ବିଷାକ୍ତ ମଦ ପିଇ ମୃତ୍ୟୁ ହେଲେ ଦୋଷୀଙ୍କୁ ମିଳିବ ଫାଶୀ, ବିଧାନସଭାରେ ବିଲ୍ ପାରିତ‌

Published By : Prameya-News7 Bureau | March 09, 2021 IST

ଚଣ୍ଡୀଗଡ଼, ୦୯/୦୩: ଗତବର୍ଷ ଜୁଲାଇ ଏବଂ ଅଗଷ୍ଟ ମାସରେ ପଞ୍ଜାବରେ ବିଷାକ୍ତ ମଦ ପିଇ କିଛି ଲୋକଙ୍କ ମୃତ୍ୟୁ ହୋଇଥିଲା । ଏହାକୁ ନେଇ ରାଜ୍ୟ ସରକାର ତତ୍ପର ହୋଇ ପଡ଼ିଥିଲେ । କ୍ୟାପ୍ଟେନ୍‌ ଅମରିନ୍ଦର ସିଂହଙ୍କ ସରକାର ନୂଆ ଆଇନ୍‌ ଆଣି ଏହା ବିରୋଧରେ କଡ଼ା ସଜାର ପ୍ରାବଧାନ କରିଥିବା ଜଣାପଡ଼ିଛି । ପଞ୍ଜାବ ବିଧାନସଭା ବିଷାକ୍ତ ଏବଂ ନକଲି ମଦ ବିକ୍ରିକୁ ନେଇ ପଞ୍ଜାବ ଏକ୍ସସାଇଜ୍‌ ଆମେଣ୍ଡମେଣ୍ଟ ବିଲ୍‌ ୨୦୨୧ ପାରିତ କରିଛନ୍ତି ।

ରାଜ୍ୟ ସରକାରଙ୍କ ତରଫରୁ ପ୍ରସ୍ତୁତ କରାଯାଇଥିବା ନୂଆ ପ୍ରାବଧାନ ଅନୁସାରେ, ବିଷାକ୍ତ ମଦ ପିଇ ଯଦି କାହାର ମୃତ୍ୟୁ ହୋଇଯାଏ ତେବେ ନକଲି ମଦ ବିକ୍ରି କରିଥିବା ଲୋକକୁ ଫାଶୀ ଦଣ୍ଡ ଦିଆଯିବ । ଏଥି ସହିତ ଦୋଷୀକୁ ୨୫ ଲକ୍ଷ ଟଙ୍କାର ଜରିମାନା ମଧ୍ୟ ଦେବାକୁ ପଡ଼ିବ ବୋଲି ଏଥିରେ ଆଇନ୍‌ କରାଯାଇଛି ।

ସେହିପରି ଯଦି ନକଲି ମଦ ପିଇ କୌଣସି ବ୍ୟକ୍ତି ପଙ୍ଗୁ ହୋଇଯାଆନ୍ତି ତେବେ ଏହି ମାମଲାରେ ପାଖାପାଖି ଅତିକମ୍‌ରେ ୬ ବର୍ଷ ସଜା ସହିତ ୧୦ ଲକ୍ଷ ଟଙ୍କାର ଜରିମାନା ଭରିବାକୁ ଏଥିରେ ପ୍ରାବଧାନ ରହିଛି ।

ନକଲି ମଦ ପିଇ ଯଦି କେହି ଆହାତ ହୁଅନ୍ତି ତେବେ ଏହି ମାମଲାରେ ୧ବର୍ଷ ଜେଲ୍‌ ସହିତ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା କରାଯିବାର ପ୍ରାବଧାନ ରହିଛି ।

ପଞ୍ଜାବ ଏକ୍ସସାଇଜ୍‌ ଆମେଣ୍ଡମେଣ୍ଟ ବିଲ୍‌ ୨୦୨୧ ଅନୁସାରେ, ଯଦି ନକଲି ଏବଂ ବିଷାକ୍ତ ମଦ ବିକ୍ରି କରିବା ଦ୍ୱାରା କାହାର ମଧ୍ୟ କ୍ଷତି ହେଉନାହିଁ ତେବେ ସେହି ବ୍ୟକ୍ତିକୁ ୬ ମାସର ଜେଲ୍‌ ଦଣ୍ଡ ସହିତ ୨,୫୦,୦୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା ଲଗାଯିବ ବୋଲି ଏହି ଆଇନ୍‌ରେ ଉଲ୍ଲେଖ କରାଯାଇଛି ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.