ପଞ୍ଜାବ ସରକାରଙ୍କ ବଡ ନିଷ୍ପତ୍ତି, ଏମଏସପିଠୁ କମ୍ ଦାମରେ କୃଷକଙ୍କଠୁ ଫସଲ କିଣିଲେ ତିନି ବର୍ଷ ଜେଲ୍

Published By : Prameya-News7 Bureau | October 20, 2020 IST

ଚଣ୍ଡିଗଡ ୨୦।୧୦: କେନ୍ଦ୍ରର ମୋଦୀ ସରକାର ଦ୍ଵାରା ଗୃହୀତ ତିନି କୃଷି ଆଇନ୍‌ ବିରୋଧରେ ପଦକ୍ଷେପ ଉଠାଇବାରେ ପଞ୍ଜାବ ଦେଶରେ ପ୍ରଥମ ରାଜ୍ୟ ହୋଇଛି।  ମଙ୍ଗଳବାର ରାଜ୍ୟର କଂଗ୍ରେସ ସରକାର କ୍ୟାପ୍ଟେନ ଅମରିନ୍ଦର ସିଂହଙ୍କ ନେତୃତ୍ଵରେ ବିଧାନସଭାରେ ତିନି ବିଧେୟକ ଉପସ୍ଥାପିତ କରିଛନ୍ତି। ଅମରିନ୍ଦର ସିଂହଙ୍କ ଦ୍ଵାରା ଉପସ୍ଥାପିତ ତିନି ବିଧେୟକ ହେଉଛି କୃଷକ ଉତ୍ପାଦନ ବ୍ୟାପାର ଏବଂ ବାଣିଜ୍ୟ ବିଶେଷ ପ୍ରାବଧାନ ଏବଂ ପଞ୍ଜାବ ସଂଶୋଧନ ବିଧେୟକ ୨୦୨୦, ଆବଶ୍ୟକ ବସ୍ତୁ ବିଧେୟକ ୨୦୨୦ ଓ କିଷାନ(ସଶକ୍ତୀକରଣ ଓ ସଂରକ୍ଷଣ) ରାଜିନାମା ମୂଲ୍ୟ ଆଶ୍ଵାସନ ଏବଂ କୃଷି ସେବା  ବିଧେୟକ ୨୦୨୦।

ପଞ୍ଜାବ ସରକାର ଦ୍ଵାରା ଉପସ୍ଥାପିତ ବିଧେୟକରେ କୁହାଯାଇଛି ଯେ, ଯଦି କୃଷକଙ୍କଠୁ ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି)ଠୁ କମ ମୂଲ୍ୟରେ ଫସଲ କିଣାଯାଏ ତେବେ ତିନି ବର୍ଷ  ଜେଲ୍ ହୋଇପାରେ। ଯଦି କୌଣସି କମ୍ପାନୀ କିମ୍ବା ବ୍ୟକ୍ତି କୃଷକଙ୍କ ଉପରେ ଜମି ଓ ଫସଲକୁ ନେଇ କୌଣସି ଚାପ ପକାଏ ତେବେ ତାଙ୍କୁ ଜେଲ୍ ଯିବାକୁ ପଡିପାରେ। ବିଧେୟକରେ କେନ୍ଦ୍ରର ଆଇନକୁ ସମାଲୋଚନା କରି ସେ କହିଛନ୍ତି ଏହି ବିଧେୟକ ବ୍ୟତୀତ କୃଷି ବିଧେୟକରେ ଯେଉଁ ପରିବର୍ତ୍ତନ କରାଯାଇଛି ତାହା କୃଷକ ଓ ଶ୍ରମିକ ବିରୋଧୀ।

ଅମରିନ୍ଦର ସିଂହ ଗୃହକୁ ସମ୍ବୋଧିତ କରି କହିଛନ୍ତି, କୃଷି ରାଜ୍ୟର ବିଷୟ ମାତ୍ର କେନ୍ଦ୍ର ଏହାକୁ ଅଣଦେଖା କରିଛି। ସେ କହିଛନ୍ତି, ମୁଁ ଆଶ୍ଚର୍ଯ୍ୟ ଯେ ଭାରତ ସରକାର କଣ କରିବାକୁ ଚାହୁଁଛନ୍ତି। ପଞ୍ଜାବ ସରକାରଙ୍କ ପ୍ରସ୍ତାବରେ କୁହାଯାଇଛି ସେ କୃଷକ ଆଇନ୍‌ ଉପରେ ନୂତନ ଅଧ୍ୟାଦେଶ ଆଣନ୍ତୁ ଯେଉଁଥିରେ ଏମଏସପି ବ୍ୟବସ୍ଥା ରହିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.