୟ ଆଦି ମଞ୍ଚସ୍ଥ ହୋଇଥିଲା। ଏଥିସହ ଦଶମ ଜାତୀୟ କୃଷି ପ୍ରଦର୍ଶନୀରେ ସ୍ଥାନପାଇଥିବା ମେଳା ଏବଂ ହାତ ତିଆରି ବଡ଼ି, ପାମ୍ପଡ଼, ଘରକରଣା ସାମଗ୍ରୀ କିଣିବାକୁ ମଧ୍ୟ ଲୋକଙ୍କ ଭିଡ଼ ଜମିଥିଲା।
ଉଦଘାଟନୀ ସଂନ୍ଧ୍ୟାରେ ଅତିଥିଭାବେ ପିପିଲି ବିଧାୟକ ପ୍ରଦିପ ମହାରଥି, ପୁରୀ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ, ଏସିଏସ କଲେଜର ପୂର୍ବତ୍ତନ ଅଧ୍ୟକ୍ଷ ଡ଼ଃ ଭଗବାନ ଜୟ ସିଂହ, କ୍ୟାପଟେନ୍ ପ୍ରଭାକର ଶତପଥି ପ୍ରମୁଖ ଯୋଗ ଦେଇଥିଲେ। ପ୍ରଥମ ସଂନ୍ଧ୍ୟାରେ ଭରପୁର ଦର୍ଶକ ଉଭୟ ମେଳାର ମଜା ନେଇଥିଲେ।