ଲୋକେଶ ରାହୁଲ ଓ ମୟଙ୍କ ଅଗ୍ରଓ୍ଵାଲଙ୍କ ଅର୍ଦ୍ଧଶତକ, ଦିଲ୍ଲୀ କ୍ୟାପିଟାଲ୍ସକୁ ୧୯୬ ରନର ବିଜୟ ଲକ୍ଷ୍ୟ ଦେଲା ପଞ୍ଜାବ କିଙ୍ଗ୍ସ

Published By : Prameya-News7 Bureau | April 18, 2021 IST

ମୁମ୍ବାଇ ୧୮।୦୪: ଦୁଇ ଓପନର ଲୋକେଶ ରାହୁଲ ଓ ମୟଙ୍କ ଅଗ୍ରଓ୍ଵାଲଙ୍କ ଅର୍ଦ୍ଧଶତକ ଏବଂ ଶତକୀୟ ଭାଗିଦାରୀ ସତ୍ତ୍ଵେ ବି ୨୦୦ ରନ କରିପାରି ନାହିଁ ପଞ୍ଜାବ। ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ପଞ୍ଜାବ ଅଧିନାୟକ କେଏଲ ରାହୁଲ ୬୧ ଓ ମୟଙ୍କ ଅଗ୍ରଓ୍ଵାଲ ୬୯ ରନ ବଳରେ ନିର୍ଦ୍ଧାରିତ ଓଭରରେ ୪ ଓ୍ଵିକେଟ୍ ହରାଇ ୧୯୫ ରନ କରିଛି। ଚଳିତ ସିଜିନ୍‌ରେ ଦ୍ଵିତୀୟ ବିଜୟ ପାଇଁ ଦିଲ୍ଲୀ ସମ୍ମୁଖରେ ୧୯୬ ରନର ବିଜୟ ଲକ୍ଷ୍ୟ ରହିଛି। ୧୨.୪ ଓଭରରେ ଦୁଇ ଓପନର ୧୨୨ ରନ ଯୋଡିଥିଲେ।

ପଞ୍ଜାବର ଦୁଇ ଓପନର ଲୋକେଶ ରାହୁଲ ଓ ମୟଙ୍କ ଅଗ୍ରଓ୍ଵାଲ ଆରମ୍ଭରୁ ଦିଲ୍ଲୀ ବୋଲରଙ୍କ ଉପରେ ଆକ୍ରମଣ କରିଥିଲେ। ଉଭୟ ବ୍ୟାଟସମ୍ୟାନ ଦ୍ରୁତ ବ୍ୟାଟିଂ କରି ପ୍ରଥମ ଓ୍ଵିକେଟ୍‌ରେ ଶତକୀୟ ଭାଗିଦାରୀ କରି ଦିଲ୍ଲୀ ପାଇଁ ବିଶାଳ ରନର ମୂଳଦୁଆ ପକାଇଥିଲେ। ଏଥିସହ ଓପନରଦ୍ଵୟ ନିଜ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। ଦିଲ୍ଲୀକୁ ପ୍ରଥମ ସଫଳତା ପାଇଁ ୧୩ ଓଭର ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିଥିଲା। ଏଲ ମେରିଓ୍ଵାଲା ମୟଙ୍କ ଅଗ୍ରଓ୍ଵାଲଙ୍କୁ ଆଉଟ୍ କରି ଦଳକୁ ପ୍ରଥମ ସଫଳତା ଦେଇଥିଲେ। ଅଗ୍ରଓ୍ଵାଲ ୩୬ ବଲ୍‌ରୁ ୭ ଚୌକା ଓ ୪ ଛକା ସହ ୬୯ ରନର ଧୂଆଁଧାର ଇନିଂସ ଖେଳିଥିଲେ। ଏହା ପରେ କେଏଲ ରାହୁଲ ୫୧ ବଲ୍‌ରୁ ୭ ଚୌକା ଓ ୨ ଛକା ଜରିଆରେ ୬୧ ରନ କରି ପାଭିଲିୟନ ଫେରିଥିଲେ। କ୍ରିସ୍ ଗେଲ୍‌(୧୧) ଅଧିକ ସମୟ କ୍ରିଜରେ ତିଷ୍ଠି ପାରିନଥିଲେ।

ଶେଷ ଆଡକୁ ଦଳର ରନଗତି ଧିମେଇ ଯିବାରୁ ପଞ୍ଜାବ ୨୦୦ ରନ କରି ପାରିନଥିଲା। ଦୀପକ ହୁଡ୍ଡା ୧୩ ବଲ୍‌ରୁ ୨୨ ରନ ଏବଂ ଶାହରୁଖ ଖାନ ୫ ବଲ୍‌ରୁ ୧୫ ରନ କରି ଅପରାଜିତ ଥିଲେ। ନିକୋଲାସ ପୁରନ (୯) ପାଭିଲିୟନ ଫେରିଥିଲେ। ନିର୍ଦ୍ଧାରିତ ଓଭରରେ ପଞ୍ଜାବ କିଙ୍ଗ୍ସ ୪ ଓ୍ଵିକେଟ୍ ହରାଇ ୧୯୫ ରନ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.