ବିଜେପି ଛାଡ଼ିଲେ ୧୦ ବରିଷ୍ଠ ନେତା, କୃଷି ବିଲ୍ ବିରୋଧରେ ବିଷୋଦଗାର ପରେ ଧରିଲେ ଅକାଳୀ ପତାକା
16/01/2021 at 6:15 PM

ନୂଆଦିଲ୍ଲୀ ୧୬/୦୧: ନୂଆ କୃଷି ନିୟମ ପ୍ରତ୍ୟାହାର ଦାବିରେ ଦୀର୍ଘ ଦିନ ହେଲା ଚାଷୀ ଆନ୍ଦୋଳନ ଜାରି ରହିଛି। ଗୋଟିଏ ପରେ ଗୋଟିଏ ଚାଷୀ-ସରକାର ଆଲୋଚନା ବିଫଳ ହେଉଛି। ସରକାର କହୁଛନ୍ତି ଆମେ ୩ ନୂଆ କୃଷି ନିୟମ ପ୍ରତ୍ୟାହାର କରିବୁନି। ନିୟମ ପ୍ରତ୍ୟାହାର ନହେଲେ ଆନ୍ଦୋଳନ ବନ୍ଦ କରିବୁନି ବୋଲି ଚାଷୀ ଅଡ଼ି ବସିଛନ୍ତି। ଚାଷୀ ଆନ୍ଦୋଳନ ବି ବିଜେପି ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଲାଣି। ପଞ୍ଜାବର ୧୦ ବରିଷ୍ଠ ବିଜେପି ନେତା ଦଳ ଛାଡ଼ି ଶିରୋମଣୀ ଅକାଳୀ ଦଳ (ଏସଏଡି)ରେ ସାମିଲ ହୋଇଛନ୍ତି।
ଏସ୍ଏଡିର ସଭାପତି ସୁଖବୀର ସିଂହ ବାଦଲଙ୍କ ଉପସ୍ଥିତିରେ ସେମାନେ ଦଳରେ ସାମିଲ ହୋଇଛନ୍ତି। ତେବେ ବଥିଣ୍ଡା ଜିଲ୍ଲାରେ ଏହି ମିଶ୍ରଣ ପର୍ବ ହୋଇଛି। କୃଷକ ଆନ୍ଦୋଳନକୁ ସମର୍ଥନ ଓ କେନ୍ଦ୍ରକୁ ବିରୋଧ କରି ସେମାନେ ସାଡ୍ର ହାତ ଧରିଛନ୍ତି। ସେମାନଙ୍କ ମଧ୍ୟରେ ଅଛନ୍ତି ବଲଓ୍ବିନ୍ଦର ସିଂହ, ସୁଖଦେବ ସିଂହ, ବଲକର ସିଂହ ସାହୋଟା, ଜଗତାର ସିଂହ ତାରି, ସୁରଜିତ୍ କୌର, ରାଜିନ୍ଦର କୁମାର ରାଜି, ବଲଜିତ ସିଂହ ଚହଲ, ବାହାଦୁର ଖାନ, ରବିନ୍ଦର କୁମାର ଶର୍ମା ଓ ବଘେଲ ସିଂହ। ସେମାନେ ସମସ୍ତେ ବିଜେପିର ପଦ ପଦବୀରେ ଥିଲେ।
ତେବେ ସାଡ୍ରେ ସାମିଲ ହେବା ପରେ ସେମାନେ କହିଛନ୍ତି, ନୁଆ ତିନି କୃଷି ନିୟମ ବିରୋଧରେ ଏଭଳି ପଦକ୍ଷେପ ନେଇଛନ୍ତି। ୧୦ ବିଜେପି ନେତା ନିଜର କର୍ମୀମାନଙ୍କ ସହ ଏସ୍ଏଡିରେ ସାମିଲ ହୋଇଛନ୍ତି। ଏହା ସହ ଆହୁରି ବିଜେପି କର୍ମୀ ମଧ୍ୟ ଏସ୍ଏଡିରେ ସାମିଲ ହେବେ ବୋଲି ପଦ୍ମ ଛାଡ଼ିଥିବା ନେତା କହିଛନ୍ତି।