ଶ୍ରୀ ଗଜପତି ମହାରାଜ ଓ ତାଙ୍କ ପରିବାର ଏବେ ହୋମ୍ ଆଇସୋଲେସନରେ: ୧୫ ତାରିଖ ଦିନ ଆମେରିକାରୁ ଫେରିଥିଲେ, ୧୪ ଦିନ ପର୍ଯ୍ୟନ୍ତ ଭୁବନେଶ୍ୱର ଘରେ ରହିବେ
17/03/2020 at 2:40 PM

ଭୁବନେଶ୍ୱର, ୧୭|୦୩: ଶ୍ରୀ ଗଜପତି ମହାରାଜ ଦିବ୍ୟସିଂହ ଦେବ ଓ ରାଜପରିବାର ଏବେ କ୍ୱାରେଣ୍ଟାଇନରେ। ଭୁବନେଶ୍ୱର ସ୍ଥିତ ବାସଭବନରେ ଅବସ୍ଥାନ କରୁଥିବା ଗଜପତି ମହାରାଜଙ୍କ ସହ ତାଙ୍କ ପରିବାର ସଦସ୍ୟମାନଙ୍କୁ ଏବେ ସମସ୍ତ ସ୍ୱାସ୍ଥ୍ୟଜନିତ ସୁରକ୍ଷା ପଦକ୍ଷେପ ଭିତରେ ରଖାଯାଇଛି।
ନିକଟରେ ବିଦେଶରେ ଫେରିଥିବାରୁ ଶ୍ରୀ ଗଜପତି ମହାରାଜଙ୍କ ପରିବାର ସଦସ୍ୟଙ୍କୁ ଏପରି ହୋମ୍ ଆଇସୋଲେସନରେ ରଖାଯାଇଛି। ଶ୍ରୀ ଗଜପତି ମହାରାଜ ଦିବ୍ୟସିଂହ ଦେବ ସପରିବାର ଆମେରିକା ଗସ୍ତରେ ଯାଇ ସେଠାରେ ଶ୍ରୀ ଜଗନ୍ନାଥ ମନ୍ଦିରର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଗତ ୧୫ ତାରିଖ ଦିନ ଶ୍ରୀ ଗଜପତି ମହାରାଜ ଓ ତାଙ୍କ ପରିବାର ଓଡିଶା ଫେରିଛନ୍ତି। ତେବେ ବର୍ତ୍ତମାନ ସାରା ବିଶ୍ୱରେ କରୋନା ଆତଙ୍କ ଯୋଗୁଁ ଗଜପତି ମହାରାଜ ଓ ତାଙ୍କ ପରିବାର ସଦସ୍ୟଙ୍କ ନିରାପଦ ସ୍ୱାସ୍ଥ୍ୟ ଲାଗି ସମସ୍ତ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ମଙ୍ଗଳବାର ଦିନ ଶ୍ରୀ ଗଜପତି ମହାରାଜ ଓ ତାଙ୍କ ପରିବାର ସଦସ୍ୟମାନେ ରାଜ୍ୟ ସରକାରଙ୍କ କୋଭିଡ-୧୯ ରେଜିଷ୍ଟ୍ରେସନ ପୋର୍ଟାଲରେ ଅନଲାଇନ ରେଜିଷ୍ଟ୍ରେସନ କରିଛନ୍ତି। କରୋନା ଜନିତ ସ୍ୱାସ୍ଥ୍ୟଗତ ମୁକାବିଲା ପଦକ୍ଷେପକୁ ଦୃଷ୍ଟିରେ ରଖି ଶ୍ରୀ ଜଗନ୍ନାଥଙ୍କ ଆଦ୍ୟସେବକ ଓ ତାଙ୍କ ପରିବାର ଏହି ପଦକ୍ଷେପ ନେଇଥିବା ବେଳେ ସେମାନେ ଆଗାମୀ ୧୪ ଦିନ ପାଇଁ ଭୁବନେଶ୍ୱର ବାସଭବନରେ ଅବସ୍ଥାନ କରିବେ। ସର୍ବସାଧାରଣଙ୍କ ସ୍ୱାସ୍ଥ୍ୟ ଜନିତ ସ୍ୱାର୍ଥ ତଥା କେରାନା ଭାଇରସର ସଂକ୍ରମଣର ପ୍ରତିରୋଧ ଲାଗି ଶ୍ରୀ ଗଜପତି ମହାରାଜ ଓ ତାଙ୍କ ପରିବାର ଏହି ପଦକ୍ଷେପ ନେଇଛନ୍ତି।
ଏହାସହ ସେ ସମସ୍ତ ବିଦେଶ ଫେରନ୍ତାଙ୍କୁ ରେଜିଷ୍ଟ୍ରେସନ କରିବା ପାଇଁ କହିଛନ୍ତି। ଯେଉଁମାନେ ମାର୍ଚ୍ଚ ୪ ତାରିଖ ପରେ ବିଦେଶରୁ ଓଡିଶା ଆସିଛନ୍ତି ସେମାନେ ମଧ୍ୟ ୧୪ ଦିନ ଯାଏଁ ଘରେ ରହିବାକୁ ଗଜପତି ପରାମର୍ଶ ଦେଇଛନ୍ତି।