ଭାରତର ସର୍ଜିକାଲ ଷ୍ଟ୍ରାଇକ୍ ଫଳରେ ଖୁସି ଅଛନ୍ତି ସହିଦ ଜବାନଙ୍କ ପରିବାର

Published By : Prameya-News7 Bureau | October 02, 2018 IST

ପଞ୍ଜାବ ୨|୧୦:  ପାକିସ୍ତାନର ବର୍ବରତାର ପ୍ରତିଶୋଧ ନେଇଛି ଭାରତ । ଭାରତୀୟ ସେନାର ସ୍ପେଶାଲ ଫୋର୍ସ ଏବଂ ସୀମା ସୁରକ୍ଷାକର୍ମୀଙ୍କ ସ୍ବତନ୍ତ୍ର କମାଣ୍ଡୋ ପୁଣି ଥରେ ପାକିସ୍ତାନରେ ପଶି ସର୍ଜିକାଲ ଷ୍ଟ୍ରାଇକ୍ କରି ୧୫ଜଣ ପାକିସ୍ତାନୀ ସୈନ୍ୟଙ୍କୁ ନିହତ କରିଛନ୍ତି । ଭାରତର ଏହି ସର୍ଜିକାଲ ଷ୍ଟ୍ରାଇକ୍ କୁ ନେଇ ସହିଦ ହୋଇଥିବା ଜବାନମାନଙ୍କ ପରିବାର ଖୁସି ଅଛନ୍ତି । ପାକିସ୍ତାନ ବିରୋଧରେ ଭାରତ ଏମିତି ମଝିରେ ମଝିରେ ସର୍ଜିକାଲ ଷ୍ଟ୍ରାଇକ୍ କରିବା ଉଚିତ୍ । ପଞ୍ଚାବ ତରନତାରନ ଜିଲ୍ଲାର ବେଇପୁଇ ଗାଁର ଭାରତୀୟ ସେନାର ସହିଦ ଜବାନ ପରମଜିତ ସିଂହଙ୍କ ପତ୍ନୀ ପରମଜିତ କୌର କହିଛନ୍ତି ଯେ, ପାକିସ୍ତାନ ସେନା ମଧ୍ୟ ତାଙ୍କ ସ୍ବାମୀଙ୍କ ସହ ଏପରି ବର୍ବରକାଣ୍ଡ କରିଥିଲା । ଭାରତର ସର୍ଜିକାଲ ଷ୍ଟ୍ରାଇକ୍ ପରେ ଏବେ ଯାଇ ତାଙ୍କୁ ଖୁସି ମିଳିଲା । ୨୦୧୭ ମସିହା ମେ ୧ତାରିଖରେ ତାଙ୍କ ସ୍ବାମୀ ଏବଂ ତାଙ୍କ ସହକର୍ମୀ ଜବାନମାନଙ୍କୁ ପାକିସ୍ତାନ ସେନା ଏଭଳି ବର୍ବରତା ସହ ମାରିଦେଇଥିଲେ । ପରମଜିତଙ୍କ ଝିଅ ସିମରନଦୀପ କୌର, ଖୁସଦୀପ କୌର ଏବଂ ପୁଅ ସାହିଲଦୀପ ସିଂହ କହିଛନ୍ତି ଯେ ଯେତେବେଳେ ତାଙ୍କ ବାପାଙ୍କ ପାର୍ଥିବ ଶରୀର ଅନ୍ତିମ ସଂସ୍କାର ପାଇଁ ଗାଁକୁ ଅଣାଯାଇଥିଲା ସେତେବେଳେ ତାଙ୍କର ମୁଣ୍ଡ ନଥିଲା । ସେହିଦିନଠାରୁ ଆମେ ବହୁତ ଦୁଃଖି ଥିଲୁ । ଏହା ଭାବୁଥିଲୁ ଯେ ସହିଦମାନଙ୍କର ପ୍ରତିଶୋଧ କେବେ ନିଆଯିବ । ଏବେ ସହିଦମାନଙ୍କର ପ୍ରତିଶୋଧ ନିଆଯାଇଥିବାରୁ ଆମେ ବହୁତ ଖୁସି ଅଛୁ । ସେହିଭଳି ଭୁଲର ଗାଁର କାର୍ଗିଲ ସହିଦ ବଲଦେବ ସିଂହଙ୍କ ପତ୍ନୀ ବଲଜିତ କୌର କହିଛନ୍ତି ଯେ, ପାକିସ୍ତାନ କେବେ ପୋଡିଶୀ ହେବା ସତ୍ତ୍ବେ ବନ୍ଧୁତ୍ବର ହାତ ବଢାଇନାହିଁ । ପ୍ରତିଦିନ ସୀମାରେ ଜବାନମାନେ ସହିଦ ହେଉଛନ୍ତି । ଜବାନମାନେ ଦେଶ ପାଇଁ ବଳିଦାନ ଦେବାକୁ ପ୍ରସ୍ତୁତ ରହିଥାନ୍ତି କିନ୍ତୁ ପାକିସ୍ତାନଠାରୁ ଏଭଳି ପ୍ରତିଶୋଧ ନେବା ଜରୁରୀ ଥିଲା । ମଲମୋହରୀର କାର୍ଗିଲ ସହିଦ ବଲବିନ୍ଦର ସିଂହଙ୍କ ପତ୍ନୀ ବଲଜିତ କୌର କହିଛନ୍ତି ଯେ, ପାକିସ୍ତାନ ମାଟିରେ ଯାଇ ଭାରତୀୟ ସେନା ଯେଉଁଭଳିଭାବେ ପ୍ରତିଶୋଧ ନେଇଛି ତାହା ଜରୁରୀ ଥିଲା । ଏହାଦ୍ବାରା ଭାରତୀୟ ସେନା ଏବଂ ତାଙ୍କ ପରିବାରଲୋକଙ୍କ ଆତ୍ମବିଶ୍ବାସ ବଢିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.