ସ୍ୱତନ୍ତ୍ର ସୁରକ୍ଷା ବଳୟରେ ପୁରୀ ସହର, ଆଜି ରାତିରୁ ଲାଗିବ କର୍ଫ୍ୟୁ, ରଥ ଟାଣିବାକୁ ସେବାୟତଙ୍କୁ ଅନୁମତି

Published By : Prameya-News7 Bureau | July 11, 2021 IST

ପୁରୀ, ୧୧/୦୭: କେବଳ ସେବାୟତମାନେ ରଥଟାଣିବା ଲାଗି ନିଷ୍ପତ୍ତି ହୋଇଛି। ପୁରୀକୁ ଭକ୍ତଙ୍କ ଆସିବା ଉପରେ କଟକଣା ଲଗାଯାଇଛି। ତେଣୁ ପୂର୍ବାପେକ୍ଷା ଏଥର ସୁରକ୍ଷା ବାହିନୀ ଉପରେ ଅଧିକ ଦାୟିତ୍ବ । ଆଜି ପୁରୀ ଯାଇ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ପୋଲିସ ଡିଜି ଅଭୟ।

ସ୍ବତନ୍ତ୍ର ସୁରକ୍ଷା ବଳୟରେ ଏବେ ପୁରୀ ସହର । କାଲି ରଥ ଗଡ଼ିବା ପୂର୍ବରୁ ପୂରା ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ପୋଲିସ ମହାନିର୍ଦ୍ଦେଶକ ଅଭୟ। ପୁରୀ ଗୋପବନ୍ଧୁ ଆୟୁର୍ବେଦିକ ମହାବିଦ୍ୟାଳୟରେ ଏନେଇ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ପ୍ରଶାସନକୁ ସହଯୋଗ କରିବାକୁ ପୁରୀବାସୀଙ୍କ ସମର୍ଥନ ପାଇଁ ସେ  ନିବେଦନ କରିଛନ୍ତି । ରଥଯାତ୍ରାରୁ ବାହୁଡା ପର୍ଯ୍ୟନ୍ତ ସୁରକ୍ଷା ବ୍ୟବସ୍ଥା ପ୍ରସ୍ତୁତ ହୋଇଥିବା ଅଭୟ ବାଣୀ ଦେଇଛନ୍ତି ପୋଲିସ ମହାନିର୍ଦ୍ଦେଶକ ଅଭୟ।

ପୁରୀ ସହରରେ ଆଜି ରାତିରୁ ୧୩ତାରିଖ ରାତି ୮ଟା ଯାଏଁ କର୍ଫ୍ୟୁ ବଳବତ୍ତର ରହିବ। ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଓ ସିସିଟିଭି ନଜରରେ ରହିବ ପୁରୀ ସହର । ପ୍ରାୟ ୬୫ ପ୍ଲାଟୁନ୍ ଫୋର୍ସ ସହ ସାଧା ପୋଷକଧାରୀ ପୋଲିସ୍ ନିୟୋଜିତ ହେବେ। ବଡଦାଣ୍ଡକୁ ୪ଟି ଜୋନ୍ ଓ ସହରକୁ ୧୨ଟି ଜୋନରେ ବିଭକ୍ତ କରାଯାଇଛି। ଶୃଙ୍ଖଳିତ ରଥଯାତ୍ରା ପାଇଁ ପୁରା ପ୍ରସ୍ତୁତ ରହିଛି ପୋଲିସ ପ୍ରଶାସନ।

ଯେହେତୁ ଭକ୍ତମାନଙ୍କୁ ପୁରୀ ଆସିବା ଉପରେ କଟକଣା ଲଗାଯାଇଛି ତେଣୁ ପୁରୀକୁ ସଂଲଗ୍ନ କରୁଥିବା ସମସ୍ତ ରାସ୍ତାରେ କଡ଼ା ଚେକିଂ କରାଯିବ। ଏଥିସହିତ ପୁରୀରେ ଥିବା ସମସ୍ତ ହୋଟେଲ ଓ ଲଜ୍‌ ଖାଲି କରିଦିଆଯାଇଛି। କୌଣସି ଭକ୍ତ ଯେଉଁଭଳି ନିଜ ଛାତ, ବାଲକୋନି ଓ ବଡଦାଣ୍ଡକୁ ନଆସିବେ ସେଥିପାଇଁ ବଡଦାଣ୍ଡ ସଂଲଗ୍ନ ସାହି ଗଳିକନ୍ଦିରେ ବ୍ୟାରିକେଡ୍ ପକାଯାଇଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.