ଶ୍ରୀମନ୍ଦିର ଚାରିପାଖରୁ ୭୫ ମିଟର ଜମି ଅଧିଗ୍ରହଣ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି -ଲାଗିଲା ଲଟ୍କା
26/09/2019 at 5:37 PM

ପୁରୀ ୨୬।୦୯ – ଶ୍ରୀମନ୍ଦିର ଚାରିପାଖରୁ ୭୫ ମିଟର ପରିଧି ଭିତରେ ଜମି ଅଧିଗ୍ରହଣ ପୂର୍ବରୁ ସର୍ବେକ୍ଷଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଏହାକୁ ନେଇ ପ୍ରଶାସନିକ ସ୍ତରରେ ତତ୍ପରତା ଦେଖିବାକୁ ମିଳିଛି । ପୁରୀ ପାଇଁ ନବନିଯୁକ୍ତ ୫ ଜଣ ଆଇଏଏସ ଏବଂ ୫ଜଣ ଓଏଏସଙ୍କୁ ନେଇ ୫ ଟି ଟିମ୍ ଗଠନ କରିଛନ୍ତି ଜିଲ୍ଲାପାଳ। ନବକୃଷ୍ଣ ଚୌଧୁରୀ ଫର ଡ଼େଭଲପମେଣ୍ଟ ଷ୍ଟଡିଜ ପକ୍ଷରୁ ଆରମ୍ଭ ହେବାକୁ ଥିବା ଏହି ସର୍ବେକ୍ଷଣ ପାଇଁ ପ୍ରସ୍ତାବିତ ଭୂମି ଅଧିଗ୍ରହଣ ସୂଚୀ ମଧ୍ୟ ସର୍ବସାଧାରଣରେ ଜାରି କରାଯାଇଛି । ତେବେ ଏପଟେ ପ୍ରଶାସନର ପ୍ରସ୍ତୁତି ଚାଲିଥିବା ବେଳେ ସେପଟେ ବିସ୍ଥାପିତ ହେବାକୁ ଥିବା ଲୋକେ କିନ୍ତୁ ଏହି ସର୍ବେକ୍ଷଣ ପ୍ରକ୍ରିୟାକୁ ଦୃଢ଼ ବିରୋଧ କରିଛନ୍ତି ।….

ବାହାରିଲା ବିଜ୍ଞପ୍ତି । ଲାଗିଲା ଲଟ୍କା । ଶ୍ରୀମନ୍ଦିର ଚାରିପାଖରେ ୭୫ମିଟର ପରିଧି ଭିତରେ ଥିବା ଜମି ଅଧିଗ୍ରହଣ ପୂର୍ବରୁ ସର୍ବେକ୍ଷଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏଥି ସହ ପ୍ରସ୍ତାବିତ ଭୂମି ଅଧିଗ୍ରହଣ ନେଇ ସମ୍ପୂର୍ଣ୍ଣ ବିବରଣୀ ରହିଥିବା ଲଟକା ମଧ୍ୟ ଲଗାଯାଇଛି । ଏବେ ସର୍ବେକ୍ଷଣ ପ୍ରକ୍ରିୟା ପାଇଁ ବ୍ଲୁ ପ୍ରିଣ୍ଟ ପସ୍ତୁତ କରିଛି ଜିଲ୍ଲା ପ୍ରଶାସନ । ସର୍ବେକ୍ଷଣ କାର୍ଯ୍ୟ ତଦାରଖ ପାଇଁ ୫ଟି ଟିମ୍ ଗଠନ କରାଯାଇଛି । ଯେଉଁଥିରେ ନବନିଯୁକ୍ତ ୫ ଆଇଏଏସ ଏବଂ ୫ ଓଏଏସ ଅଛନ୍ତି । ନବକୃଷ୍ଣ ଚୌଧୁରୀ ଫର ଡେଭେଲପ୍ମେଣ୍ଟ ଷ୍ଟଡିଜ ତରଫରୁ ଘର ଘର ବୁଲି ଏହି ସର୍ବେକ୍ଷଣ କାର୍ଯ୍ୟ କରାଯିବ । ଏଥି ସହ ଏନେଇ ଜନଶୁଣାଣୀ ମଧ୍ୟ କରାଯିବ ବୋଲି ପୁରୀ ଜିଲ୍ଲାପାଳ ବଲଓ୍ୱନ୍ତ ସିଂ ସୂଚନା ଦେଇଛନ୍ତି ।

ଏହି ସର୍ବେକ୍ଷଣରେ ସମୁଦାୟ ଅଧିଗ୍ରହଣ ହେବାକୁ ଥିବା ୧୫.୧୯୧ ଏକର ଜମିକୁ ସାମିଲ କରାଯିବ। ରାସ୍ତା ଓ ଗୃହ ନିର୍ମାଣ ବିଭାଗ ପକ୍ଷରୁ ୫ଟି ସାହି ଯେମିତିକି ଚୁଡ଼ଙ୍ଗ ସାହି, ବାସେଳୀ ସାହି, ମଣିକର୍ଣ୍ଣିକା ସାହି, କାଳିକା ଦେବୀ ସାହି, ଦୋଳମଣ୍ଡପ ସାହିର ୧୨.୫୪୪ ଏକର ଘରୋଇ ଜମିର ସର୍ବେକ୍ଷଣ ହେବ । ଏପଟେ ପ୍ରସ୍ତାବିତ ଭୂମି ଅଧିଗ୍ରହଣ ନେଇ ସମ୍ପୂର୍ଣ୍ଣ ବିବରଣୀ ଲଟକା ମାଧ୍ୟମରେ ଜାରି କରାଯାଇଥିବା ବେଳେ ଏହାକୁ ନେଇ ସ୍ଥାନୀୟ ବାସିନ୍ଦାଙ୍କ ଭିତରେ ଅସନ୍ତୋଷ ଦେଖିବାକୁ ମିଳିଛି । ତେବେ ପ୍ରଶାସନର ଏହି ସର୍ବେକ୍ଷଣ କାର୍ଯ୍ୟକୁ ସେମାନେ ବିରୋଧ କରିବେ ବୋଲି କହିଛନ୍ତି ।

ସର୍ବେକ୍ଷଣ ସମୟରେ ସ୍ଥାନୀୟ ଲୋକମାନଙ୍କ ସହ ସାମୁହିକ ଆଲୋଚନା, ଜନ ଶୁଣାଣୀ କରାଯିବ । ଏକ ମାସ ଭିତରେ ସର୍ବେକ୍ଷଣ ଶେଷ ହେବା ପରେ ଜମି ଅଧିଗ୍ରହଣ ନେଇ ଚୁଡ଼ାନ୍ତ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।