ବଡ ଧରଣର ଆତଙ୍କୀ ଷଡଯନ୍ତ୍ର ପଣ୍ଡ, ବିପୁଳ ମାତ୍ରାରେ ଅସ୍ତ୍ର ଶସ୍ତ୍ର ଜବତ

Published By : Prameya-News7 Bureau | June 11, 2021 IST

ଚଣ୍ଡିଗଡ ୧୧।୦୬: ପଞ୍ଜାବ ପୋଲିସ ଗୁରୁବାର ରାତିରେ ବଡ ଧରଣର ଆତଙ୍କୀ ଯୋଜନା ପର୍ଦ୍ଦାଫାଶ କରିବାରେ ସଫଳ ହୋଇଛନ୍ତି। ଏହି ଅଭିଯାନରେ ପୋଲିସ ବିପୁଳ ପରିମାଣରେ ଅସ୍ତ୍ର ଶସ୍ତ୍ର ଜବତ କରିଛି। ଏଥିସହ ହତିଆରର ଚୋରାଚାଲାଣ କରୁଥିବା ଜଣେ ଅଭିଯୁକ୍ତକୁ ଗିରଫ କରିବାରେ ପୋଲିସ ସଫଳ ହୋଇଛି। କୁହାଯାଉଛି ଅଭିଯୁକ୍ତର ସଂପର୍କ ପାକିସ୍ତାନୀ ଆତଙ୍କୀ ସଂଗଠନ ସହ ଆମେରିକା, କାନାଡା ଓ ବ୍ରିଟେନ୍‌ ସ୍ଥିତ ଭାରତ ବିରୋଧୀ ଖଲିସ୍ତାନୀ ତତ୍ଵ ସହ ଜଡିତ ଥିଲା। ବ୍ୟକ୍ତିଙ୍କୁ ଆମେରିକାର ଜଣେ ହ୍ୟାଣ୍ଡଲରଙ୍କଠୁ ନିର୍ଦ୍ଦେଶ ମିଳିଥିଲା।

ଡିଜିପି ଦିନକର ଗୁପ୍ତା ଶୁକ୍ରବାର ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଦେଶର ବିଭିନ୍ନ ଅଞ୍ଚଳରେ ଆତଙ୍କବାଦୀ ଘଟଣା ଘଟାଇବା ପାଇଁ ଏହି ସବୁ ଅସ୍ତ୍ର ଶସ୍ତ୍ର ମଗାଯାଇଥିଲା। ବଟାଲା ଜିଲ୍ଲାର ପୁରିଆ କଲାନ ନିବାସୀ ୨୫ ବର୍ଷୀୟ ଜଗଜିତ ସିଂହ ଓରଫ ଜଗୁକୁ ଗୁରୁବାର ରାତିରେ ଅମୃତସରର କଥୁନାଙ୍ଗଲ ନିକଟରୁ ପଞ୍ଜାବ ପୋଲିସ ଗିରଫ କରିଛି।

ଏକ ଗୁଇନ୍ଦା ଅପରେସନ ସମୟରେ ଅମୃତସର-ବଟାଲା ରୋଡ୍‌ର କଥୁନାଙ୍ଗଲ ଗାଁରେ ପିବି-୦୬-ଏଏନ-୭୦୧୬ ନମ୍ବରର ଆଇ-୨୦ କାରକୁ ଅଟକା ଯାଇଥିଲା। ଏଥିରେ ପୋଲିସ ଦଳକୁ ଦୁଇଟି ବ୍ୟାଗ୍ ମିଳିଥିଲା। ଏଥିରେ ଅନେକ ଦେଶରେ ନିର୍ମିତ ପିସ୍ତଲ, ମ୍ୟାଗଜିନ ଓ ଗୋଳା ବାରୁଦ ଭର୍ତ୍ତି ହୋଇଥିଲା। ଜବତ  ହତିଆରରେ ୯ ଏମଏମର ୧୯ ପିସ୍ତଲ, ୩୭ ମ୍ୟାଗଜିନ୍ ଓ ୪୫ ରାଉଣ୍ଡ, ୩୦ ବୋରର ୯ ପିସ୍ତଲ ସାମିଲ।

ଡିଜିପି କହିଛନ୍ତି, ପ୍ରାରମ୍ଭିକ ଯାଞ୍ଚରୁ ଜଣା ପଡିଛି ଯେ, ଜଗଜୀତଙ୍କୁ ହତିଆରର ଟ୍ରିପ ନେବା ପାଇଁ ଦରମନଜୋତ ସିଂହ ଓରଫ ଦରମନ କହଲୋ ନିର୍ଦ୍ଦେଶ ଦେଇଥିଲା। ଦରମନ ବର୍ତ୍ତମାନ ଆମେରିକାରେ ଏବଂ ସେ ଜଗଜିତ ସିଂହ ସହ ନିୟମିତ ଯୋଗାଯୋଗରେ ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.