ଫେଲ୍ ମାରିଲେ ବ୍ୟାଟସମ୍ୟାନ, ହାଇଦ୍ରାବାଦ ସମ୍ମୁଖରେ ୧୨୭ ରନର ବିଜୟ ଲକ୍ଷ୍ୟ ରଖିଲା କିଙ୍ଗ୍ସ ଏକାଦଶ ପଞ୍ଜାବ

Published By : Prameya-News7 Bureau | October 24, 2020 IST

ଦୁବାଇ ୨୪।୧୦: ଆଇପିଏଲର ୪୩ତମ ମ୍ୟାଚ୍‌ରେ ନିରାଶଜନକ ବ୍ୟାଟିଂ କରି କିଙ୍ଗ୍ସ ଏକାଦଶ ପଞ୍ଜାବ ସନରାଇଜର୍ସ ହାଇଦ୍ରାବାଦ ସମ୍ମୁଖରେ ୧୨୭ ରନର ସହଜ ବିଜୟ ଲକ୍ଷ୍ୟ ରଖିଛି। ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ପଞ୍ଜାବ ନିର୍ଦ୍ଧାରିତ ଓଭରରେ ୭ ଓ୍ଵିକେଟ୍ ହରାଇ ୧୨୬ ରନ କରିବାରେ ସକ୍ଷମ  ହୋଇଛି। ଦଳ ପକ୍ଷରୁ ନିକୋଲାସ ପୁରନ ସର୍ବାଧିକ ୩୨ ରନର ଅପରାଜିତ ଇନିଂସ ଖେଳିଛନ୍ତି। ଦୁଇ ଦଳ ପାଇଁ ଏହି ମ୍ୟାଚ୍‌ ବେଶ୍ ଗୁରୁତ୍ଵପୂର୍ଣ୍ଣ। କାରଣ ଉଭୟ ଦଳ ୧୦ ମ୍ୟାଚ୍‌ରୁ ୪ ବିଜୟ ସହ ସମାନ ୮ ପଏଣ୍ଟରେ ଅଛନ୍ତି। ଯେଉଁ ଦଳ ମ୍ୟାଚ୍ ଜିତିବ ପ୍ଲେଅଫ୍‌ରେ ପ୍ରବେଶ କରିବାର ସମ୍ଭାବନା ଅଧିକ ରହିବ।

ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା କିଙ୍ଗ୍ସ ଏକାଦଶ ପଞ୍ଜାବର ଓପନିଂ ଯୋଡି ଲୋକେଶ ରାହୁଲ ଓ ମନଦୀପ ସିଂହ ପ୍ରଥମ ଓ୍ଵିକେଟ୍‌ରେ ୩୭ ରନ ଯୋଡିଥିଲେ। ମନଦୀପ ସିଂହ ୧୭ ରନକରି ସନ୍ଦୀପ ଶର୍ମାଙ୍କ ବଲରେ ଆଉଟ୍  ହୋଇଥିଲେ। ଏହା ପରେ ୬୬ ରନ ସ୍କୋରରେ ପଞ୍ଜାବ ଲଗାତାର ଦୁଇଟି ବଡ ଓ୍ଵିକେଟ୍ ହରାଇଥିଲା। କ୍ରିସ୍‌ ଗେଲ୍‌ଙ୍କଠୁ ଦଳ ବଡ ଇନିଂସର ଆଶା ରଖିଥିଲେ ମଧ୍ୟ ସେ ୨୦ ରନ କରି ବିଦାୟ ନେଇଥିଲେ। ଏହା ପରେ ପରେ ଅଧିନାୟକ ରାହୁଲ ୨୭ ରନ କରି ରାଶିଦ ଖାନଙ୍କ ବଲରେ କ୍ଲିନ ବୋଲ୍ଡ ହୋଇଥିଲ।

ଦଳ ନିୟମିତ ବ୍ୟବଧାନରେ ଓ୍ଵିକେଟ୍ ହରାଇ ଚାଲିଥିଲା। ମ୍ୟାକ୍ସଓ୍ଵେଲ ବି ମଧ୍ୟ ନିରାଶ କରି ୧୨ ରନରେ ବିଦାୟ ନେଇଥିଲେ। ନିକୋଲାସ ପୁରନଙ୍କୁ ବାଦ୍ ଦେଲେ ଆଉ କୌଣସି ବ୍ୟାଟସମ୍ୟାନ ବିଶେଷ ସଫଳ ହୋଇନଥିଲେ। ପୁରନ ୨୮ ବଲରୁ ୨ ଚୌକା ସହ ୩୨ ରନ କରି ଅପରାଜିତ ଥିଲେ। ଦଳ ନିର୍ଦ୍ଧାରିତ ଓଭରରେ ୭ ଓ୍ଵିକେଟ୍ ହରାଇ ୧୨୬ ରନ କରିବାକୁ ସକ୍ଷମ ହୋଇଛି।

ହାଇଦ୍ରାବାଦ ତରଫରୁ ରାଶିଦ ଖାନ ମାତ୍ର ୧୪ ରନ ଦେଇ ୨ଟି ସଫଳତା ପାଇଛନ୍ତି। ସେହି ପରି ଜାସନ ହୋଲଡର ଓ ସନ୍ଦୀପ ଶର୍ମା ମଧ୍ୟ ପ୍ରତ୍ୟେକ ଦୁଇଟି ଲେଖାଏଁ ଓ୍ଵିକେଟ୍ ନେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.