ସାଧାରଣ ପରିବହନ ସେବା ବ୍ୟବହାର କରି ପୁରୀର ଦମ୍ପତ୍ତି କଲେ ଗିନିଜ୍ ରେକର୍ଡ଼
9/08/2018 at 10:58 AM

ପୁରୀ ୯/୮ : ଗୋଟିଏ ଦେଶରେ ସାଧାରଣ ପରିବହନ ସେବା ବ୍ୟବହାର କରି ସର୍ବାଧିକ ଦୁରତ୍ୱ ଅତିକ୍ରମ କରିବାରେ ପୁରୀ ମୋଚି ସାହିର ଜ୍ୟୋସ୍ନା ମିଶ୍ର ଓ ଦୁର୍ଗାଚରଣ ମିଶ୍ର ଗିନିଜ୍ ରେକର୍ଡ଼ କରିଛନ୍ତି। ସେମାନେ ୨୯ ହଜାର ୧୯୯ କିଲୋମିଟର ଯାତ୍ରା କରି ଏହି ରେକର୍ଡ଼ ହାସଲ କରିଛନ୍ତି। ଚଳିତ ବର୍ଷ ଫେବୃୟାରୀ ୧୮ ତାରିଖରେ ଏମାନେ ପୁରୀରୁ ଭାରତ ଭ୍ରମଣ ଉଦ୍ଦେଶ୍ୟରେ ବାହାରିଥିଲେ। ସାଧାରଣ ପରିବହନ ବ୍ୟବସ୍ଥା ବ୍ୟବହାର କରି ଭାରତର ଆସାମର ଦେଵରୂଗଡ଼, ତ୍ରିପୁରାର ଅଗରତାଲା, ନାଗାଲାଣ୍ତ ଠାରୁ କୁଚ୍ଚା, ଗୁଜୁରାଟର ଭୁଜ୍, ଜାମ୍ମୁକାଶ୍ମିର ଠାରୁ ତାମିଲନାଡ଼ୁ ଦେଇ କେରଳ ପର୍ଯ୍ୟନ୍ତ ଯାତ୍ରା କରି ଗତ ମାର୍ଚ୍ଚ ୩୦ ତାରିଖରେ ଆସି ଏମାନେ ପୁରୀରେ ପହଞ୍ଚିଥିଲେ। ୪୦ ଦିନିଆ ଏହି ଭାରତ ପରିଭ୍ରମଣରେ ଏମାନେ ସାଧାରଣ ପରିବହନ ବ୍ୟବସ୍ଥା ଅର୍ନ୍ତଗତ ବସ୍, ଟ୍ରେନ୍, ଟୁରିଷ୍ଟ ବସ୍, ଘରୋଇ ବସ୍ ସେବା, ଟ୍ୟାକ୍ସି, ଅଟୋ, ରିକ୍ସା ଓ ଘୋଡ଼ା ଆଦି ଯାତାୟତ ପାଇଁ ବ୍ୟବହାର କରିଥିଲେ। ଗିନିଜ୍ ଓ୍ୱାଲ୍ଡ଼ ରେକର୍ଡ଼ ନିମନ୍ତେ ପ୍ରସ୍ତୁତ ଗାଇଡ଼୍ ଲାଇନକୁ ଅନୁଧ୍ୟାନ କରି ଏମାନେ ଏହି ରେକର୍ଡ଼ ହାସଲ କରିଛନ୍ତି। ତେବେ ପୂର୍ବରୁ ରୋମାନିଆର କିପ୍ରିଆନ୍ ଘୋସିୟେ ୯ ହଜାର ୨୬୧ କିଲୋମିଟର ଗୋଟିଏ ଦେଶରେ ସାଧାରଣ ପରିବହନ ସେବା ବ୍ୟବହାର କରି ପରିଭ୍ରମଣ କରିବା ରେକର୍ଡ଼ କରିଥିବାବେଳେ ଏବେ ଜ୍ୟୋସ୍ନା ମିଶ୍ର ଓ ଦୁର୍ଗାଚରଣ ମିଶ୍ର ଏହି ରେକର୍ଡ଼କୁ ଭାଙ୍ଗିବାରେ ସଫଳ ହୋଇଛନ୍ତି।