IPL 2020: ଗର୍ଜିଲା କ୍ରିସ୍ ଗେଲଙ୍କ ବ୍ୟାଟ୍, ରାଜସ୍ଥାନ ସମ୍ମୁଖରେ ୧୮୬ ରନର ବିଜୟ ଲକ୍ଷ୍ୟ ରଖିଲା କିଙ୍ଗ୍ସ ଏକାଦଶ ପଞ୍ଜାବ

Published By : Prameya-News7 Bureau | October 30, 2020 IST

ଆବୁଧାବି ୩୦।୧୦: କ୍ରିସ୍ ଗେଲଙ୍କ ଦମଦାର ଅର୍ଦ୍ଧଶତକ ବଳରେ ଆଇପିଏଲର ୫୦ତମ ଗୁରୁତ୍ଵପୂର୍ଣ୍ଣ ମ୍ୟାଚ୍‌ରେ କିଙ୍ଗ୍ସ ଏକାଦଶ ପଞ୍ଜାବ ରାଜସ୍ଥାନ ରୟାଲ୍ସ ବିପକ୍ଷରେ ୧୮୬ ରନର ବିଜୟ ଲକ୍ଷ୍ୟ ରଖିଛି। ପ୍ରଥମେ ବ୍ୟାଟିଂ କରି ପଞ୍ଜାବ କ୍ରିସ୍ ଗେଲଙ୍କ ୯୯ ରନର ଚମତ୍କାର ଇନିଂସ ଏବଂ କେଏଲ ରାହୁଲଙ୍କ ଉପଯୋଗୀ ୪୬ ରନ ବଳରେ ନିର୍ଦ୍ଧାରିତ ଓଭରରେ ୪ ଓ୍ଵିକେଟ୍ ହରାଇ ୧୮୫ ରନ କରିଛି। ଏହି ମ୍ୟାଚ୍ ଦୁଇ ଦଳ ପାଇଁ ଗୁରୁତ୍ଵପୂର୍ଣ୍ଣ। ରାଜସ୍ଥାନ ମ୍ୟାଚ୍ ହାରିଲେ ପ୍ଲେଅଫ୍‌ ଦୌଡରୁ ବାଦ୍ ପଡିବାର ସମ୍ଭାବନା ଥିବା ବେଳେ ପଞ୍ଜାବ ଜିତିଲେ ପ୍ଲେଅଫ୍‌ ଦୌଡରେ ନିଜର ସ୍ଥିତି ଆହୁରି ମଜବୁତ କରିବ।

ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ପଞ୍ଜାବକୁ ପ୍ରଥମ ଓଭରରେ ହିଁ ଝଟକା ଲାଗିଥିଲା। ମନଦୀପ ସିଂହ ଖାତା ଖୋଲିବା ପୂର୍ବରୁ ଜୋଫ୍ରା ଆର୍ଚରଙ୍କ ଶିକାର ହୋଇଥିଲେ। ଏହା ପରେ ଅଧିନାୟକ କେଏଲ ରାହୁଲ ଓ କ୍ରିସ ଗେଲ୍ ଦଳର ବ୍ୟାଟିଂ ଭାର ସମ୍ଭାଳିଥିଲେ। ଦୁଇ ବ୍ୟାଟସମ୍ୟାନ ଦ୍ରୁତ ଗତିରେ ବ୍ୟାଟିଂ କରିଥିଲେ। ବିଶେଷ କରି କ୍ରିସ୍ ଗେଲ୍ ନିଜର ଚିରାଚରିତ ଢଙ୍ଗରେ ବ୍ୟାଟିଂ କରିଥିଲେ। ଦୁଇ ବ୍ୟାଟସମ୍ୟାନ ଶତକୀୟ ଭାଗିଦାରୀ ଯୋଡି ଦଳର ସ୍ଥିତି ମଜବୁତ କରିବା ସହ ବିଶାଳ ସ୍କୋରର ମୂଳଦୁଆ ପକାଇଥିଲେ। ୧୨୧ ରନ ସ୍କୋରରେ କେଏଲ ରାହୁଲ ୪୬ ରନ କରି ପାଭିଲିୟନ ଫେରିଥିଲେ।

ଅନ୍ୟପଟେ କ୍ରିସ୍ ଗେଲ ଆଇପିଏଲରେ ୩୦ତମ ଅର୍ଦ୍ଧଶତକ ହାସଲ କରିଥିଲେ। କ୍ରିସ୍ ଗେଲ ଓ ନିକୋଲାସ ପୂରନ ବିସ୍ଫୋରକ ବ୍ୟାଟିଂ କରି ଦ୍ଵିତୀୟ ଓ୍ଵିକେଟ୍‌ରେ ୪୧ ରନ ଯୋଡିଥିଲେ। ୧୬୨ ରନ ସ୍କୋରରେ ପୂରନ ପାଭିଲିୟନ ଫେରିଥିଲେ। ସେ ମାତ୍ର ୧୦ ବଲରୁ ୩ ଛକା ସହ ୨୨ ରନ କରିଥିଲେ। ହେଲେ ଚମତ୍କାର ବ୍ୟାଟିଂ କରିଥିବା କ୍ରିସ୍‌ ଗେଲ୍‌ ୧ ରନ ପାଇଁ ଶତକରୁ ବଞ୍ଚିତ ହୋଇଥିଲେ। କ୍ରିସ୍ ଗେଲ୍‌ଙ୍କୁ ବୋଲ୍ଡ କରି ଜୋଫ୍ରା ଆର୍ଚର ଦଳକୁ  ଚତୁର୍ଥ ସଫଳତା ଦେଇଥିଲେ। ଗେଲ୍ ୬୩ ବଲରୁ ୬ ଚୌକା ଓ ୮ ଛକା ସହ ୯୯ ରନ କରିଥିଲେ। ପଞ୍ଜାବ ନିର୍ଦ୍ଧାରିତ ଓଭରରେ ୪ ଓ୍ଵିକେଟ୍ ହରାଇ ୧୮୫ ରନ କରିଛି।

ରାଜସ୍ଥାନ ପକ୍ଷରୁ ଜୋଫ୍ରା ଆର୍ଚର ଓ ବେନ ଷ୍ଟୋକ୍ସ ପ୍ରତ୍ୟେକ ୨ଟି ଲେଖାଏଁ ଓ୍ଵିକେଟ୍ ନେଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.