ଆତ୍ମସମର୍ପଣ କଲେ ଡିଏସ୍‌ପି ଅତୁଲ ସୋନି, ସ୍ତ୍ରୀଙ୍କୁ ମାରିଥିଲେ ଗୁଳି

Published By : Prameya-News7 Bureau | March 03, 2020 IST

ଚଣ୍ଡୀଗଡ ୩।୩: ନିଜ ପତ୍ନୀଙ୍କୁ ଗୁଳି କରିବା ଅଭିଯୁକ୍ତ ପଞ୍ଜାବ ପୋଲିସରୁ ବରଖାସ୍ତ ହୋଇଥିବା ଡିଏସପି ଅତୁଲ ସୋନି ସୋମବାର ମୋହାଲି କୋର୍ଟରେ ଆତ୍ମସମର୍ପଣ କରିଛନ୍ତି । କୋର୍ଟ ଅତୁଲଙ୍କୁ ନ୍ୟାୟିକ ହେପାଜତକୁ ପଠାଇଛନ୍ତି। ଏକଦା ସିଂଘମ୍ ନାଁରେ ପରିଚିତ ଅତୁଲ ତାଙ୍କ ସ୍ତ୍ରୀ ସୁନୀତାଙ୍କୁ ଗୁଳି କରିଥିବା ଅଭିଯୋଗ ହୋଇଛି। ୧୯ ଜାନୁଆରୀରେ ଘଟଣା ଘଟିଥିଲା । ୪୪ଦିନ ଫେରାର ରହିବା ପରେ ସେସନ୍ସ କୋର୍ଟ, ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟରୁ ଜାମିନ ଆବେଦନ ଖାରଜ ହେବା ପରେ ଅତୁଲ ଆତ୍ମସମର୍ପଣ କରିଥିଲେ ।

ଅତୁଲ ପଞ୍ଜାବ ପୋଲିସର ୮୨ ବାଟାଲିୟନରେ ପୋଷ୍ଟିଂ ଥିଲେ । ଜାନୁଆରୀ ୧୮ରେ, ତାଙ୍କ ପତ୍ନୀ ସୁନୀତା ସୋନିଙ୍କୁ ମାଡପିଟ୍ ଏବଂ ଗୁଳି କରିବା ମାମଲା ରୁଜୁ ହୋଇଥିଲା । ତଦନ୍ତରେ ସହଯୋଗ କରିବା ପରିବର୍ତ୍ତେ ଅତୁଲ ଫେରାର ହୋଇଯାଇଥିଲେ । ପଞ୍ଜାବ ପୋଲିସ ବିଭାଗୀୟ ତଦନ୍ତ ଆରମ୍ଭ କରି ଅତୁଲଙ୍କୁ ବରଖାସ୍ତ କରିଥିଲା । ଅତୁଲଙ୍କୁ ଗିରଫ ପାଇଁ ମୋହାଲି ପୋଲିସ କ୍ରମାଗତ ଭାବେ ଚଢାଉ ଜାରି ରଖିଥିଲା । ହେଲେ ପୋଲିସକୁ ସଫଳତା ମିଳିପାରିନଥିଲା । ପଞ୍ଜାବ ପୋଲିସ ଖୁବ୍ ଶୀଘ୍ର ଅତୁଲଙ୍କୁ ପ୍ରଡକସନ ଓ୍ବାରେଣ୍ଟରେ ନେଇ ପଚରାଉଚରା କରିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.