ମିଶନ ୭୫ମିଟର : ଲଗାତର ଚତୁର୍ଥ ଦିନରେ ଜାରି ରହିଛି ଏମାର ମଠର ଉଚ୍ଛେଦ କାର୍ଯ୍ୟ, ଆଜି ବଣିଆପଟିରେ ଦୋକାନ ଭାଙ୍ଗିଛି ପ୍ରଶାସନ

Published By : Prameya-News7 Bureau | August 31, 2019 IST

ପୁରୀ ୩୧|୮: ଲଗାତର ଚତୁର୍ଥ ଦିନରେ ବି ଜାରି ରହିଛି ପୁରୀ ଏମାର ମଠର ଉଚ୍ଛେଦ କାର୍ଯ୍ୟ । ମଠ ମହନ୍ତ ରାଜଗୋପାଳ ରାମାନୁଜ ଦାସ କୌଣସି ହାଲତରେ ମଠ ଛାଡ଼ିବାକୁ ନାରାଜ୍‌ ଥିବା ବେଳେ ତାଙ୍କୁ ମନାଇବାକୁ ଚେଷ୍ଟା କରିଛି ପ୍ରଶାସନ । ୟା ଭିତରେ ନିଜ ଆଡ଼ୁ ପ୍ରେସମିଟ୍‌ କରି  କ୍ଷୋଭ ପ୍ରକାଶ କରିବା ସହ ଜଷ୍ଟିସ୍‌ ବିପି ଦାସ କମିଶନଙ୍କ ରିପୋର୍ଟକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି ।

{"id":151451}

ମିଶନ ୭୫ମିଟିର । ଲଗାତର ଚତୁର୍ଥ ଦିନରେ ବି ଜାରି ରହିଛି ପୁରୀ ଏମାର ମଠର ଉଚ୍ଛେଦ କାର୍ଯ୍ୟ ।  ଆଜି ଏମାର ମଠ ସଂଲଗ୍ନ ବଣିଆ ପଟିରେ ଥିବା ଦୋକାନଗୁଡ଼ିକୁ ଭାଙ୍ଗିଛି ପ୍ରଶାସନ । ବଣିଆ ପଟିରେ ୧୨ରୁ ୧୫ ସୁନା ଦୋକାନ ରହିଥିଲା । କାକୁଡ଼ି ଖାଇ ଛକରୁ ଦୋଳମଣ୍ଡପ ସାହି ଯାଏଁ ରାସ୍ତାକୁ ସିଲ୍‌ କରାଯାଇଛି । ସୁରକ୍ଷା ପାଇଁ ପ୍ରାୟ ୩୦ ପ୍ଲାଟୁନ୍‌ ଫୋର୍ସ ମୁତୟନ ହୋଇଛନ୍ତି । ଉଚ୍ଛେଦ କାମରେ ୮ଟି ଡ୍ରିଲ୍‌ ମେସିନ୍‌ ଓ ବ୍ରେକର ମେସିନ୍‌ ନିୟୋଜିତ ହୋଇଛି ।

{"id":151452}

ସେପଟେ ଆଜି ସକାଳୁ ଏମାର ମଠ ମହନ୍ତ ରାଜ ଗୋପାଳ ରାମାନୁଜ ଦାସଙ୍କ ସହ ପୁରୀ ଉପଜିଲ୍ଲାପାଳ ଆଲୋଚନା କରିଥିଲେ ବି ମଠ ଛାଡ଼ି ନାହାନ୍ତି ମହନ୍ତ । ଅସୁସ୍ଥତା କାରଣ ଦର୍ଶାଇ ସେ ମଠ ଛାଡ଼ିବାକୁ ମନା କରିଥିବା କୁହାଯାଉଛି । ସେପଟେ ମଠ ମନ୍ଦିର ଓ ମୁଖ୍ୟ ଘର ନଭାଙ୍ଗିବାକୁ ପ୍ରଶାସନିକ ସ୍ତରରେ ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି । ମଠର ମୁଖ୍ୟ ଘର ଚାରିପଟେ ପାଚେରୀ ବୁଲାଇ ବଗିଚା କରିବାକୁ ଫ୍ରେସ୍‌ ଯୋଜନା କରିଛି ପ୍ରଶାସନ । ପିଡବ୍ଲୁଡି ସୁପରିଣ୍ଟେଡେଣ୍ଟ୍‌ ଏବଂ ଏନଏଚ୍‌ ଚିଫ୍‌ ଇଂଜିନିୟର ମଠ ଚାରିପାଖରେ ମାପଚୁପ କରିଛନ୍ତି ।  

{"id":151454}

ୟା’ ଭିତରେ ସାମ୍ନାକୁ ଆସିଛନ୍ତି ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟ । ପ୍ରେସମିଟ୍‌ କରି ମଠ ଭଙ୍ଗା ନେଇ କ୍ଷୋଭ ପ୍ରକାଶ କରିବା ସହ ଜଷ୍ଟିସ୍‌ ବିପି ଦାସ କମିଶନଙ୍କ ରିପୋର୍ଟ ଉପରେ ପ୍ରଶ୍ନ ଉଠାଇଛନ୍ତି । କହିଛନ୍ତି ଇଂରେଜ ଶାସନ କାଳରେ ମଧ୍ୟ ମଠ କାହା ଅଧିନରେ ନଥିଲା । ତେଣୁ ଏଭଳି ନିଷ୍ପତ୍ତି ନେଇ ମଠଗୁଡ଼ିକ  ଭାଙ୍ଗିବା ଦ୍ବାରା ଉଭୟ ମଠ ଓ ମନ୍ଦିରର ଅସ୍ତିତ୍ବ ନଷ୍ଟ ହେଉଛି । କମିଶନ କେଉଁ ଆଧାରରେ ରିପୋର୍ଟ ପ୍ରସ୍ତୁତ କରିଛନ୍ତି ତାହା ଜଣାନାହିଁ । ଜଗନ୍ନାଥ ସଂସ୍କୃତି ସହ ଜଡ଼ିତ ଥିବା ମଠର ଉଚ୍ଛେଦ ନେଇ କମିଶନ ତାଙ୍କ ଠାରୁ କୌଣସି ମତାମତ ନେଇନାହାନ୍ତି ବୋଲି କହିଛନ୍ତି ଜଗଦ୍‌ଗୁରୁ ।   

{"id":151455}

ଏମାର ମଠ ପରେ ଏବେ ପାଳି ବଡ଼ ଆଖଡ଼ା ମଠର । ଏଠାରେ ଥିବା ଦୋକାନୀମାନଙ୍କୁ ଦୋକାନଗୁଡ଼ିକୁ ଖାଲି କରିବାକୁ ନୋଟିସ୍‌ କରିଛି ପ୍ରଶାସନ । ଏଠାରେ ଥିବା ଫାୟାର ଷ୍ଟେସନ ଏବଂ ପୋଲିସ ଷ୍ଟେସନକୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.