Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପୁରୀ ଜିଲ୍ଲା ସ୍ପୋର୍ଟ୍ସ କମ୍ପ୍ଲେକ୍ସ ଓ ଶ୍ରୀଜଗନ୍ନାଥ ଷ୍ଟାଡିୟମ କାମ ୬ ମାସରେ ସାରିବାକୁ ନିର୍ଦ୍ଦେଶ

6/08/2020 at 5:37 PM

ପୁରୀ ୬।୮: ପୁରୀ ତାଳବଣିଆ ସ୍ଥିତ ଜିଲ୍ଲା ସ୍ପୋର୍ଟ୍ସ କମ୍ପ୍ଲେକ୍ସ ଓ ପେଣ୍ଠକଟା ସ୍ଥିତ ଶ୍ରୀଜଗନ୍ନାଥ ଷ୍ଟାଡ଼ିୟମର ଉନ୍ନୟନ କାର୍ଯ୍ୟ ଖୁବ୍ ଶୀଘ୍ର ଶେଷ ହେବ । ଶହେ ଶଯ୍ୟା ବିଶିଷ୍ଟ ଏହି ସ୍ପୋର୍ଟ୍ସ ହଷ୍ଟେଲ ସହ ଜିଲ୍ଲାରେ ଥିବା ବିଭିନ୍ନ ମିନି ଷ୍ଟାଡ଼ିୟମର କାର୍ଯ୍ୟ ୬ ମାସ ଭିତରେ ସାରିବା ପାଇଁ ଠିକା ସଂସ୍ଥା ଓ ପୂର୍ତ୍ତ ବିଭାଗକୁ ଜିଲ୍ଲାପାଳ ବଲଓ୍ବନ୍ତ ସିଂ ନିର୍ଦ୍ଦେଶ ଦେଇଛନ୍ତି।

ବହୁ ପ୍ରତିକ୍ଷୀତ ଜିଲ୍ଲା ସ୍ପୋର୍ଟ୍ସ କମ୍ପ୍ଲେକ୍ସରେ କ୍ରୀଡ଼ାବିତ୍ ପାଇଁ ଅତ୍ୟାଧୁନିକ ବ୍ୟବସ୍ଥା କରାଯାଉଛି । ଏଠାରେ ଶହେ ଶଯ୍ୟା ବିଶିଷ୍ଟ ସ୍ପୋର୍ଟ୍ସ ହଷ୍ଟେଲର ମଧ୍ୟ ବ୍ୟବସ୍ଥା କରାଯାଉଛି । ତେବେ ଫନି ପରଠାରୁ ଏହି ଷ୍ଟାଡ଼ିୟମର ନିର୍ମାଣ କାର୍ଯ୍ୟରେ ମନ୍ଥରତା ଦେଖାଦେଇଥିଲା । ଖୋଦ୍ ଜିଲ୍ଲାପାଳ ବଲଓ୍ବନ୍ତ ସିଂ ଏହା ଜାଣିବା ପରେ ଉଭୟ ସ୍ପୋର୍ଟସ୍ କମ୍ପ୍ଲେକ୍ସ ଏବଂ ଜଗନ୍ନାଥ ଷ୍ଟାଡ଼ିୟମର ଉନ୍ନୟନ କାର୍ଯ୍ୟର ସ୍ଥିତି ଅନୁଧ୍ୟାନ କରିଥିଲେ। ଦିଲ୍ଲୀର ଏକ ଘରୋଇ ସଂସ୍ଥା ନିର୍ମାଣ କାର୍ଯ୍ୟର ଦାୟିତ୍ବ ନେଇଥିବା ବେଳେ ଏହି ସଂସ୍ଥାର ବୈଷୟିକ ଟିମ୍ ସହ ଜିଲ୍ଲାପାଳ ଆଲୋଚନା କରିଛନ୍ତି । ବାତ୍ୟା ପବନ ସମୟରେ ୧୮୦ କି.ମି ବେଗରେ ପ୍ରତିରୋଧ ଶୈଳୀରେ ସରକାରୀ କୋଠା ନିର୍ମାଣ କରାଯାଉଛି । ତେବେ ପୁରୀ ଯେହେତୁ ବାତ୍ୟା ପ୍ରବଣ ଅଞ୍ଚଳ ସେହି ଦୃଷ୍ଟିରୁ ୨୨୦ କି.ମି ବେଗର ପବନ ପ୍ରତିରୋଧ ଶୈଳୀରେ ଶ୍ରୀଜଗନ୍ନାଥ ଷ୍ଟାଡ଼ିୟମର ନିର୍ମାଣ କାର୍ଯ୍ୟ କରିବାକୁ ଜିଲ୍ଲାପାଳ ଠିକା ସଂସ୍ଥାର ବୈଷୟିକ ଟିମକୁ ନିର୍ଦ୍ଦେଶ ଦେଇଛନ୍ତି।

ସେହିପରି ଇନଡ଼ୋର ଷ୍ଟାଡ଼ିୟମ ପାଇଁ ୭କୋଟି ଓ ଆଉଟଡ଼ୋର ଷ୍ଟାଡ଼ିୟମ ପାଇଁ ୩୬ କୋଟି ଟଙ୍କା ବ୍ୟୟବରାଦ ହୋଇଛି । ଆଗାମୀ ୬ ମାସ ଭିତରେ ଏହି ଷ୍ଟାଡ଼ିୟମର କାର୍ଯ୍ୟ ଯେଭଳି ଆଖି ଦୃଶିଆ ହେବ ସେଭଳି କାର୍ଯ୍ୟ କରିବା ପାଇଁ ଠିକା ସଂସ୍ଥାକୁ କୁହାଯାଇଛି । ଏଥିସହ ପୂର୍ତ୍ତ ବିଭାଗ ନେଇଥିବା ଜିଲ୍ଲା ସ୍ପୋର୍ଟ୍ସ କମ୍ପ୍ଲେକ୍ସର ପୁନରୁଦ୍ଧାର କାମ ତୁରନ୍ତ ଆରମ୍ଭ କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ସହରରେ ଆଦୌ ଷ୍ଟାଡ଼ିୟମ ନଥିବାରୁଏହାର ନିର୍ମାଣ କାର୍ଯ୍ୟ ତୁରନ୍ତ ଆରମ୍ଭ କରିବାକୁ ବିଭିନ୍ନ ସ୍ତରରେ ଦାବି କରାଯାଇଛି।

ପୁରୀରେ ଅନେକ ଛୋଟ ବଡ଼ ଷ୍ଟାଡ଼ିୟମ ଅବହେଳିତ ଅବସ୍ଥାରେ ପଡ଼ିଥିବା ବେଳେ ଜିଲ୍ଲାପାଳ ବଲଓ୍ବନ୍ତ ସିଂ ଷ୍ଟାଡ଼ିୟମ ନିର୍ମାଣ କାର୍ଯ୍ୟ ପ୍ରତି ଧ୍ୟାନ ଦେଉଥିବାରୁ କ୍ରିଡ଼ାବିତ୍, କ୍ରୀଡ଼ାପ୍ରେମୀମାନେ ବେଶ୍ ଉତ୍ସାହିତ ଅଛନ୍ତି।

   Related Posts