ପଳାତକ ହୀରା ବ୍ୟବସାୟୀ ନୀରବ ମୋଦୀଙ୍କ ପାଇଁ ବଢିଲା ଅଡୁଆ, ସାକ୍ଷୀ ହେବେ ଭଉଣୀ ପୂରବୀ

Published By : Prameya-News7 Bureau | January 06, 2021 IST

ମୁମ୍ବାଇ,୦୬/୦୧: ବହୁ ଚର୍ଚ୍ଚିତ ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ ଦୁର୍ନୀତି ମାମଲାରେ ପଳାତକ ହୀରା ବ୍ୟବସାୟୀ ନୀରବ ମୋଦୀଙ୍କ ଭଉଣୀ ପୂରବୀ ସାକ୍ଷୀ ହୋଇଛନ୍ତି। ଏ ନେଇ ମୁମ୍ୱାଇର ସ୍ୱତନ୍ତ୍ର କୋର୍ଟ ତାଙ୍କୁ ଅନୁମତି ପ୍ରଦାନ କରିଛନ୍ତି।

ଅର୍ଥ ହେରଫେର୍ ନିବାରଣ ଆଇନ୍ ବା ପ୍ରିଭେନ୍ସନ୍ ଅଫ ମନି ଲଣ୍ଡ୍ରିଂ ଆଇନର ବିଚାର କରୁଥିବା ସ୍ୱତନ୍ତ୍ର ଜଜ୍ ଭି.ସି. ବାର୍ଡେ ଏହି ମାମଲାରେ ସକ୍ଷୀ ହେବା ପାଇଁ ପୂରବୀଙ୍କ ପକ୍ଷରୁ ଆବେଦନ କରାଯାଇଥିବା ଆବେଦନକୁ ଗତ ସୋମବାର ଗ୍ରହଣ କରିଥିଲେ। ଏହା ପରେ କୋର୍ଟ ମଙ୍ଗଳବାର ଏ ନେଇ ନିର୍ଦ୍ଦେଶନାମା ଜାରି କରିଥିଲେ।

ବେଲଜିୟମର ନାଗରିକ ପୂରବୀ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ଏକ ମାମଲାରେ ବର୍ତ୍ତମାନ ଅଭିଯୁକ୍ତ ଅଛନ୍ତି। ତେବେ ମାମଲାର ବିଚାର ସମୟରେ ସେ ସମ୍ପୂର୍ଣ୍ଣ ସହଯୋଗ କରିବା ସହ ଆବେଦନ କରିଥିବା କ୍ଷମା ପ୍ରାର୍ଥନାକୁ ଗ୍ରହଣ କରାଯାଇ ତାଙ୍କୁ ବ୍ୟାଙ୍କ ଦୁର୍ନୀତିର ସାକ୍ଷୀ ଭାବେ ଗ୍ରହଣ କରିବାକୁ କୋର୍ଟ କହିଛନ୍ତି।

ପୂରବୀ ସମ୍ପୂର୍ଣ୍ଣ ଭାବେ ଇଡିକୁ ସହଯୋଗ କରିବା ସହ ଆବଶ୍ୟକ ତଥ୍ୟ ଏବଂ ଦସ୍ତାବିଜ ଦାଖଲ କରିବେ ବୋଲି କୋର୍ଟକୁ ଜଣାଇଛନ୍ତି। ଏହାଛଡ଼ା ତାଙ୍କ ପାଖରୁ ବ୍ୟାଙ୍କର ଦୁର୍ନୀତି ସମ୍ୱନ୍ଧରେ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ, ପ୍ରମାଣ ମିଳିବ ବୋଲି ଆଶା କରାଯାଉଛି।

ତଦନ୍ତକାରୀ ସଂସ୍ଥାର ସୂଚନା ମୁତାବକ, ନୀରବ ମୋଦୀ ଏବଂ ତାଙ୍କ ମାମୁଁ ମେହୁଲ୍ ଚୌକସୀ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର କର୍ମଚାରୀଙ୍କ ସହ ମିଶି ୧୪ ହଜାର କୋଟି ଟଙ୍କାର ଠକେଇ କରିଛନ୍ତି। ବର୍ତ୍ତମାନ ସେ ପଳାତକ ଭାବେ ଦେଶ ଛାଡ଼ି ଚାଲିଯାଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.