ପୁରୀ-କଟକ ପାସେଞ୍ଜର ଟ୍ରେନ ଉପରେ ଛିଡି ପଡିଛି ବିଦ୍ୟୁତ୍ ତାର

Published By : Prameya-News7 Bureau | May 23, 2018 IST

ପୁରୀ-କଟକ-ଭଦ୍ରକ ପାସେଞ୍ଜର(ସଟଲ)ଟ୍ରେନରେ ଥିବା ହଜାରେରୁ ଅଧିକ ଯାତ୍ରୀ ଆଜି ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଆଜି ସକାଳ ୯ଟା ୪୦ମିନିଟରେ ଏହି ଟ୍ରେନଟି ଭୁବନେଶ୍ୱର ଉପକଣ୍ଠରେ ଥିବା ସରକଣ୍ଟରା ଠାରେ ବିଦ୍ୟୁତ ଦୁର୍ଘଟଣାର ସମ୍ମୁଖୀନ ହୋଇଛି । ରେଳବାଇର ୨୫ହଜାର ଭୋଲ୍ଟ ବିଦ୍ୟୁତ ଲାଇନ ଉପରେ ୩୩କେଭି ସାଧାରଣ ବିଦ୍ୟୁତ ତାର ଛିଡି ପଡ଼ିବାରୁ ଏକ ଅଭିଵାନୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା । ତେବେ ଟ୍ରେନରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି । ସୂଚନା ଯୋଗ୍ୟଯେ ଉପରୋକ୍ତ ଟ୍ରେନଟି ରେତଙ୍ଗ ଷ୍ଟେସନ ଛାଡିବା ପରେ ପ୍ରବଳ ବର୍ଷା ଓ ବିଜୁଳି ମାରୁଥିବା ଯୋଗୁଁ ଅତି ମନ୍ଥର ଗତିରେ ଚାଲିଥିଲା । ଲିଙ୍ଗରାଜ ଷ୍ଟେସନ ପୂର୍ବରୁ ସରକଣ୍ଟରା ଠାରେ ହଠାତ ଏକ ପ୍ରଚଣ୍ତ ଶବ୍ଦ କରି ଟ୍ରେନଟି ଅଟକି ଯାଇଥିଲା । ପ୍ରବଳ ବର୍ଷା ସାଙ୍ଗକୁ ଏଭଳି ପ୍ରଚଣ୍ଡ ଶବ୍ଦ ଯାତ୍ରୀମାନଙ୍କୁ ଭୟଭୀତ କରିଥିଲା ଓ ଯାତ୍ରୀମାନେ ଦୌଡ଼ାଦୌଡ଼ି କରିଥିଲେ । ପରେ ଜଣାପଡିଥିଲାଯେ ଟ୍ରେନ ଟାଣୁଥିବା ବିଦ୍ୟୁତ ଲାଇନ ଉପରେ ୩୩କେଭି ଲାଇନ ଖସିପଡିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି । ୩୩କେଭି ବିଦ୍ୟୁତ ତାର ଓହଳି ରହିଥିବାରୁ ଯାତ୍ରୀମାନେ ଟ୍ରେନ ଭିତରେ ରହିବାକୁ ଭୟ କରିଥିଲେ ଏବଂ ବାହାରକୁ ବାହାରିବାକୁ ମଧ୍ୟ ଭୟ କରିଥିଲେ । ଯାତ୍ରୀ ମାନେ ଭୟଭୀତ ହୋଇ ଦୀର୍ଘ ସମୟ ଅଟକି ରହିଥିଲେ ମଧ୍ୟ କୌଣସି ରେଳ ବିଭାଗର ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ନଥିଲେ ଫଳରେ ଯାତ୍ରୀମାନ ଅସନ୍ତୋଷ ପ୍ରକାଶ କରିବା ସହ ଅଗତ୍ୟା ଚାଲିଚାଲି ସରକଣ୍ଟରାରୁ ଲିଙ୍ଗରାଜ ଷ୍ଟେସନ ପର୍ଯ୍ୟନ୍ତ ଆସିଥିଲେ । ବହୁ ବିଳମ୍ବରେ ଖୋର୍ଦ୍ଧା ଡିଭିଜନ ଅଧିକାରୀମାନେ ଘଟଣା ସ୍ଥଳରେ ପହଞ୍ଚି ଲାଇନ ବଦଳାଇବାର ଉଦ୍ୟମ ଚଳାଇଛନ୍ତି । ଏହି ଲାଇନରେ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ଖବର ନେବାରେ ଜଣାପଡିଛି ଯେ ଖୋର୍ଦ୍ଧାରୋଡ ଠାରୁ ଭଦ୍ରକ ମଧ୍ୟରେ ରେଳବାଇର ବିଦ୍ୟୁତ ଲାଇନ ତାରଗୁଡିକ ଅନେକ ସ୍ଥାନରେ ଓହଳି ରହିଛି । ସେଥିପାଇଁ ଏହି ରୁଟରେ ଟ୍ରେନ ଚଳାଚଳ ପ୍ରଭାବିତ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.